ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ଇଡି ସମନ – Utkal Mail
ଏହା ଗୁଣ୍ଡାଗିରି: ଅଶୋକ ଗେହଲଟ
ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ କରିଛି। ଫେମା (ବିଦେଶୀ ମୁଦ୍ରା ପରିଚାଳନା ଆଇନ) ଉଲ୍ଲଂଘନ ମାମଲାରେ ଆସନ୍ତାକାଲି ହାଜର ହେବାପାଇଁ ବୈଭବ ଙ୍କୁ ସମନ କରାଯାଇଛି। ରାଜସ୍ଥାନ ବିଧାନସଭା ନିର୍ବାଚନର ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ଏଭଳି ସମନକୁ ରାଜ୍ୟ କଂଗ୍ରେସ ନେତାମାନେ ଜୋରଦାର ବିରୋଧ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବାପା ଅଶୋକ ଗେହଲଟଙ୍କୁ ଟାର୍ଗେଟ୍ କରିବାପାଇଁ ଏହା ଏକ ଉଦ୍ୟମ ବୋଲି ବୈଭବ କହିଛନ୍ତି।
ହଠାତ୍ ଇଡି ସମନ ପଛରେ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ରହିଛି ବୋଲି ଦର୍ଶାଇ ବୈଭବ କହିଛନ୍ତି, ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଛି। ନିର୍ବାଚନ ପୂର୍ବରୁ ଏଭଳି ସ୍ଥିତି ଉପୁଜିବ ବୋଲି ଆମେ ଜାଣିଥିଲୁ। ସେମାନେ ରାଜ୍ୟ ସଭାପତି ଗୋବିନ୍ଦ ଦତସରାଙ୍କ ଘରେ ମଧ୍ୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଚଢ଼ଉ କରିଛନ୍ତି। ମୋ ବାପାଙ୍କୁ ଟାର୍ଗେଟ୍ କରିବାପାଇଁ ସେମାନେ ମତେ ସମନ କରିଛନ୍ତି। ତେବେ ମୁଁ ଇଡିରେ ହାଜର ହେବି ଏବଂ ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିବି ବୋଲି ବୈଭବ କହିଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଅକୁ ଇଡି ସମନ କରିବା ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଏବଂ ବିଜେପି ଉପରେ ବର୍ଷି ଗେହଲଟ କହିଛନ୍ତି, ଏଭଳି ପଦକ୍ଷେପ ହେଉଛି ଗୁଣ୍ଡାଗିରି। ଇଡି ଏକ ଜାତୀୟ ସଂସ୍ଥା। ଏହି ସଂସ୍ଥାର ବିଶ୍ବସନୀୟତା ବଜାୟ ରହିବା ଉଚିତ। ନଚେତ ଅନର୍ଥ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟରେ ଇଡି ମନି ଲଣ୍ଡରିଂ ମାମଲା ଅନ୍ତର୍ଗତ ଫେମା ଅଧୀନରେ ଜୟପୁର, ଉଦୟପୁର, ମୁମ୍ବାଇ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ଏବଂ ଏଥିରେ ବୈଭବଙ୍କ ସଂପୃକ୍ତି ମାମଲା ସାମ୍ନାକୁ ଆସିଥିଲା।
ପ୍ରିୟଙ୍କା ଗାନ୍ଧିଙ୍କୁ ଇସି ନୋଟିସ୍
ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ବାଚନ କମିସନ (ଇସି) ଆଜି ଏକ ନୋଟିସ୍ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦେଇଥିବା ଏକ ବୟାନ ପାଇଁ ତାଙ୍କୁ ଏହି ନୋଟିସ ପଠା ଯାଇଛି। ଆସନ୍ତା ୩୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଜବାବ ରଖିବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଗତ ୨୦ ତାରିଖରେ ରାଜସ୍ଥାନର ଦୌସାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ପ୍ରିୟଙ୍କା କହିଥିଲେ ସେ ଟିଭିରେ ଏକ ବିଷୟ ଦେଖିଥିଲେ। ଦେବନାରାୟଣ ମନ୍ଦିରକୁ ପ୍ରଧାନମନ୍ତ୍ରୀ ମୋଦୀ ଯାଇଥିଲେ। ଲୋକମାନେ ପ୍ରଧାନମନ୍ତ୍ରୀ କ’ଣ ଦେଇଛନ୍ତି ଯେତେବେଳେ ଜାଣିବାକୁ ବ୍ୟଗ୍ର ହୋଇଥିଲେ ସେତେବେଳେ ସେଥିରେ ୨୧ ଟଙ୍କା ଥିବା ଦେଖିବାକୁ ମିଳିଥିଲା। ତେବେ ଏହା ଠିକ୍ କି ଭୁଲ୍ ତାହା ଜାଣିନାହାନ୍ତି ବୋଲି ପ୍ରିୟଙ୍କା କହିଥିଲେ। ବିଜେପି ବୁଧବାର ଏ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା।