ବ୍ୟବସାୟ

ଦଶହରା ବଜାର: ଏଥର ପୋଷାକ ଓ ମୋବାଇଲ୍‌ କିଣାରେ ଗ୍ରାହକ କରୁଛନ୍ତି ଅଧିକ ଖର୍ଚ୍ଚ – Utkal Mail


ଭୁବନେଶ୍ବର : ପାର୍ବଣ ବଜାରରେ ପ୍ରବଳ ଉତ୍ସାହ। ନୂଆ ଜିନିଷ କିଣିବାକୁ ଲୋକମାନଙ୍କ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଛି। ଏଥର ପୂଜାରେ ଭିନ୍ନତା ଦେଖିବାକୁ ମିଳିଛି। ଲୋକମାନେ ପୋଷାକପତ୍ର ଓ ମୋବାଇଲ୍‌ ଫୋନ୍ କିଣିବାରେ ଅଧିକ ଖର୍ଚ୍ଚ କରୁଛନ୍ତି। ବଜାରରେ ଶାଢ଼ିଠାରୁ ଆରମ୍ଭ କରି ଗାଡ଼ି ପର୍ଯ୍ୟନ୍ତ ସବୁ କିଛିର ବିକ୍ରି ବଢ଼ିଛି। ଜୋତା, ପ୍ରସାଧନ ସାମଗ୍ରୀ, ଟିଭି, ଫ୍ରିଜ୍, ୱାସିଂ ମେସିନ୍ ଓ ଗହଣା ଆଦି ମଧ୍ୟ ଅଧିକ ବିକ୍ରି ହେଉଛି। ଗତ ୧୫ ଦିନ ଭିତରେ ବଜାର ବେଶ ଚଳଚଞ୍ଚଳ ହୋଇପଡ଼ିଛି। ୧୫ ବର୍ଷରୁ ୩୫ ବର୍ଷର ଲୋକମାନେ ଅଧିକ ସଂଖ୍ୟାରେ ପୋଷାକ କିଣୁଛନ୍ତି। ଯୁବପିଢ଼ିଙ୍କ ପସନ୍ଦ ହେଉଛି ମୋବାଇଲ୍‌ ଫୋନ୍‌। ଏଥର ମୋବାଇଲ୍‌ କିଣିବାରେ ଗ୍ରାହକମାନେ ହାରାହାରି ୧୫,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। କିଛିମାସ ହେଲା ଅନେକ କାରଣରୁ ଲୋକମାନେ କିଣାକିଣି କରି ନଥିଲେ। ସେମାନେ ପାର୍ବଣ ସମୟକୁ ଅପେକ୍ଷା କରିଥିଲେ। ଏବେ ପାର୍ବଣ ଆରମ୍ଭ ହୋଇଯାଇଛି। ‌ଦୁର୍ଗାପୂଜା ପରେ ଧନତେରସ୍‌, ଦୀପାବଳି ଆସିବ। ଏହାପରେ ବିବାହ ଋତୁ ଏବଂ ଜନ୍ମାଷ୍ମମୀ ଆସିବ। ତେଣୁ ଲୋକମାନେ ବର୍ତ୍ତମାନର ଏବଂ ଆଗାମୀ ଦିନର ଆବଶ୍ୟକତା ପୂରଣକୁ ଆଖିରେ ରଖି କିଣାକିଣି କରୁଛନ୍ତି। ବହୁ ଲୋକଙ୍କ ପାଖରେ କ୍ରେଡିଟ୍‌ କାର୍ଡ ପହଞ୍ଚିଥିବାରୁ ‌କାର୍ଡ ଓ ଇଏମ୍‌ଆଇରେ ମଧ୍ୟ ଅଧିକ କିଣାକିଣି ହେଉଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି କଂପାନି ଓ ସୋ’ରୁମ୍‌ଗୁଡ଼ିକ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି।

