ଚୋରି ହୋଇଥିବା ମନିପର୍ସ ଖୋଜୁଖୋଜୁ ମାଙ୍କଡ଼ ସହିତ ଇନ୍ସପେକ୍ଟରଙ୍କ ହେଲା ବନ୍ଧୁତା – Utkal Mail
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦରେ ମନିପର୍ସ ଚୋରି ହେବା ଘଟଣାକୁ କେନ୍ଦ୍ରକରି ଜଣେ ପୁଲିସବାବୁଙ୍କ ମାଙ୍କଡ଼ ସହିତ ବନ୍ଧୁତା ହୋଇଯାଇଛି। ଏହି ଘଟଣାକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ନିଜ କ୍ୟାମେରାରେ ରେକର୍ଡ କରି ନେଇଥିଲେ। ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭିଡିଓ ଭାଇରାଲ ହୋଇଯାଇଛି।
ସୂଚନାଯୋଗ୍ୟ, ଏହି ଘଟଣା ମୁରାଦାବାଦର ଥାନା କଟଘର ଅଞ୍ଚଳରେ ଘଟିଥିଲା। ଏଠାରେ ରାମପୁର ଦୋରାହା ପୁଲିସ ଥାନାର ଇନ୍ସପେକ୍ଟର ଓମ ଶୁକ୍ଳା ଏକ ଘଟଣାର ଯାଞ୍ଚ କରୁଥିଲେ। ଏହି ଘଟଣାଟି ହେଉଛି, ଜଣେ ମହିଳା ତାଙ୍କ ପର୍ସ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କରିଥିବା ମହିଳା ଅନ୍ୟ ଜଣେ ମହିଳାଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଥିଲେ।
ଏହି ଘଟଣାକୁ କେନ୍ଦ୍ରକରି ଓମ ଶୁକ୍ଳା ଯାଞ୍ଚ ପାଇଁ ବାହାରିଥିବା ବେଳେ ଗ୍ରାମ ନିକଟରେ ଥିବା ଏକ ମାଙ୍କଡ଼ ହାତରେ ମହିଳାଙ୍କ ଚୋରି ହୋଇଥିବା ମନିପର୍ସକୁ ଦେଖିବାକୁ ପାଇଥିଲେ। ସେ ପ୍ରଥମେ ମାଙ୍କଡ଼ ଠାରୁ ପର୍ସକୁ ହାତେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ରହିଥିଲେ।
ଏହାପରେ ସେ ଉପସ୍ଥିତ ବୁଦ୍ଧି ଖଟାଇ ମାଙ୍କଡ଼କୁ ବିସ୍କୁଟ ଖାଇବାକୁ ଦେଇଥିଲେ। ବିସ୍କୁଟ ଖାଇବା ପରେ ମାଙ୍କଡ଼ ଆପଣାଛାଏଁ ଇନ୍ସପେକ୍ଟରଙ୍କ ପାଖକୁ ଚାଲିଆସିଥିଲା। ଏହାପରେ ଓମ ଶୁକ୍ଳା ମାଙ୍କଡ଼ ହାତରୁ ମହିଳାଙ୍କ ପର୍ସକୁ ଛଡ଼ାଇ ନେଇଥିଲେ। ଏହି ଘଟଣାପରେ ମାଙ୍କଡ଼ ଇନ୍ସପେକ୍ଟରଙ୍କ ସ୍ନେହରେ ବାନ୍ଧି ହୋଇ ତାଙ୍କ କୋଳରେ ବସି ଗେଲ୍ହା ହୋଇଥିଲା। ମାଙ୍କଡ଼ ଓ ଇନ୍ସପେକ୍ଟରଙ୍କ ଏହି ବନ୍ଧୁତା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।