ପୂର୍ଣ୍ଣଗିରି – Utkal Mail
ଦେବୀ ଗିରିଜା, ପିତା ହିମାଳୟ, ପତି କୈଳାସପତି ଶିବ। ଅର୍ଥାତ୍, ଗିରି ହିଁ ତାଙ୍କର ଜନ୍ମସ୍ଥଳୀ ଓ କର୍ମସ୍ଥଳୀ। ତେଣୁ ପ୍ରାୟ ଶକ୍ତିପୀଠଗୁଡ଼ିକ କୌଣସି ନା କୌଣସି ପର୍ବତ ଶିଖରରେ ଅବସ୍ଥିତ। ଯଦିଓ କେତେକ ଶକ୍ତିପୀଠ ସମତଳ ଭୂମିରେ ଦେଖାଯାଏ, ତଥାପି ସେ ସ୍ଥାନଗୁଡ଼ିକ ପ୍ରାୟ ନଦନଦୀ ବା ବନଲତା ପରିଶୋଭିତ। କିନ୍ତୁ ଏପରି ଏକ ଶକ୍ତିସ୍ଥଳ ରହିଛି, ଯେଉଁଠାକୁ ଭକ୍ତମାନେ କଠିନ ପାଦଚଲା ରାସ୍ତାରେ ଆରୋହଣ କରି ଯାଇ ପର୍ବତ ଶିଖରରେ ଥିବା ଦେବୀଙ୍କୁ ଦର୍ଶନ କରିଥାନ୍ତି। ସେ ହେଉଛନ୍ତି ଦେବୀ ପୂର୍ଣ୍ଣଗିରି ବା ପୁଣ୍ୟଗିରି ଦେବୀ।
ଭାରତ ଓ ନେପାଳ ସୀମାରେ ରହିଛି ପୂର୍ଣ୍ଣଗିରି ନାମରେ ନାମିତ ଏକ ପର୍ବତ। ସେଠାରୁ କାଳୀ ନଦୀ ବାହାରି ସମତଳ ଭୂମିରେ ସାରଦା ନଦୀ ନାମରେ ପରିଚିତ ହୋଇଛି। ଉତ୍ତର ଭାରତର ଉତ୍ତରାଖଣ୍ଡ ପ୍ରଦେଶର ଚମ୍ପାବତ୍ ଜିଲ୍ଲାର ଚମ୍ପାବତ୍ ସହରଠାରୁ ୧୫ କିଲୋମିଟର ଓ ଟନକପୁରଠାରୁ ୨୫ କି.ମି. ଦୂର ଅନ୍ନପୂର୍ଣ୍ଣା ଶିଖର ଉପରେ, ୫୫୦୦ ଫୁଟ ଉଚ୍ଚରେ ପୂର୍ଣ୍ଣଗିରି ପର୍ବତ ଉପରେ ମହାକାଳୀ ପୀଠ ବିଦ୍ୟମାନ। ସେଠାରେ ରହିଛି ପୂର୍ଣ୍ଣଗିରି ବା ପୁଣ୍ୟଗିରି ଦେବୀଙ୍କ ମନ୍ଦିର। ଏହି ମନ୍ଦିର ସମୁଦ୍ର ପତ୍ତନଠାରୁ ପ୍ରାୟ ୩୦୦୦ ମିଟର ଉପରେ ଅବସ୍ଥିତ। ପୁରାଣର ବର୍ଣ୍ଣନା ଅନୁସାରେ, ଏଠାରେ ଦେବୀ ସତୀଙ୍କର ନାଭି ନିପତିତ ହୋଇଥିବାରୁ ଏହା ମହାକାଳୀଙ୍କର ନାଭିକ୍ଷେତ୍ର ଭାବରେ ପ୍ରସିଦ୍ଧ। ଏଠାରେ ଦେବୀଙ୍କର ନାଭିଦର୍ଶନ ଓ ପୂଜନ ହୋଇଥାଏ।
ପାଦଚଲା ରାସ୍ତା ଦେଇ ପର୍ବତ ଆରୋହଣର କଷ୍ଟକର ଯାତ୍ରା କରି, ମନ୍ଦିର ପାଦଦେଶରେ ଥିବା ଝୁଟକା ମନ୍ଦିର ସହିତ ଭୈରବ ବାବାଙ୍କୁ ଦର୍ଶନ କଲା ପରେ, ପ୍ରାୟ ୪୮୦ଟି ପାହାଚ ଚଢ଼ି ଭକ୍ତମାନେ ପୁଣ୍ୟଗିରି ଦେବୀଙ୍କୁ ଦର୍ଶନ କରିଥାନ୍ତି। ଚୈତ୍ର ନବରାତ୍ରିଠାରୁ ଜ୍ୟେଷ୍ଠ ଶେଷ ପର୍ଯ୍ୟନ୍ତ, ପ୍ରାୟ ଦୁଇ ମାସ ଧରି ସେଠାରେ ମେଳା ଅନୁଷ୍ଠିତ ହୁଏ। ସେହି ସମୟରେ ଭକ୍ତଙ୍କ ଭିଡ଼ ଲାଗି ରହେ। ଐତିହାସିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ଏହି ଗିରିଦ୍ୱାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହି ସିଦ୍ଧଦେବୀ ମନସ୍କାମନାପୂରଣକାରୀ ହୋଇଥିବାରୁ, ୧୬୩୨ ଖ୍ରୀଷ୍ଟାବ୍ଦରେ ଗୁଜୁରାଟର ଚନ୍ଦ୍ର ତିୱାରୀ ନାମକ ଜଣେ ବ୍ୟବସାୟୀ, ଚମ୍ପାବତ୍ର ରାଜା ଜ୍ଞାନଚାନ୍ଦଙ୍କ ସହଯୋଗରେ, ସ୍ୱପ୍ନାଦେଶ ଅନୁସାରେ, ପୂର୍ଣ୍ଣଗିରି ମନ୍ଦିର ନିର୍ମାଣ କରିଥିଲେ। ପୂର୍ଣ୍ଣଗିରିର ଚତୁଃପାଶ୍ୱର୍ରେ ମଲ୍ଲିକାଗିରି, କାଳିକାଗିରି, ହମଲାଗିରି ଶୃଙ୍ଗ ରହିଛି। ତାହା ଉକ୍ତ ସ୍ଥାନକୁ ଅପୂର୍ବ ସୁଷମାମଣ୍ଡିତ କରିଛି। ଭକ୍ତଙ୍କ ବ୍ୟତୀତ ପ୍ରକୃତିପ୍ରେମୀମାନେ ମଧ୍ୟ ସେଠାକୁ ଆସି ଶାନ୍ତି ଆହରଣ କରିଥାନ୍ତି। ସେଥିପାଇଁ ସେହି ସ୍ଥାନ ସମଗ୍ର ଭାରତରେ ବିଶେଷ ପ୍ରସିଦ୍ଧି ଲାଭ କରିଛି।
-ଡକ୍ଟର ତୁଳସୀ ଓଝା