ନୀତି

ବିଦେଶୀ ସଂସଦରେ ମହିଳା ସଂରକ୍ଷଣ : ପୂର୍ବ ଆଫ୍ରିକୀୟ ଦେଶ ରୁଆଣ୍ଡା ସବୁଠୁ ଆଗରେ – Utkal Mail


ନୂଆଦିଲ୍ଲୀ: ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇଗଲା। ଯଦିଓ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୯ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଏହାପରେ ଭାରତୀୟ ସଂସଦରେ ମହିଳା ପ୍ରତିନିଧିତ୍ବ ବଢ଼ିବ ବୋଲି ଆଶା କରାଯାଉଛି। ସଂସଦରେ ମହିଳାଙ୍କୁ ଉପଯୁକ୍ତ ପ୍ରତିନିଧିତ୍ବ ଦେବା ପାଇଁ ଯେଉଁ ବ୍ୟବସ୍ଥା ଭାରତ ଆଜି କରୁଛି ଅନେକ ଦେଶ ପୂର୍ବରୁ କରି ସାରିଛନ୍ତି।

ରୁଆଣ୍ଡା(୨୦୦୩): ସ୍ବିଡେନ, ଆୟାରଲାଣ୍ଡ, ନ୍ୟୁଜିଲାଣ୍ଡ ଭଳି ଦେଶରେ ମହିଳାଙ୍କୁ ପ୍ରଥମେ ରାଜନୈତିକ ଅଧିକାର ମିଳିଛି। ସଂସଦରେ ରୁଆଣ୍ଡାରେ ୬୧ ପ୍ରତିଶତ ମହିଳାଙ୍କ ଯେଉଁ ଭାଗୀଦାରି ରହିଛି। ବିଶ୍ବର ଅନ୍ୟ କୌଣସି ସ୍ଥାନରେ ନାହିଁ। ୨୦୦୩ ମସିହାରେ ରୁଆଣ୍ଡାରେ କାର୍ଯ୍ୟକାରୀ ହୋଇଥିବା ସମ୍ବିଧାନ ଅନୁଯାୟୀ, ସଂସଦ ଏବଂ ଅନ୍ୟାନ୍ୟ ନିଷ୍ପତ୍ତିକାରୀ ପରିଷଦରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏଥିଯୋଗୁ ବିଶ୍ବ ରାଜନୀତିରେ ରୁଆଣ୍ଡା ମହିଳା ରାଜନେତାଙ୍କ ବିଶେଷ ଛାପ ଦେଖିବାକୁ ମିଳେ।

ଜର୍ମାନୀ(୨୦୦୨): ୨୦୦୨ ମସିହାରେ ଜର୍ମାନର କର୍ପୋରେଟ ବୋର୍ଡରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏଥିଯୋଗୁ ଜାତୀୟ ଉଦ୍ୟୋଗ ସଂସ୍ଥାର ବୋର୍ଡରେ ମହିଳାଙ୍କ ପାଇଁ ୩୦% ପ୍ରତିନିଧିତ୍ବ ରହିଛି। କର୍ପୋରେଟ ସଂସ୍ଥାରେ ଲିଙ୍ଗଗତ ସମାନତା ସୃଷ୍ଟି କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଆଫଗାନିସ୍ତାନ(୨୦୦୩): ଆଜି ତାଲିବାନ ଶାସନ କାଳରେ ମହିଳାଙ୍କୁ ସର୍ବାଧିକ ଅପମାନିତ ହେବାକୁ ପଡ଼ୁଛି। ଦ୍ବିତୀୟ ପର୍ଯ୍ୟାୟ ତାଲିବାନ ଶାସନ ପୂର୍ବରୁ ୨୦୦୪ ମସିହାରେ ଆଫଗାନିସ୍ତାନରେ ରାଷ୍ଟ୍ରପତି ଏବଂ ୨୦୦୫ ମସିହାରେ ସଂସଦ ନିର୍ବାଚନ ହୋଇଥିଲା। ସଂସଦ ନିର୍ବାଚନରେ ମହିଳାଙ୍କୁ ୨୭% ପ୍ରତିନିଧିତ୍ବ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଥିଲା। ଏଥିଯୋଗୁଁ ଅନେକ ମହିଳା ରାଜନୀତିକୁ ଆସିପାରିଥିଲେ।

ୟୁରୋପୀୟ ସଂଘ(୨୦୦୦): ୨୦୦୦ ମସିହାର ପ୍ରାଥମିକ ପର୍ଯ୍ୟାୟରୁ ହିଁ ବିଭିନ୍ନ କ୍ଷେତ୍ରରେ ୟୁରୋପ ସଂଘ ଲିଙ୍ଗଗତ ପ୍ରତିନିଧିତ୍ବକୁ ଗୁରୁତ୍ବ ଦେଇ ଆସିଛି। ନିର୍ବାଚନରେ ପ୍ରାର୍ଥୀ ତାଲିକା ଘୋଷଣା ସମୟରୁ ହିଁ ଉଭୟ ମହିଳା ଓ ପୁରୁଷଙ୍କୁ ସମାନ ଭାବେ ଗୁରୁତ୍ବ ଦିଆଯାଏ।

ନରୱେ(୨୦୦୩): ଲିଙ୍ଗଗତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନରୱେ ଏକ ଉଦାହରଣ। ଏଠାରେ ୧୯୧୩ ମସିହାରୁ ମହିଳାଙ୍କୁ ଭୋଟଦାନର ଅଧିକାର ମିଳିଛି। ଏଠାକାର ରାଜନୈତିକ ସଂସ୍କୃତି ଏଭଳି ଯେ ପ୍ରାର୍ଥୀ ଚୟନ ସମୟରୁ ହିଁ ଉଭୟ ମହିଳା ଓ ପୁରୁଷଙ୍କୁ ସମାନ ଭାବେ ପ୍ରତିନିଧିତ୍ବର ସ୍ବାଭାବିକ ବ୍ୟବସ୍ଥା ରହିଛି। ତେଣୁ ସଂସଦରେ ଏଥିପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ନଥାଏ। ୨୦୦୩ ମସିହାରେ ଏଠାରେ ପବ୍ଲିକ ଲିମିଟେଡ କମ୍ପାନିର ବୋର୍ଡରେ ୪୦ ପ୍ରତିଶତ ମହିଳାଙ୍କୁ ସଦସ୍ୟ ଭାବରେ ରଖିବା ପାଇଁ ଆଇନ ଅନୁମୋଦନ ରହିଛି। କର୍ପୋରେଟ ପରିଚାଳନା ପରିଷଦରେ ମହିଳାଙ୍କ ଭାଗୀଦାରି ବଢିଛି।

ଦକ୍ଷିଣ ଆଫ୍ରିକା(୧୯୯୦ ଏବଂ ୨୦୦୦): ରାଜନୈତିକ ପ୍ରତିଷ୍ଠାନରେ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ୧୯୯୦ ଏବଂ ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକାରେ ବିଭିନ୍ନ ପ୍ରକାର ନୀତି ଗ୍ରହଣ କରାଯାଇଛି। ଏଥିଯୋଗୁଁ ଦୀର୍ଘ ବର୍ଷ ଧରି ରହିଥିବା ଲିଙ୍ଗଗତ ଭେଦ ଦୂର ପାଇଁ ପଦକ୍ଷେପ ଗ୍ରହଣ ହୋଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button