କ୍ରାଇମ

ଚୋରଙ୍କ ଚରାଭୂଇଁ କ୍ୟାପିଟାଲ୍ ହସ୍ପିଟାଲ୍ – Utkal Mail


ଭୁବନେଶ୍ବର: କିଛିଦିନ ହେଲା ଚୋରଙ୍କ ଚରାଭୂଇଁ ପାଲଟିଛି କ୍ୟାପିଟାଲ୍ ହସ୍ପିଟାଲ୍‌। ପୂର୍ବରୁ ଚୋରମାନେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ମୋବାଇଲ୍‌, ପର୍ସ ଆଦି ଚୋରି କରୁଥିଲେ। ହସ୍ପିଟାଲ୍‌ ପରିସରରୁ ବାଇକ୍‌ ଉଠାଇ ନେଉଥିଲେ। କିନ୍ତୁ ହସ୍ପିଟାଲ୍‌ର ପରୀକ୍ଷାଗାରରୁ ପ୍ରାୟ ୬୦ ଲକ୍ଷ ଟଙ୍କାର ୫ଟି ରକ୍ତ ପରୀକ୍ଷା ମେସିନ୍‌ ଚୋରି ହୋଇଗଲା। ପରିସରରେ ପୁଲିସ ଫାଣ୍ଡି ଓ ମାଳମାଳ ସୁରକ୍ଷାକର୍ମୀ ଥିବା ସତ୍ତ୍ବେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିବାକୁ ସକ୍ଷମ ହୋଇଥିଲେ। ଏଥିରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସୁରକ୍ଷା ବ୍ୟବସ୍ଥା କେତେ ହୁଗୁଳା, ତାହା ପ୍ରମାଣିତ ହୋଇଛି।

ପୂର୍ବରୁ ଏହି ହସ୍ପିଟାଲ୍‌ର ଟିବି ଟେଷ୍ଟ ରୁମ୍‌ରୁ ଏକ କମ୍ପ୍ୟୁଟର ମନିଟର୍‌ ଚୋରି ହୋଇଥିଲା। ସେହିଭଳି ଏସି ପାଇପ୍, ନିର୍ମାଣାଧୀନ ବିଲ୍ଡିଂରୁ ଲୁହାରଡ୍ ଚୋରି ହୋଇଛି। ପ୍ରତିଦିନ ଡାକ୍ତର, ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କଠାରୁ ଚୋରି ହେବାର ଅଭି‌ଯୋଗ ଆସୁଛି। ୱାର୍ଡ ଓ କ୍ୟାବିନ୍‌ ଭିତରୁ ମଧ୍ୟ ଚୋରି ହୋଇଥିବା ଉଦାହରଣ ରହିଛି। ପୁଲିସ କିଛି ହାତଗଣତି ମାମଲାରେ ଚୋରଙ୍କୁ ଠାବ କରୁଥିବା ବେଳେ ବହୁ ମାମଲାରେ ଚୋର ଧରା ପଡ଼ୁନାହାନ୍ତି। ଚୋର ପରେ ଧରା ପଡ଼ିବା, ଜିନିଷ ଉଦ୍ଧାର ହେବା ଆଦି ଭିନ୍ନ ପ୍ରସଙ୍ଗ। ମୂଳ ପ୍ରଶ୍ନ ହେଉଛି, ରାଜଧାନୀରେ ଥିବା ରାଜ୍ୟ ସରକାରଙ୍କର ସବୁଠୁ ବଡ଼ ହସ୍ପିଟାଲରୁ ନିୟମିତ ଚୋରି ହେଉଛି କେମିତି? ଏବେ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ପ୍ରାୟ ୩,୦୦୦ ରୋଗୀ ଆସୁଛନ୍ତି। ପ୍ରାୟ ୮୦୦ ରୋଗୀ ବିଭିନ୍ନ ୱାର୍ଡରେ ଭର୍ତ୍ତି ହେଉଛନ୍ତି। ତେଣୁ ହିସାବରୁ ଜଣାପଡ଼ିଛି, ପ୍ରତିଦିନ ଏଠାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମିଶାଇଲେ ଏଠାରେ ପ୍ରାୟ ୨୦୦୦ ଲୋକ ରହୁଛନ୍ତି।

ଅଧିକାଂଶ ରାତିରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ଏତେତେଣେ ପ୍ରାୟ ୧୦୦୦ ଲୋକ ରହିଥିବା ଦେଖାଯାଏ। ଏତେ ଲୋକଙ୍କୁ ସୁରକ୍ଷା ଦେବାକୁ ମାତ୍ର ହାତ ଗଣତି ପୁଲିସ କର୍ମଚାରୀ ସେଠାରେ ମୁତୟନ ଥାଆନ୍ତି। ଫାଣ୍ଡିରେ ଥିବା ୧୮ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ସିଫ୍‌ଟ ହିସାବରେ ରାତିରେ ମାତ୍ର ୬ ଜଣ ପୁଲିସ କର୍ମଚାରୀ ଡିଉଟି କରନ୍ତି। ତେବେ ଏହାବାଦ୍‌ ସିଫ୍ଟ ହିସାବରେ ରାତିରେ ୮୦ ସୁରକ୍ଷାକର୍ମୀ ରହୁଛନ୍ତି। ହସ୍ପିଟାଲ୍‌ ପରିସରରେ ସିସିଟିଭି ମଧ୍ୟ ଲଗାଯାଇଛି। ଏସବୁ ସତ୍ତ୍ବେ ହସ୍ପିଟାଲ୍‌ ପରିସରରୁ ଚୋରି ହେଉଛି। ଏଭଳି କାଣ୍ଡ ପାଇଁ ବହୁ ସମୟରେ ସୁରକ୍ଷାକର୍ମୀ ଓ ହସ୍ପିଟାଲ୍‌ କର୍ମଚାରୀଙ୍କ ମଧ୍ୟରେ ଟଣାଓଟରା ଲାଗିରହୁଛି। ସେମାନେ ପରସ୍ପର ଉପରେ ଦୋଷ ଲଦୁଛନ୍ତି। କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button