କ୍ରାଇମ

ମଇଁଷି ଦେହରେ ଗାଡ଼ି ଧକ୍କା କରିଦେବାରୁ ୧୬ବର୍ଷୀୟ ବାଳକକୁ ପିଟି ପିଟି ହତ୍ୟା – Utkal Mail


ଦୁମକା: ମଇଁଷି ଦେହରେ ଗାଡ଼ି ଧକ୍କା କରିଦେବାରୁ ୧୬ବର୍ଷୀୟ ବାଳକକୁ ପିଟି ପିଟି ହତ୍ୟା। ଝାଡଖଣ୍ଡର ଦୁମକ‌ାରେ ଘଟିଛି ଏହି ହୃଦୟଥରା ଘଟଣା। ପୁଲିସ ଏକ ମାମଲା ରୁଜୁ କରି ଘଟଣା ସହ ସମ୍ପୃକ୍ତ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି। ଦୁଇ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛି।

ସୂଚନାନୁସାରେ, ଏହି ଘଟଣା ହଂସଡିହା ପୁଲିସ ଷ୍ଟେସନ ଅଞ୍ଚଳର ଠାଠୀ ଗ୍ରାମରେ ଘଟିଛି। ପୁଲିସର କହିବା ମୁତାବକ, ଟୋଲାର କୁରମାହାଟରେ ରହୁଥିବା ଜଣେ ୧୬ବର୍ଷର ବାଳକ ଏକ ଫୁଟବଲ ମ୍ୟାଚ୍ ଦେଖିବା ପରେ ୨ଜଣ ସାଙ୍ଗଙ୍କ ସହ ମୋଟରସାଇକେଲରେ ଘରକୁ ଫେରୁଥିଲା। ଏହି ସମୟରେ ତାଙ୍କ ବାଇକ୍ ରାସ୍ତାରେ ଯାଉଥିବା ଏକ ମଇଁଷି ସହିତ ଧକ୍କା ଖାଇଥିଲା। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ବହୁତ ରାଗି ଯାଇଥିଲେ।

ଏହା ପରେ ମୃତକଙ୍କ ସହ ମଇଁଷି ଚରାଉଥିବା ଲୋକମାନେ ଝଗଡ଼ା ଆରମ୍ଭ କରିଥିଲେ। ଝଗଡ଼ା ବଢ଼ୁଥିବା ଦେଖି ମୃତକ ମଇଁଷିର ମାଲିକକୁ କ୍ଷତିପୂରଣ ଦେବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ୪ଜଣ ଯୁବକ ଏଥିରେ ରାଜି ନହୋଇ ମୃତକଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ମୃତକଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପରେ ପରିବାର ଲୋକେ ନ୍ୟାୟ ମାଗି ମୃତଦେହକୁ ରାସ୍ତାରେ ରଖି ରାସ୍ତାରୋକ କରିଥିଲେ। ପରିସ୍ଥିତିକୁ ଦେଖି ପୁଲିସ ୨ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତାରୁ ହଟିଥିଲେ ପରିବାର ଲୋକେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button