ଓଡିଶା

ଜରାଜୀର୍ଣ୍ଣ ଅବସ୍ଥାରେ ଜଟଣୀ ମାର୍କେଟ କମ୍ପ୍ଲେକ୍ସ, ୧୫ ବର୍ଷ ପରେ ପ୍ରଶାସନର ମନେପଡ଼ିଲା

ଟଣୀ, ୦୬/୧୧ : ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଜଟଣୀ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ କରିବାକୁ ବ୍ଲକ ପ୍ରଶାସନ ମନବଳାଇଛି । ୧୫ବର୍ଷ ପରେ ବ୍ଲକ ପ୍ରଶାସନ ମାର୍କେଟ କମ୍ପ୍ଲେକ୍ସକୁ ନବୀକରଣ କରିବାକୁ ନିଷ୍ପତ୍ତି ନେଇଥିବାରୁ ସବୁମହଲରେ ସ୍ୱାଗତ କରାଯାଇଛି । ଜଟଣୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମିତ ହୋଇଛି ମାର୍କେଟ କମ୍ପ୍ଲେକ୍ସ ସଭାଗୃହ ।

ନିର୍ମାଣ ହେବାର ଦୀର୍ଘବର୍ଷ ମଧ୍ୟରେ କେତେ ବିଡିଓ ଆସିଛନ୍ତି ଓ ଯାଇଛନ୍ତି । ହେଲେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ମାର୍କେଟ କମ୍ପ୍ଲେକ୍ସ ଖୋଲିବାକୁ କେହି ସାମାନ୍ୟ ଉଦ୍ୟମ କରିନାହାଁନ୍ତି । ଏତେବର୍ଷ ପରେ ଏବେ ବ୍ଲକ ପ୍ରଶାସନର ନିଦ ଭାଙ୍ଗିବା ସହିତ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ମାର୍କେଟ କମ୍ପ୍ଲେକ୍ସ କେବେ କାର୍ଯ୍ୟକ୍ଷମ ହେବ ତାକୁ ନେଇ ଲୋକେ ଏବେବି ସନ୍ଦେହରେ ଅଛନ୍ତି ।

କମ୍ପ୍ଲେକ୍ସ ମଧ୍ୟରେ ହୋଇଥିବା ଦୋକାନଗୁଡ଼ିକୁ ବେକାର ଯୁବକଯୁବତୀ ବା ଉଠାଦୋକାନୀଙ୍କୁ ପ୍ରଦାନ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ ତଥା ଥଇଥାନ କରିବା ଥିଲା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣର ଉଦ୍ଦେଶ୍ୟ । ୨୦୦୬ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୦୮ରେ ସଂପୂର୍ଣ୍ଣ ହୋଇଥିଲା । ୨୦୦୯ ମସିହାରେ ତତ୍କାଳୀନ ବିଧାୟକ ଏହାର ଉଦ୍ଘାଟନ କରିଥିଲେ । ଏହାକୁ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ଭାବେ ନାମିତ କରାଯାଇଥିଲା । ଏହା ମଧ୍ୟରେ ହୋଇଥିବା ଦୋକାନଗୃହ ନେବାକୁ ସେ ସମୟର ଅନେକ ଯୁବକଯୁବତୀ ଆଗ୍ରହୀ ଥିଲେ । ଏଥିପାଇଁ କିପରି ଆବେଦନ କରିବେ ଓ କେବେ ଏହା କାର୍ଯ୍ୟକ୍ଷମ ହେବ ତାହା ବୁଝିବା ପାଇଁ ବ୍ଲକ କାର୍ଯ୍ୟାଳୟକୁ ଅନେକଥର ଦୌଡ଼ିଥିଲେ । ହେଲେ ଉଦ୍ଘାଟନ ପରଠାରୁ ତାଲା ପଡ଼ି ରହିବାଯୋଗୁଁ ସେମାନେ ନିରାଶ ହୋଇ ଶେଷରେ ନିରବ ରହିଯାଇଥିଲେ । ସରକାରୀ ଅର୍ଥ ବିନିଯୋଗ କରାଯାଇ ହୋଇଥିବା ଏହି କମ୍ପ୍ଲେକ୍ସ କାହିଁକି କାର୍ଯ୍ୟକ୍ଷମ କରାନଯାଇ ଦୀର୍ଘବର୍ଷ ହେବ ତାଲା ପଡ଼ି ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ତା’ର ମଧ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏପରି ଅବସ୍ଥାରେ ଦୀର୍ଘବର୍ଷ ପଡ଼ିରହିବା ଦ୍ୱାରା କମ୍ପ୍ଲେକ୍ସ ପରିସର ଅସାମାଜିକ ଓ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି । ଦୀର୍ଘବର୍ଷ ପରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ବ୍ଲକ ପ୍ରଶାସନ ଅଣ୍ଟାଭିଡିଛି ।

ପ୍ରାରମ୍ଭିକ ପ୍ରକ୍ରିୟା ସ୍ୱରୂପ ବ୍ଲକ ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ନୋଟିସ୍ ଜାରି କରାଯାଇଛି । ଏହି ମାର୍କେଟ କମ୍ପ୍ଲେକ୍ସ ଖୋଲିବାକୁ ବ୍ଲକ ପ୍ରଶାସନ ନିଷ୍ପତ୍ତି ନେଇଛି । ଯଦି ଏ ବାବଦରେ କାହାର କିଛି ଦାବି ଅଥବା ଆପତ୍ତି ଅଭିଯୋଗ ଥାଏ ୧୫ଦିନ ମଧ୍ୟରେ ବ୍ଲକରେ ଲିଖିତ ଭାବେ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ ରହିଛି । ବିଡିଓ ରଶ୍ମିତା ନାଥ କହନ୍ତି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣରେ ସେ ସମୟରେ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବିଧାୟକ ଓ ସାଂସଦ ପାଣ୍ଠି ସହିତ ବ୍ଲକର ସ୍ୱତନ୍ତ୍ର ପାଣ୍ଠି (ଏସପିଏଫ୍)ରୁ ଅର୍ଥ ବିନିଯୋଗ ହୋଇଛି । ନୋଟିସରେ ନିର୍ଦ୍ଧାରିତ ୧୫ଦିନ ପରେ କାହାର ଆପତ୍ତି ଅଭିଯୋଗ ନଥିଲେ ପୁଲିସ ଉପସ୍ଥିତିରେ ପଡିଥିବା ତାଲା ଭଙ୍ଗାଯାଇ ଏହାର ସ୍ଥିତି ଯାଞ୍ଚ ହେବ । ଆବଶ୍ୟକ ପଡିଲେ ଏହାର ନବୀକରଣ କରାଯିବ । ପରେ ଉପଯୁକ୍ତ ବ୍ୟକ୍ତିଙ୍କୁ ଦୋକାନଗୃହ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବିଡିଓ ରଶ୍ମିତା ନାଥ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button