ଦେଶ ବିଦେଶ

ମସ୍କ‌ଙ୍କ ପୋଲ୍ ପରେ ଟ୍ବିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ : ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ବିଟର କିଣିବା ପରେ ଟ୍ରମ୍ପଙ୍କ ଉପରୁ କଟକଣା ହଟିବ ବୋଲି ନୂଆ ମାଲିକ ଏଲନ୍ ମସ୍କ ସଙ୍କେତ ଦେଇ ଆସୁଥିଲେ । ତେବେ ଟ୍ୱିଟରକୁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ସିଧାସଳଖ ନୁହେଁ ବରଂ ଭୋଟ୍ ମାଧ୍ୟମରେ ହୋଇଛି। ଏଥିପାଇଁ ମସ୍କ‌ ଟ୍ବିଟରରେ ଏକ ପୋଲ୍ କରିଥିଲେ।

ଏଲନ୍ ମସ୍କ ଶୁକ୍ରବାର ସନ୍ଧ୍ୟାରେ ଟ୍ବିଟରରେ ଏକ ପୋଲ୍ କରି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟରକୁ ଫେରିବା ଉଚିତ କି ନୁହେଁ ବୋଲି ପଚାରିଥିଲେ । ଏଥିପାଇଁ ମସ୍କ ଟ୍ୱିଟର ୟୁଜରଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ। ଏହି ସମୟସୀମା ଶନିବାର ଶେଷ ହେବା ପରେ ମସ୍କ ଟ୍ୱିଟ୍ କରି କହିଛନ୍ତି, “ଲୋକେ ସେମାନଙ୍କ ଉତ୍ତର ଦେଇସାରିଛନ୍ତି । ଟ୍ରମ୍ପଙ୍କ ଆକାଉଣ୍ଟ ଉପରୁ କଟକଣା ହଟିବ। ଭକ୍ସ ପପୁଲି, ଭକ୍ସ ଦେଇ।” ଏହା ଏକ ଲାଟିନ୍ ଶବ୍ଦ, ଯାହାର ଅର୍ଥ ହେଉଛି “ଲୋକଙ୍କ ସ୍ୱର, ଈଶ୍ବରଙ୍କ ସ୍ୱର।” ୨୩୭ ନିୟୁତ ଟ୍ବିଟର ୟୁଜରଙ୍କ ମଧ୍ୟରୁ ଟ୍ରମ୍ପଙ୍କ ପ୍ରୋଫାଇଲକୁ ପୁନର୍ବାହାଲ କରିବାକୁ ୧୫ ମିଲିୟନରୁ ଅଧିକ ଲୋକ ତଥା ୫୧.୮ ପ୍ରତିଶତ ସପକ୍ଷରେ ଭୋଟ୍ ଦେଇଥିଲେ ଏବଂ ୪୮.୨ ପ୍ରତିଶତ ଲୋକ ବିରୋଧ କରିଥିଲେ ।

୬ ଜାନୁଆରୀ ୨୦୨୧ରେ କ୍ୟାପିଟାଲ ହିଲ୍ ହିଂସା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟରରୁ ବ୍ୟାନ୍ କରାଯାଇଥିଲା। ଟ୍ରମ୍ପଙ୍କ ସମର୍ଥକମାନେ ୨୦୨୦ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବିରୋଧ କରି ହିଂସା ଘଟାଇଥିଲେ ‌। ଏଥିରେ ଟ୍ରମ୍ପଙ୍କ ଭୂମିକା ଥିବା ଦର୍ଶାଇ ଟ୍ୱିଟର ତରଫରୁ ତାଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button