ବରଫର ବିଚିତ୍ର ସ୍ବରୂପ: ଅତ୍ୟୁଚ୍ଚ ତାପମାତାରେ ତରଳୁ ନାହିଁ ‘ଆଇସ୍-ଏକ୍ସଭିଆଇଆଇଆଇ’ – Utkal Mail
ବରଫ ସାଧାରଣତଃ ୩୨ ଡିଗ୍ରି ଫାରେନ୍ହାଇଟ୍ ବା ଶୂନ ଡିଗ୍ରି ସେଲସିଅସ ପରି ଅତି ନିମ୍ନ ତାପମାତ୍ରାରେ ତରଳି ଜଳରେ ପରିଣତ ହୋଇଯାଇଥାଏ। ତେବେ ନିକଟରେ ବୈଜ୍ଞାନିକମାନେ ବରଫର ଏକ ଅଦ୍ଭୁତ ସ୍ବରୂପ ଆବିଷ୍କାର କରିଛନ୍ତି, ଯାହା ପାରମ୍ପରିକ ନିୟମକୁ ଅମାନ୍ୟ କରି ବହୁ ଉଚ୍ଚ ତାପମାତ୍ରାରେ ମଧ୍ୟ କଠିନ ଅବସ୍ଥା ବଜାୟ ରଖିପାରୁଛି। ଏହା ବରଫ ପ୍ରତି ରହିଥିବା ଆମର ପୂର୍ବ ଧାରଣାକୁ ଚ୍ୟାଲେଞ୍ଜ କରିବା ସହ ଜଳ ଓ ଅନ୍ୟାନ୍ୟ ପଦାର୍ଥର ଗୁଣ ଅଧ୍ୟୟନ କରିବାକୁ ନୂତନ ସମ୍ଭାବନା ସୃଷ୍ଟି କରିଛି।
ଜର୍ମାନୀର ବେରିଅଥ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ଉଚ୍ଚ ବାହ୍ୟଚାପରେ ବରଫର ଗୁଣ ଅଧ୍ୟୟନ କରୁ କରୁ ତାହାର ଏପରି ଏକ ବିଚିତ୍ର ସ୍ବରୂପ ଆବିଷ୍କାର କରିଛନ୍ତି। ‘ଅଷ୍ଟାଦଶ ବରଫ’ ବା ‘ଆଇସ୍-ଏକ୍ସଭିଆଇଆଇଆଇ’ ନାମକ ବରଫର ଏହି ନୂତନ ପର୍ଯ୍ୟାୟ ୧,୪୧୯ ଡିଗ୍ରି ସେଲସିଅସ ପରି ଅତ୍ୟୁଚ୍ଚ ତାପମାତ୍ରାରେ ତରଳିବା ଆରମ୍ଭ କରୁଛି। ଲୁହା ଯେଉଁ ତାପମାତ୍ରାରେ ତରଳିଥାଏ, ଏହା ହେଉଛି ତାହାର ପ୍ରାୟ ଚାରିଗୁଣ ଅଧିକ।
ଉଲ୍ଲେଖଯୋଗ୍ୟ, ମାତ୍ରାଧକ ଚାପରେ ଜଳ ଅଣୁଗୁଡ଼ିକ ସଂକୁଚିତ ହୋଇ ‘ଅଷ୍ଟାଦଶ ବରଫ’ରେ ପରିଣତ ହୋଇଥା’ନ୍ତି। ଏହି ସଂକୋଚନ ଯୋଗୁଁ ଜଳ ଅଣୁଗୁଡ଼ିକ ଏକ ଅନନ୍ୟ ଘନାକାର ସଂରଚନାରେ ନିଜକୁ ସଜେଇ ନେଇଥା’ନ୍ତି, ଯାହା ସାଧାରଣ ବରଫର ଷଡ଼ଭୁଜାକାର ସଂରଚନାଠାରୁ ଭିନ୍ନ। ଏହି ଘନାକାର ସଂରଚନା ବରଫକୁ ଅଧିକ ତାପମାତ୍ରାରେ ମଧ୍ୟ କଠିନ ରହିବା ପାଇଁ ଅନୁମତି ଦେଇଥାଏ। ପାଞ୍ଚ ବର୍ଷ ତଳେ ବୈଜ୍ଞାନିକମାନେ ବିଜ୍ଞାନାଗାରରେ ପ୍ରଥମ କରି ‘ସୁପରିଓନିକ୍ ଆଇସ୍’ ନାମରେ ଏ ପ୍ରକାର ବରଫ ତିଆରି କରିଥିଲେ।