ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିଶନ ସିଂ ବେଦୀଙ୍କ ପରଲୋକ – Utkal Mail
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିଶନ ସିଂହ ବେଦୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା ଏବଂ ସେ ଗତ ଶତାବ୍ଦୀରେ ଟିମ୍ ଇଣ୍ଡିଆର ସର୍ବଶ୍ରେଷ୍ଠ ସ୍ପିନର ଥିଲେ । ତାଙ୍କ ମୃତ୍ୟୁରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁର ଶୋକ ପ୍ରକାଶ କରିଛନ୍ତି ।
ବିଶନ ସିଂହ ୨୫ ସେପ୍ଟେମ୍ବର ୧୯୪୬ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ୧୯୬୬ମସିହାରେ ଭାରତ ପାଇଁ ଟେଷ୍ଟ ପଦାର୍ପଣ କରିଥିବା ବିଶନ ସିଂହ ବେଦୀ ପରବର୍ତ୍ତୀ ୧୩ ବର୍ଷ ପାଇଁ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ବଡ଼ ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇଥିଲେ। ୧୯୭୯ରେ ଅବସର ନେବା ପୂର୍ବରୁ ବିଶନ ସିଂହ ବେଦୀ ୬୭ ଟେଷ୍ଟ ମ୍ୟାଚ୍ ଖେଳି ୨୮.୭୧ ହାରରେ ୨୬୬ ୱିକେଟ୍ ଅକ୍ତିଆର କରିଥିଲେ। ଏହି ସମୟରେ ସେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ନେଇଥିଲେ।
ବୋଲିଂ ବ୍ୟତୀତ ବିଶନ ସିଂହ ବେଦୀଙ୍କ ପାଖରେ ନେତୃତ୍ୱ ଦକ୍ଷତା ମଧ୍ୟ ଥିଲା। ୧୯୭୬ରେ ବିଶନ ସିଂହ ବେଦୀଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ କରାଯାଇଥିଲା ଏବଂ ସେ ୧୯୭୮ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ। ବିଶନ ସିଂ ବେଦୀ ଜଣେ ଭଲ ଅଧିନାୟକ ଭାବରେ ଜଣାଶୁଣା ଥିଲେ ଯିଏ ଦଳରେ ଲଢୁଆ ଦକ୍ଷତା ସୃଷ୍ଟି କରିଥିଲେ ଏବଂ ଶୃଙ୍ଖଳାରେ ନୂତନ ମାନଦଣ୍ଡ ସ୍ଥାପିତ କରିଥିଲେ । ଅଧିନାୟକ ଭାବେ ବିଶନ ସିଂହ ବେଦୀ ୧୯୭୬ରେ ତତ୍କାଳୀନ ଶକ୍ତିଶାଳୀ ଦଳ ୱେଷ୍ଟଇଣ୍ଡିଜକୁ ସେମାନଙ୍କ ମାଟିରେ ହରାଇଥିଲେ ।


