ନୀତି

ସାବାସ୍‌ ସୁକନ୍ୟା : ସାହସୀ ସିଲ୍‌କା ସଲୋନୀ, ଜୀବଜନ୍ତୁଙ୍କ ନୂଆ ଜୀବନଦାତ୍ରୀ ଦିବ୍ୟାରାଣୀ – Utkal Mail


ଟିକେ ନିଆରା ତାଙ୍କ ରୁଚି, ଅନ୍ୟ ଝିଅମାନଙ୍କ ପରି ସାପକୁ ନ ଡରି ସେ ଶିଖିଛନ୍ତି ସାପଧରାର କୌଶଳ। ବିଷଧରକୁ ବଶ କରି ଜଙ୍ଗଲରେ ଛାଡ଼ନ୍ତି। ସଚେତନତାର ବାର୍ତ୍ତା ଦିଅନ୍ତି ସିଲ୍‌କା। ଏପଟେ ସ୍କୁଟି ଅଟକିଯାଏ ଦିବ୍ୟାଙ୍କର ବାଟଘାଟରେ ଅସୁସ୍ଥ, କ୍ଷତାକ୍ତ ପଶୁଟିଏ ଦେଖିଲେ। କେମିତି ତାକୁ ସୁସ୍ଥ କରିବେ ସେଇ ପ୍ରୟାସରେ ହେଳା କରନ୍ତିନି ସିଏ। ମୂକ ପଶୁଙ୍କ ପ୍ରତି ଏହି କରୁଣା ଓ ସ୍ନେହ ଅନ୍ୟମାନଙ୍କଠୁ ଭିନ୍ନ କରିଛି ତାଙ୍କୁ।

ସାହସୀ ସିଲ୍‌କା ସଲୋନୀ

ସାପ ନାଁ ଶୁଣିଲା ମାତ୍ରେ ଆମେ ଦୁଇପାଦ ପଛକୁ ଘୁଞ୍ଚିଯାଉ। ଛାତିରେ ଛନକା ପଶିଯାଉଥିବା ବେଳେ ପାଟିରେ ରାମ ରାମ ଗୁଣଗୁଣାଉ। କୋଉଠୁ ବାହାରିଲା ବୋଲି ଗୋଡ଼ହାତ ଥରିବା ଆରମ୍ଭ ହୋଇଯାଏ। କିନ୍ତୁ ଏମିତି ଜାଗାରେ ଜଣେ ଯୁବତୀଙ୍କ ପେସା ହେଉଛି ସାପ ଧରିବା। ଭୟକୁ କାବୁ କରି ସାହସର ନିଦର୍ଶନ ଦେଖାଇ ସାପ ଭଳି ଭୟଙ୍କର ଜୀବକୁ ଧରିବାକୁ ଆଗେଇ ଆସନ୍ତି ସବୁ ସମୟରେ। ଏହି ଯୁବତୀ ହେଉଛନ୍ତି ଅନୁଗୁଳ ଜିଲ୍ଲା ସେମସୁରପଡ଼ାର ସିଲ୍‌କା ସଲୋନୀ। ବର୍ତ୍ତମାନ ସେ ଏକ ଖବରକାଗଜରେ ସାମ୍ବାଦିକତା କରୁଛନ୍ତି। ଏହା ସହିତ ପ୍ରତିଟି ମୁହୂର୍ତ୍ତରେ ନିଜର ପେସାକୁ ସମ୍ମାନ ଦେଇ ଆସୁଛନ୍ତି। ମାତ୍ର ୨୬ ବର୍ଷରେ ସଲୋନୀ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ସାପ ଧରିଲେଣି। ତାଙ୍କ ଭାଷାରେ, ଛୋଟବେଳେ ସାପକୁ ଦେଖିଲେ ଡରିଯାଏ। କିନ୍ତୁ ବାପା ଓ ବଡ଼ ଭାଇଙ୍କୁ ସାପ ଧରିବା ଦେଖି ଏଭଳି ଦୁଃସାହସିକ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିଛି ବୋଲି ସିଲ୍‌କା କହନ୍ତି। ଆଜି ପର୍ଯ୍ୟନ୍ତ ବୋଡ଼ା, ଢମଣା, ରଣା, ଅହିରାଜ, ଅଜଗର, ନାଗସାପଙ୍କଠାରୁ ଆରମ୍ଭ କରି ଅନେକ ବିଷଧର ସାପ ଧରି ସାରିଲେଣି। ଅନୁଗୁଳ ସମେତ ଭୁବନେଶ୍ବରରେ ମଧ୍ୟ ବହୁ ସ୍ଥାନରେ ସାପ ଉଦ୍ଧାର କାର୍ଯ୍ୟକ୍ରମ କରିଛନ୍ତି। ‌ତା’ପରେ ସ୍ନେକ୍‌ ହେଲ୍‌ପ ଲାଇନ୍‌ରେ ଯୋଗଦେଇ ସେ ସାପ ଧରିବାର ବିଭିନ୍ନ କୌଶଳ ଓ ଯନ୍ତ୍ରପାତି ବିଷୟରେ ପ୍ରବୀଣା ହୋଇଛନ୍ତି।

