ଓଡିଶା

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ କାର୍ଯ୍ୟ ୬ ମାସରେ ସରିବ: ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର: ଆସନ୍ତା ୬ ମାସ ମଧ୍ୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ କାର୍ଯ୍ୟ ଶେଷ ହେବ। ଫଳରେ ରାଜ୍ୟ ରାଜଧାନୀ ସମେତ ଅନ୍ୟ ସ୍ଥାନକୁ ଦକ୍ଷିଣ ଓଡ଼ିଶାର ଏହି ବୃହତମ ବାଣିଜ୍ୟିକ ସହରରୁ ଆକାଶପଥରେ ଯୋଗାଯୋଗ ଅଧିକ ସହଜସାଧ୍ୟ ହୋଇପାରିବ। ଗଞ୍ଜାମ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ମଧ୍ୟ ଅନେକମାତ୍ରାରେ ପୂରଣ ହୋଇପାରିବ। ବ୍ରହ୍ମପୁର ସହର ତଥା ଉପକଣ୍ଠରେ ବିମାନ ବନ୍ଦର ବାବଦରେ ସ୍ମାରକପତ୍ର ଦେବାକୁ ଆସିଥିବା ଓଡ଼ିଶା ଡେଭଲପମେଣ୍ଟ୍ ଫୋରମ୍ ତଥା ବୁଦ୍ଧିଜୀବୀମାନଙ୍କ ଏକ ପ୍ରତିନିଧି ଦଳକୁ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଫୋରମ୍ କର୍ମକର୍ତ୍ତା ଜିଲ୍ଲାପାଳଙ୍କ ସହ ବ୍ରହ୍ମପୁର ଗ୍ରୀନ୍ ଫିଲ୍ଡ ଏୟାରପୋର୍ଟ ଏବଂ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ବାବଦରେ ଆଲୋଚନା କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଉଡାନ୍ ଯୋଜନାରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପୁନଃନିର୍ମାଣ ବା ସମ୍ପ୍ରସାରଣ ପାଇଁ ବୈଷୟିକ କମିଟି ତରଫରୁ ଅନୁମୋଦନ ମିଳିସାରିଛି। ଏଥିପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଶୀଘ୍ର ଏହି କାମ ଆରମ୍ଭ ହେବାକୁ ଯାଉଛି ଓ ଆସନ୍ତା ବର୍ଷ ମେ ମାସ ସୁଦ୍ଧା ଏହି କାମ ସରିବା ଆଶା କରାଯାଉଛି। ବର୍ତ୍ତମାନ ୩୫ ଏକର ଜମି ଥିବା ବେଳେ ସମ୍ପ୍ରସାରଣ ତଥା ପୁନଃନିର୍ମାଣ ପାଇଁ ଆଉ ୩୪ ଏକର ଜମି ଆବଶ୍ୟକ। ୧୭ ଏକର ଜମି ଅଧଗ୍ରହଣ ହୋଇଛି, ବଳକା ଜମି ଅଧଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ସୂଚନା ମିଳିଛି। ଫଳରେ ଭୁବନେଶ୍ୱରରୁ ବ୍ରହ୍ମପୁରକୁ ୧୮ରୁ ୩୬ ଆସନ ବିଶିଷ୍ଟ ବିମାନ ଚଳାଚଳ ସମ୍ଭବପର ହୋଇପାରିବ। ଗଞ୍ଜାମ ଜିଲ୍ଲାର ଜନସଂଖ୍ୟା ପ୍ରାୟ ୪୦ ଲକ୍ଷ। ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଲୋକ ରାଜ୍ୟ ଏପରିକି ଦେଶ ବାହାରେ ରହୁଛନ୍ତି। ଜିଲ୍ଲାରେ ବନ୍ଦର, ଶିଳ୍ପ କେନ୍ଦ୍ର, ବୃହତ୍ ଶିକ୍ଷାନୁଷ୍ଠାନ ଆଦି ରହିଛି। ଏ ଦୃଷ୍ଟିରୁ ଜିଲ୍ଲାକୁ ସିଧାସଳଖ ବିମାନ ସେବାର ଆବଶ୍ୟକତା ଦିନକୁ ଦିନ ଅଧିକ ଅନୁଭୂତ ହେବାରେ ଲାଗିଛି। ଏବେ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଏହି କାର୍ଯ୍ୟ ଅଧିକ ସୁଗମ ହେବା ଆଶା କରାଯାଉଛି।

ଅପରପକ୍ଷରେ ଗ୍ରୀନ୍ ଫିଲ୍ଡ ବିମାନବନ୍ଦର ପାଇଁ ଶୀତଳାପଲ୍ଲୀ ଠାରେ ୧୨୦୦ ଏକର ସରକାରୀ ଜମି, ଟାଟା କମ୍ପାନୀ ବ୍ୟବହାର ନ କରି ରଖିଥିବା ୩ ହଜାର ଅଧିଗୃହିତ ଜମିରୁ ୧ ହଜାର ଏକର, ସୋନପୁର ଠାରେ ଥିବା ୩ ହଜାର ଏକର ସରକାରୀ ଜମିରୁ ୧ ହଜାର ଏକର, ହୁମ୍ମା ଅଞ୍ଚଳରେ ଥିବା ଲବଣ ଜମି ମଧ୍ୟରୁ ୧ ହଜାର ଏକର ଜମି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହାର ସର୍ଭେ ସରିଛି, କିନ୍ତୁ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଏହି କାର୍ଯ୍ୟ ଆଉ ଆଗକୁ ବଢ଼ି ନଥିବା ଜଣାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button