ନୀତି

ମହାକାଶଚାରୀଙ୍କ ପାଇଁ ପ୍ରସାଧନ! ଆସନ୍ତାବର୍ଷ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ପଠାଯିବ – Utkal Mail


ପୃଥିବୀ ଚାରିପଟେ ଅନ୍ତରୀକ୍ଷରେ ଘୂରିବୁଲୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ କାର୍ଯ୍ୟରତ ମହାକାଶଚାରୀଙ୍କ ପାଇଁ ଜାପାନର ଏକ କମ୍ପାନି ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରିଛି। ଜାପାନର ପୋଲା କମ୍ପାନି ପକ୍ଷରୁ ‘କସ୍ମୋସ୍କିନ୍‌’ ବ୍ରାଣ୍ଡ୍‌ ଅଧୀନରେ ପ୍ରସ୍ତୁତ କରାଯାଇଥିବା ପ୍ରସାଧନ ମଧ୍ୟରେ ଚର୍ମ ସ୍ବାସ୍ଥ୍ୟ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ମଲମ ଓ ଲୋସନ ରହିଛି। ବିଭିନ୍ନ ସମୟରେ ମହାକାଶ କେନ୍ଦ୍ରକୁ ଯାତ୍ରା କରି ଫେରିଥିବା ମହାକାଶଚାରୀଙ୍କ ଶାରୀରିକ ଆବଶ୍ୟକତାକୁ ଭିତ୍ତି କରି କସ୍ମୋସ୍କିନ୍ ଏହାର ପ୍ରସାଧନ ସାମଗ୍ରୀଗୁଡ଼ିକର ପରିକଳ୍ପନା କରିଛି। ସାଧାରଣତଃ, ମହାକାଶରେ ଚର୍ମ ଉପରେ ବେଶୀ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ମହାକାଶ କେନ୍ଦ୍ରର ବାୟୁ ଚଳାଚଳ ପ୍ରଣାଳୀ ଚର୍ମକୁ ଭୀଷଣ ଭାବରେ ଶୁଷ୍କ କରିଦେଉଥିବାରୁ ଚର୍ମରେ ଦାଗ ପଡ଼ିବା ସହ ଜଳାପୋଡ଼ା ହୋଇଥାଏ। ସେହିପରି ସେଠାକାର ନଗଣ୍ୟ ବା ଶୂନ୍ୟ ମାଧ୍ୟାକର୍ଷଣ ବଳ ଚର୍ମକୁ ପତଳା କରିଦିଏ, ଯାହା ଜଣକୁ ଶୀଘ୍ର ବୟସ୍କ କରାଇଦେଇଥାଏ। ତେଣୁ ମହାକାଶଚାରୀମାନେ ଚର୍ମର ଯତ୍ନ ନେବା ଅପରିହାର୍ଯ୍ୟ। ତେବେ ସେଭଳି ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁସରଣ କରିବାକୁ ପଡ଼ିଥାଏ।

ମହାକାଶ କେନ୍ଦ୍ରରେ ଜଳର ବ୍ୟବହାର ଅତି ସୀମିତ। ମହାକାଶଚାରୀମାନେ ଦାନ୍ତ ଘଷିବା ପାଇଁ ବି ପାଣି ଅପଚୟ କରନ୍ତି ନାହିଁ। ତେଣୁ ସେମାନଙ୍କ ପାଇଁ ଏପରି ଏକ ଫେସ୍‌ୱାସ୍‌ ପ୍ରସ୍ତୁତ କରାଯାଇଛି, ଯାହାକୁ ବିନା ପାଣିରେ ବ୍ୟବହାର କରିହେବ। ସେହିପରି ଅତି ପତଳା ତରଳ ଭାବେ ଉପଲବ୍‌ଧ ଲୋସନ୍‌ର ବିକଳ୍ପ ଭାବେ ଅର୍ଦ୍ଧକଠିନ ଲୋସନ୍ ବିକଶିତ କରାଯାଇଛି, ଯଦ୍ଦ୍ବାରା ତାହା ନଗଣ୍ୟ ମାଧ୍ୟାକର୍ଷଣ ପରିବେଶରେ ଏଣେ ତେଣେ ବିଛାଡ଼ି ହେବ ନାହିଁ। ଜାପାନ ମହାକାଶ ଗବେଷଣା ସଂସ୍ଥା ‘ଜାକ୍ସା’ କସ୍ମୋସ୍କିନ୍‌ର ପ୍ରସାଧନଗୁଡ଼ିକୁ ସ୍ବୀକୃତି ଦେଇସାରିଛି। ସେଗୁଡ଼ିକ ଆସନ୍ତା ବର୍ଷ ‘ଜାକ୍ସା’ ମହାକାଶଚାରୀ କିମିୟା ୟୁଇଙ୍କ ସହିତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବ। ପୃଥିବୀର ବିଷମ ଜଳବାୟୁରେ ରହୁଥିବା ଲୋକମାନେ ମଧ୍ୟ ଏହି ପ୍ରସାଧନଗୁଡ଼ିକୁ ବ୍ୟବହାର କରି ଲାଭ ପାଇପାରିବେ ବୋଲି କୁହାଯାଉଛି।




Related Articles

Leave a Reply

Your email address will not be published. Required fields are marked *

Back to top button