ତାଙ୍କର ଏହି ବୃତ୍ତିକୁ ନେଇ ସେ କୁହନ୍ତି, ସାପ ଦେଖିଲେ କାହାକୁ ବା ଭୟ ନ ଲାଗେ? ମତେ ବି ଲାଗେ। କିନ୍ତୁ ମଁୁ ଡରି ନଯାଇ ଉପସ୍ଥିତ ବୁଦ୍ଧିବଳରେ ଏହାର ସାମନା କରେ ଆଉ ସେମାନଙ୍କୁ ଧରି ଜଙ୍ଗଲରେ ଛାଡ଼ିଦିଏ। ସାପ ଧରୁଥିବା ଲୋକଙ୍କୁ ହିଁ ଅଧିକ ସାପ କାମୁଡ଼ିଥାଏ। ସେଥିପାଇଁ ଆମେ ମୋଟା ଗ୍ଲୋଭ୍‌ସ ପିନ୍ଧିଥାଉ। ହାତରେ ବାଡ଼ି, ଆଙ୍କୁଡ଼ା, ବ୍ୟାଗ୍‌, ଜୋତା ଆଦିକୁ ସାଙ୍ଗରେ ଧରିଥାଉ। ମନରେ ଡର ତ ଥାଏ କିନ୍ତୁ ଧରିବାର କୌଶଳ ଯଦି ଠିକ୍‌ ଅଛି ଜଣେ ଆରାମରେ ସାପ ଧରିପାରିବ। ତେବେ କୌଣସି କାରଣରୁ ସାପ ଯଦି ହଠାତ୍‌ କାମୁଡ଼ିଦିଏ ତେବେ ସେହି ବ୍ୟକ୍ତିର ପ୍ରଥମେ ହାତ ଓ ଗୋଡ଼କୁ ସିଧା ରଖିବା, କାମୁଡ଼ିଥିବା ସ୍ଥାନର ଗୋଟେ ଆଙ୍ଗୁଳି ଉପରେ କପଡ଼ା ଗୁଡ଼େଇ ଦେବା। ଜୋର୍‌ରେ ବାନ୍ଧିଦେବା ଦ୍ବାରା ସେହି ସ୍ଥାନର ଟିସୁ ନଷ୍ଟ ହୋଇଯାଇଥାଏ। କ୍ଷତରେ ବ୍ଲେଡ୍‌, ଛୁରୀ କିମ୍ବା ପାଣି ମାରିବା ନାହିଁ। ବ୍ୟକ୍ତିଟିକୁ ସେହି ସମୟରେ ପାଣି କିମ୍ବା ଖାଦ୍ୟ କିଛି ଦେବାନାହିଁ। ଯେତେଶୀଘ୍ର ସମ୍ଭବ ଡାକ୍ତରଖାନା ନେଇଗଲେ ରୋଗୀଟି ବଞ୍ଚିଯାଇଥାଏ। ପୁରସ୍କାର ସ୍ବରୂପ ‌ସଲୋନୀଙ୍କୁ ଏପର୍ଯ୍ୟନ୍ତ ବିଜୁପଟ୍ଟନାୟକ ସମ୍ମାନ, କନ୍ୟାରତ୍ନ ସମ୍ମାନ, ଏକ ଦୈନିକ ଖବରକାଗଜ ତରଫରୁ ଦୁହିତା ସମ୍ମାନରେ ସମ୍ମାନିତ କରାଯାଇଛି।

