କ୍ରାଇମ

୨ଟି ଭଙ୍ଗା ଦାନ୍ତ ଲାଗି ଧରାପଡ଼ିଲା ‘ସ୍ପାଇଡର୍‌-ମ୍ୟାନ୍‌ ଚୋର’ – Utkal Mail


ମୁମ୍ବାଇ: ‘ସ୍ପାଇଡର୍‌-ମ୍ୟାନ୍‌ ଚୋର’ ନାଁରେ କୁଖ୍ୟାତ ଜଣେ ବ୍ୟକ୍ତି ତା’ର ଭଙ୍ଗା ଦାନ୍ତ ଯୋଗୁଁ ଧରାପଡ଼ିଥିବା କଥା ପୁଲିସ କହିଛି।

ପ୍ରାୟ ୪ ମାସ ତଳେ ମୁମ୍ବାଇର ବୋରିୱାଲିରେ ଚୋରି କରିବାକୁ ଆସି ଘଟଣାସ୍ଥଳରୁ ଖସି ପଳାଉଥିବା ବ‌େଳେ ତା’ର ୨ଟି ଦାନ୍ତ ଭାଙ୍ଗି ସେଠାରେ ପଡ଼ିଯାଇଥିଲା। ପ୍ରାୟ ବର୍ଷେ ହେବ ପୁଲିସ ହାବୁଡ଼ରୁ ବର୍ତ୍ତିଯାଇଥିବା ସେ ଚୋର ଶେଷରେ ଏହି ଭଙ୍ଗା ଦାନ୍ତ ଯୋଗୁଁ ହିଁ  ଧରା ପଡ଼ିଲା।

ସଂଗୃହୀତ ସୂଚନା ଅନୁସାର, ଅଭିଯୁକ୍ତ ଚୋର ହେଉଛି ୨୯ ବର୍ଷିୟ ରୋହିତ ରାଠୋଡ୍‌। ତା’ ନାଁରେ ୧୯ଟି ଚୋରି ମାମଲା ରହିଛି। ଏଥର ଗିରଫ ହେବା ଆଗରୁ ରାଠୋଡ୍‌ ଡି. ଏନ୍‌. ନଗର, କାଣ୍ଡିୱାଲି, ବୋରିୱାଲି, ୱାକୋଲା, ସାନ୍ତାକ୍ରୁଜ୍‌, ଦହିସାର, କସ୍ତୁରବା ମାର୍ଗ ସମେତ ଅନ୍ୟାନ୍ୟ ଥାନାରେ ଅଟକ ଥିଲା।

ଗତ ବର୍ଷେ ହେବ ସେ କୌଣସି ଚୋରି ଘଟଣାରେ ଧରାପଡ଼ି ନ ଥିଲା। କିନ୍ତୁ, ବୋରିୱାଲିସ୍ଥିତ ଗୋଟାଏ ଆପାର୍ଟମେଣ୍ଟ୍‌ରେ ଚୋରି ଉଦ୍ୟମ ବିଭ୍ରାଟ ହେବାରୁ ସେ ଗିରଫ ହୋଇ ଜେଲ୍‌କୁ ଯାଇଛି।

Image Courtesy of Mid-Day

ଜୁନ୍‌ ୨୨ ତାରିଖର ରୋହିତ ରାଠୋଡ୍‌ ବୋରିୱାଲି ଅନ୍ତର୍ଗତ ରାଜାରାମ ତାୱଦେ ରୋଡ୍‌ରେ ଥିବା ଅର୍ପିତା ଆପାର୍ଟମେଣ୍ଟ୍‌ରେ ଚୋରି କରିବାକୁ ଦୁଇ ମହଲାରେ ପଶିଥିଲା। ସେଠାରେ ବାସ କରୁଥିବା ପରିବାର ଲୋକେ ଦେଖି ପକାଇବାରୁ ରାଠୋଡ୍‌ ରୋଷେଇଘର ଝରକା ବାଟେ ଡେଇଁ ପଳାଇଗଲା। ଏ ସଂକ୍ରାନ୍ତରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ତଦନ୍ତ କରି ୨ଟି ଭଙ୍ଗା ଦାନ୍ତ ପାଇଲା।

ତା’ପରେ ‘ସିସିଟିଭି’ ଫୁଟେଜ୍‌ ଯାଞ୍ଚ କରି ପୁଲିସ ଜାଣିଲା, ଆପାର୍ଟମେଣ୍ଟ୍‌ର ଦ୍ବିତୀୟ ମହଲାରୁ ଖସି ପଳାଉଥିବା ବେଳେ ଚୋର ପଡ଼ିଯିବାରୁ ତା’ର ଦୁଇଟି ଦାନ୍ତ ଓ ଗୋଡ଼ ଭାଙ୍ଗିଯାଇଛି। ମଳିନ ଆଲୁଅ ଯୋଗୁଁ ଫୁଟେଜ୍‌ରେ ଚୋରର ମୁହଁ ସ୍ପଷ୍ଟ ଦେଖାଯାଉ ନ ଥିଲା। କିନ୍ତୁ, ଆଘାତ ପାଇବା ସତ୍ତ୍ବେ ଚୋର ପାଚେରି ଚଢ଼ି ଘଟଣାସ୍ଥଳରୁ ଖସି ପଳାଉଥିବା ଦୃଶ୍ୟ ଫୁଟେଜ୍‌ରୁ ଜଣାପଡ଼ିଯାଉଥିଲା।

ପୁଲିସ ନିଶ୍ଚିତ ହେଲା ଯେ, ଆହତ ଚୋର ଡାକ୍ତରଖାନା ଯାଇଥିବ। ତେଣୁ, ସେମାନେ ସେ ଅଞ୍ଚଳରେ ଥିବା ୪୦୦ ଡାକ୍ତରଖାନା ଯାଞ୍ଚ କଲେ, କିନ୍ତୁ ଚୋର ଧରାପଡ଼ିଲା ନାହିଁ। ନିୟମିତ ଡାକ୍ତରଖାନା ଯିବା ପାଇଁ ଜଣେ ପୁଲିସ ଅଧିକାରୀଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ଗତ ସପ୍ତାହରେ ସେ ପୁଲିସ ଅଧିକାରୀଜଣଙ୍କର ସନ୍ଦେହ ହେଲା ଯେ, ଚୋର ୱାକୋଲାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚୋର ଡାକ୍ତରଖାନାରୁ ‘ଡିସ୍‌ଚାର୍ଜ’ ହେବ ପର୍ଯ୍ୟନ୍ତ ପୁଲସି ଅପେକ୍ଷା କଲା। ସେ (ରାଠୋଡ୍‌) ଘରେ ପହଞ୍ଚିବାକ୍ଷଣି ଆଗରୁ ପ୍ରସ୍ତୁତ ହୋଇଥିବା ପୁଲିସ ତାକୁ ଗିରଫ କଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button