ମନୋରଞ୍ଜନ

ପାକିସ୍ତାନୀ କଳାକାରଙ୍କ ଅପେକ୍ଷାରେ ଭାରତୀୟ ପ୍ରଶଂସକ – Utkal Mail


ପାକିସ୍ତାନ ସହ ଭାରତର ବୈଦେଶିକ ସମ୍ପର୍କ ତିକ୍ତ ରହିବା କାରଣରୁ ସାତ ବର୍ଷ ହେଲା ପାକିସ୍ତାନୀ କଳାକାରଙ୍କୁ ଭାରତୀୟ ମନୋରଂଜନ ଶିଳ୍ପରେ ଏକପ୍ରକାର ନିଷିଦ୍ଧ କରିଦିଆଯାଇଥିଲା। ଏହି ନିଷେଧାଦେଶକୁ ଜାରି ରଖିବା ଲାଗି କରାଯାଇଥିବା ଏକ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇ ଭାରତୀୟଙ୍କ ଗହଣରେ ଖୁବ୍ ଲୋକପ୍ରିୟ ହୋଇଥିବା ପାକିସ୍ତାନୀ କଳାକାରମାନଙ୍କ ପାଇଁ ବଲିଉଡ୍‌ର ଦ୍ବାର ପୁଣି ଖୋଲି ଦେଇଛନ୍ତି। ତେଣୁ ପ୍ରଶଂସକମାନେ ପୁଣି ଥରେ ମାହିରା ଖାଁ, ଆତିଫ ଅସଲମ, ରାହତ ଫତେ ଅଲୀ ଖାଁଙ୍କ ଭଳି କଳାକାରଙ୍କୁ ହିନ୍ଦୀ ମନୋରଂଜନ ଶିଳ୍ପରେ ଦେଖିବା ଲାଗି ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି।

ଭାରତରେ ଲୋକପ୍ରିୟ ପାକିସ୍ତାନୀ କଳାକାରଙ୍କ ତାଲିକାରେ ସର୍ବାଗ୍ରେ ଅଛନ୍ତି ଅଭିନେତା, ଗାୟକ ଓ ମଡେଲ୍ ଫଵାଦ ଖାଁ। ନିଜର ଆକର୍ଷଣୀୟ ରୂପ, ଦକ୍ଷତା ଓ ବ୍ୟକ୍ତିତ୍ବ ଯୋଗୁଁ ଫଵାଦ ଅନେକଙ୍କ ମନରେ ବସା ବାନ୍ଧି ରହିଛନ୍ତି। ସେ ସୋନମ କପୁରଙ୍କ ସହ ‘ଖୁବସୁରତ’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ପଦାର୍ପଣ କରିଥିଲେ। ସେହିପରି ମାହିରା ଖାଁ ଭାରତୀୟ ଦର୍ଶକଙ୍କ ଗହଣରେ ବେଶ୍‌ ଆଦୃତ। ‘ରଇସ୍‌’ ଚଳଚ୍ଚିତ୍ରରେ ଶାହରୁଖଙ୍କ ସହିତ ରୋମାନ୍‌ସ କରିବା ପରେ ମାହିରା ଆମ ଦେଶରେ ଏକ ସୁପରିଚିତ ଚେହେରା ପାଲଟିଥିଲେ। ତାଙ୍କର ମଧ୍ୟ ଏକ ଉତ୍ସର୍ଗୀକୃତ ଅନୁଗାମୀ ଗୋଷ୍ଠୀ ରହିଛି। କଣ୍ଠଶିଳ୍ପୀ ଆତିଫ ଅସଲମଙ୍କ ଗୀତଗୁଡ଼ିକ ଯୁବପିଢ଼ି ଗହଣରେ ଖୁବ୍ ଲୋକପ୍ରିୟ। କେତେକ ପାକିସ୍ତାନୀ ଧାରାବାହିକରେ ସେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିସାରିଛନ୍ତି। ଆତିଫଙ୍କ ପ୍ରତ୍ୟାବର୍ତ୍ତନକୁ ତାଙ୍କ ପ୍ରଶଂସକମାନେ ନିଶ୍ଚିତ ଭାବେ ଅପେକ୍ଷା କରିଛନ୍ତି।

ଅଲୀ ଜାଫର ଆଉ ଜଣେ ତାରକା ଯିଏ ଚମତ୍କାର ଅଭିନୟ ଓ ସୁମଧୁର କଣ୍ଠ ପାଇଁ ଭାରତରେ ପ୍ରସିଦ୍ଧ। ‘ମେରେ ବ୍ରଦର କି ଦୁଲହନ’ ଓ ‘କିଲ୍ ଦିଲ୍’ ଭଳି ବଲିଉଡ୍‌ ସିନେମାରେ ଅଭିନୟ କରି ଅଲୀ ଦର୍ଶକଙ୍କ ମନରେ ଗଭୀର ଛାପ ସୃଷ୍ଟି କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ତାଜା ଅଛି। ଭାରତର କିଂବଦନ୍ତି ଅଭିନେତା ଇରଫାନ ଖାଁଙ୍କ ସହିତ ‘ହିନ୍ଦୀ ମିଡିଅମ୍’ ଚଳଚ୍ଚିତ୍ରରେ ଅଭିନୟ କରି ପାକିସ୍ତାନର ସବା କମର ଆମ ଦେଶରେ ଅନେକ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ଆଗକୁ ସେ ବଲିଉଡ୍‌ ସିନେମାରେ ଅଧିକ ଦେଖା ଦେବେ ବୋଲି ପ୍ରଶଂସକ ଆଶା କରୁଛନ୍ତି। ଆଉ କେତେ ଜଣ ପାକିସ୍ତାନୀ କଳାକାର ଅଛନ୍ତି ଯେଉଁମାନେ ସାମାଜିକ ଗଣମାଧ୍ୟମ ଯୋଗୁଁ ଭାରତୀୟଙ୍କର ପ୍ରିୟ ହୋଇସାରିଛନ୍ତି। ସେ ଭିତରେ ଅଗ୍ରଣୀ କେତେଜଣ ହେଲେ ଅଭିନେତ୍ରୀ ସାରା ଖାଁ, ଇକ୍ରା ଅଜିଜ୍, ହାନିଆ ଆମିର, ସଂଗୀତଜ୍ଞ ଅଲୀ ସେଠୀ, ସନମ ସଇଦ। ଏମାନେ ମଧ୍ୟ ଭାରତ ଆସି ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ କଳା-ବିନିମୟର ପରମ୍ପରାକୁ ସୁଦୃଢ଼ କରିବେ ବୋଲି ଆଶା କରାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button