ଜୀବଜନ୍ତୁଙ୍କ ନୂଆ ଜୀବନଦାତ୍ରୀ ଦିବ୍ୟାରାଣୀ

ଅସହାୟକୁ ଦଇବ ସାହା। ଠିକ୍ ଏଭଳି ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହୁଥିବା ଦିବ୍ୟାରାଣୀ ଧର। ପେସାରେ ଜଣେ ବ୍ୟାଙ୍କ୍‌ ଅଧିକାରୀ କିନ୍ତୁ ମନରେ ରହିଛି ଜୀବଜନ୍ତୁଙ୍କ ପ୍ରତି ସ୍ନେହ ମମତା। ଯିଏ ଆହତ ଓ ଅସହାୟ ପଶୁପକ୍ଷୀଙ୍କ ସେବା କରିବା ପାଇଁ ସବୁବେଳେ ତତ୍ପର। ବୁଲା କୁକୁର, ବିଲେଇଙ୍କର ଯଦି କିଛି ଖଣ୍ଡିଆଖାବରା ହୋଇଯାଉଥିଲା ସଙ୍ଗେ ସଙ୍ଗେ ଔଷଧ ଲଗାଇ ଦେଉଥିଲେ। କିନ୍ତୁ ଏହି ଅଭ୍ୟାସ ଶେଷରେ ତାଙ୍କର ନିଶାରେ ପରିଣତ ହୋଇଗଲା। ରାସ୍ତାଘାଟରେ କେଉଁଠି ଗାଡ଼ି ଧକ୍କାରେ କ୍ଷତାକ୍ତ ଗାଈ, ଷଣ୍ଢ, କୁକୁର, ବିଲେଇ ଆଦି ଦେଖିଲେ ତାଙ୍କ ମନ କାନ୍ଦି ଉଠେ ଏବଂ ସେ ତୁରନ୍ତ ସେମାନଙ୍କ ଚିକିତ୍ସା କରନ୍ତି। ତାଙ୍କ ସ୍କୁଟିରେ ଜୀବଜନ୍ତୁଙ୍କ ଆଶୁ ଚିକିତ୍ସା ପାଇଁ ଆବଶ୍ୟକ ଉପକରଣ ସବୁବେଳେ ରଖିଥାନ୍ତି। ଯଦି ଅଧିକରୁ ଅଧିକ କୌଣସି ପଶୁଙ୍କ ଦେହ ଖରାପ ଥାଏ ସେ ତୁରନ୍ତ ସେହି ସ୍କୁଟିରେ ହିଁ ସେମାନଙ୍କୁ ନେଇ ଡାକ୍ତରଖାନା ପହଞ୍ଚି ଯାଆନ୍ତି। ଏବେ ସେ ‘ଗୋସେବା ଧାମ’ ନାମକ ସଂସ୍ଥାରେ ସ୍ୱେଚ୍ଛାସେବୀ ଭାବେ କାମ କରୁଛନ୍ତି। କିଛି ମାସ ତଳେ ଏକ ବାଛୁରିର ମାଆ ମରିଯାଇଥିଲା। ଦିବ୍ୟା ଅନାଥ ବାଛୁରିଟିକୁ ରାସ୍ତାରୁ ଉଠାଇ ଘରକୁ ଆଣିଥିଲେ। ନିଜ ପରିବାରର ସଦସ୍ୟ ଭଳି ଲାଳନପାଳନ କରିଥିଲେ। ବ୍ୟାଙ୍କରୁ କାମ ସାରି ଘରକୁ ଫେରିଲେ ବାଛୁରିଙ୍କ ସହ ସେ ସମୟ ବିତାନ୍ତି।

ଗୋଟିଏ ପଟେ ପଶୁଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ବ୍ୟାଙ୍କ ଅଫିସରଙ୍କ ଏଭଳି ପଶୁପ୍ରେମ ସମାଜକୁ ଏକ ନୂଆ ବାର୍ତ୍ତା ଦେଉଛି। ଏନେଇ ସେ କୁହନ୍ତି, କେବଳ ବାଛୁରି ନୁହେଁ ଅନ୍ୟ କେଉଁ ପଶୁପକ୍ଷୀ ବାହାରେ ବିପଦରେ ପଡ଼ିଥିବା ଦେଖିଲେ ତାକୁ ମଁୁ ନିଜ ଘରକୁ ଆଣି ଯତ୍ନ ନିଏ। ଷଣ୍ଢ କିମ୍ବା ଗାଈଙ୍କର କିଛି ଅସୁବିଧା ଦେଖିଲେ ସଙ୍ଗେସଙ୍ଗେ ସେଠି ରହି ସେମାନଙ୍କର ସେବା କରିଥାଏ। ଯଦି କାବୁ ଭିତରେ ନ ଆସନ୍ତି ତେବେ ପାଖ ଲୋକଙ୍କୁ ଡାକି ସାହାଯ୍ୟ ମାଗେ। ରାସ୍ତାରେ ବୁଲୁଥିବା ପଶୁଙ୍କ ପ୍ରତି ଲୋ‌େକ ଦୟାଶୀଳ ହେବା ଉଚିତ। ଅନେକ ସମୟରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜୀବଜନ୍ତୁଙ୍କ ଜୀବନ ଯାଉଛି। ସେଥିପ୍ରତି ଲୋକେ ସଚେତନ ହେବା ଆବଶ୍ୟକ। ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କୁ ସେବା ଯୋଗାଇଦେବା ଉଚିତ ବୋଲି ଦିବ୍ୟା କୁହନ୍ତି।

ରିପୋର୍ଟ: ପ୍ରଗତି ସାହୁ




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button