ପୁରୁଷ କିଣୁଛନ୍ତି ଜିନ୍ସ, ଟି-ସାର୍ଟ; ମହିଳା ନେଉଛନ୍ତି ପ୍ଲାଜୋ, ଶାଢ଼ି

 ଚଳିତ ବର୍ଷ ପୂଜାରେ ଯଦି କୌଣସି କ୍ଷେତ୍ର ଅଧିକ ଚଳଚଞ୍ଚଳ ହୋଇଥିବା କୁହାଯିବ ତେବେ ତାହା ହେଉଛି ପୋଷାକ ବଜାର। ଛୋଟ ବଡ଼ ସବୁ ପ୍ରକାର ପୋଷାକ ‌ଦୋକାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ସବୁ ବର୍ଗର ଲୋକମାନଙ୍କ ଲାଗି ପୋଷାକ କିଣା ହେଉଛି। ପୁରୁଷମାନେ ଜିନ୍ସ, ଟି-ସାର୍ଟ ଅଧିକ କିଣୁଥିବା ବେଳେ ଯୁବତୀମାନେ କିଣୁଛନ୍ତି ପ୍ଲାଜୋ, କୁର୍ତି, ଗାଉନ୍ ଓ ସାଲ୍‌ୱାର ସୁଟ୍‌। ଛୋଟ ପିଲାଙ୍କ ପାଇଁ ପାର୍ଟିଓୟାର ଫ୍ରକ୍, ଜ୍ୟାକେଟ୍‌ ଡ୍ରେସ୍‌ ଓ ଅଳ୍ପ କାମ ହୋଇଥିବା ପୋଷାକ ଓ କଟନ ପୋଷାକ ଅଧିକ ବିକ୍ରି ହେଉଛି।

ପୂଜା ବଜାର ସମ୍ପର୍କରେ ଶ୍ରୀଦୁର୍ଗାର ନିର୍ଦ୍ଦେଶକ ତିରୁମଲ କୁମାର କହିଛନ୍ତି ଯେ ୧୫ ଦିନ ପୂର୍ବରୁ ଦୋକାନଗୁଡ଼ିକରେ ଭିଡ଼ ଆରମ୍ଭ ହୋଇଯାଇଛି। କିଣାକିଣି କରିବାକୁ ଆସୁଥିବା ‌ଲୋକମାନେ ପ୍ରଥମେ ଛୋଟ ପିଲାଙ୍କ ଲାଗି କିଣିବା ପରେ ମହିଳା ଓ ତା’ପରେ ପୁରୁଷମାନଙ୍କ ଲାଗି ଜିନିଷ କିଣୁଛନ୍ତି। ମହିଳାମାନଙ୍କ ପାଇଁ ଶାଢ଼ି ଅଧିକ ବିକ୍ରି ହେଉଛି। ଶାଢ଼ିରେ ଡିଜାଇନର ଶାଢ଼ି, ସିଲ୍କ ଶାଢ଼ି ଓ ହାଲୁକା ତଥା କମ୍ କାମ ହୋଇଥିବା ଶାଢ଼ି ଅଧିକ ବିକ୍ରି ହେଉଛି। ବ୍ରାଣ୍ଡେଡ୍‌ ଶାଢ଼ିର ମଧ୍ୟ ଚାହିଦା ରହିଛି। ଯୁବତୀମାନେ ପ୍ଲାଜୋ ସେଟ୍ ଅଧିକ କିଣୁଛନ୍ତି। ଏହା ବ୍ୟତୀତ କୁର୍ତି, ଗାଉନ ଓ ସାଲ୍‌ୱାର୍‌ ସୁଟ୍‌ ବି ଭଲ ବିକ୍ରି ହେଉଛି। ପୁଅ ପିଲାମାନେ ଅଧିକ ଟି-ସାର୍ଟ କିଣୁଛନ୍ତି। ଏଥି ସହିତ ବ୍ରାଣ୍ଡେଡ୍‌ କଂପାନିଗୁଡ଼ିକର ଯେଉଁ ଅଫର ରହିଛି ତାହାର ଲାଭ ନେଇ ମଧ୍ୟ ଜିନ୍ସ, ପ୍ୟାଣ୍ଟ୍‌, ସାର୍ଟ ଆଦି କିଣୁଛନ୍ତି। ଏଥର ଲାଇକ୍ରା ପ୍ୟାଣ୍ଟ୍‌ ମଧ୍ୟ ଅଧିକ ବିକ୍ରି ହେଉଛି ଯାହା‌ ହେଉଛି ପ୍ୟାଣ୍ଟ ଓ ଟ୍ରାଉଜରର ଏକ ସମିଶ୍ରଣ। ଚଳିତ ବର୍ଷ ପୁଅ ପିଲାମାନଙ୍କ କୁର୍ତା ପାଇଜାମା ବିକ୍ରି ବଢ଼ିଛି। ପୂର୍ବରୁ ପୂଜାରେ ସେସବୁ ସାମଗ୍ରୀର ଚାହିଦା ଏତେ ଅଧିକ ରହୁନଥିଲା। ମାତ୍ର ଲୋକମାନେ ନିଜ ପରମ୍ପରାକୁ ଗୁରୁତ୍ବ ଦେବା ଆରମ୍ଭ କରିଥିବାରୁ ଏଥନିକ୍ ଓୟାର ବିକ୍ରି ବଢ଼ିଛି। ପୂଜା ପାଇଁ ଷ୍ଟୋର୍‌ରେ ୩ ଗୁଣା ଅଧିକ ଭିଡ଼ ହେଉଛି ବୋଲି ଶ୍ରୀ କୁମାର କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button