ରିଲିଜ୍ ପୂର୍ବରୁ ଥଲପତି ବିଜୟଙ୍କ ‘ଲିୟୋ’ ଭାଙ୍ଗିଲା ଶାହରୁଖଙ୍କ ରେକର୍ଡ – Utkal Mail
ନୂଆଦିଲ୍ଲୀ: ସାଉଥ ଫିଲ୍ମର ସବୁଠୁ ବଡ ଷ୍ଟାର ଥଲପତି ବିଜୟଙ୍କ ଫିଲ୍ମ ‘ଲିଓ’ ପାଇଁ ଏବେ ଦର୍ଶକଙ୍କ କ୍ରେଜ ବଢ଼ିବାରେ ଲାଗିଛି। ତାମିଲ ସିନେମାର ଶ୍ରେଷ୍ଠ ତାରକାମାନଙ୍କ ମଧ୍ୟରେ ବିଜୟ ରହିଥିଲେ ବି ଏପର୍ଯ୍ୟନ୍ତ ସେ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର କରିନଥିଲେ। ‘ଲିଓ’ ହେଉଛି ତାଙ୍କର ପ୍ରଥମ ପ୍ୟାନ୍ ଇଣ୍ଡିଆ ରିଲିଜ୍। ତେବେ ପ୍ରଥମ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ରରେ ହିଁ ବିଜୟ, ବଲିଉଡର କିଙ୍ଗ ଖାନଙ୍କ ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି।
ବିଜୟଙ୍କ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ କିଛି ଦିନ ପୂର୍ବରୁ ଭାରତରେ ଆରମ୍ଭ ହୋଇଥିବାବେଳେ ଗତ ମାସରୁ ବିଦେଶରେ ବୁକିଂ ଆରମ୍ଭ ହୋଇଥିଲା। ଏବେ କେବଳ ଅଗ୍ରୀମ ବୁକିଂ ଦ୍ୱାରା ‘ଲିଓ’ କିଙ୍ଗ୍ ଖାନଙ୍କ ରେକର୍ଡ ଭାଙ୍ଗିଥିବା ଦେଖାଯାଇଛି। ଫିଲ୍ମଟି ଅକ୍ଟୋବର ୧୯ରେ ରିଲିଜ୍ ହେବାକୁ ଥିବା ବେଳେ ବିଦେଶରେ ଏହା ଅଧିକ ଆୟ କରିଛି।
ବ୍ରିଟେନରେ ଏପର୍ଯ୍ୟନ୍ତ ଶାହାରୁଖ ଖାନଙ୍କ ଫିଲ୍ମ ଅଧିକ ଆୟ କରିଥିଲା। ବିଦେଶରେ ଭାରତର ସବୁଠୁ ବଡ ତାରକା ଭାବରେ ଲୋକପ୍ରିୟ ଥିବା ଶାହାରୁଖଙ୍କ ‘ପଠାନ’ ରିଲିଜ୍ ଦିନ ଭଲ ଆୟ କରିଥିଲା। ‘ପଠାନ୍’ ରିଲିଜର ପ୍ରଥମ ଦିନରେ ବ୍ରିଟେନରେ ୩କୋଟି ୨୨ଲକ୍ଷ ଟଙ୍କା ସଂଗ୍ରହ କରିଥିବା ବେଳେ ‘ଲିଓ’ କେବଳ ଅଗ୍ରୀମ ବୁକିଂ ମାଧ୍ୟମରେ ପ୍ରଥମ ଦିନରେ ୩କୋଟି ୨୩ଲକ୍ଷ ଟଙ୍କା ସଂଗ୍ରହ କରିଛି। କୁହାଯାଉଛି ଯେ, ଭାରତ ଓ ବିଶ୍ବ ବକ୍ସ ଅଫିସକୁ ମିଶାଇଲେ ଏପର୍ଯ୍ୟନ୍ତ ୬କୋଟି ଟଙ୍କାର ଅଗ୍ରୀମ ଟିକେଟ ବୁକିଂ ହୋଇସାରିଛି। ରିଲିଜ୍ ପରେ ଫିଲ୍ମଟି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ଏହି ଫିଲ୍ମରେ ଥଲପତି ବିଜୟ, ସଞ୍ଜୟ ଦତ୍ତ, ତ୍ରିଶା କ୍ରିଷ୍ଣନ ଓ ଅର୍ଜୁନ ସରଜା ମୁଖ୍ୟ ଭୂମିକାରେ ଅଛନ୍ତି।