ବିଶ୍ବକପ୍ : ବାବର ଓ ସକିଲଙ୍କ ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ – Utkal Mail
ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନର ଏକ ସମ୍ମାନଜନକ ଲକ୍ଷ୍ୟ ଛିଡ଼ା କରିଛି ପାକିସ୍ତାନ ।
ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପାକିସ୍ତାନର ଦୁଇ ଓପନର ଶୀଘ୍ର ପାଭିଲିୟନ ଫେରିବା ପରେ ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ବାବର ୫୦ ରନ ଓ ରିଜଓ୍ବାନ ୩୧ ରନ କରିଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିବା ପରେ ଇଫତିଖାର ଅହମ୍ମଦ ବି ସହଳ ପାଭିଲିୟନ ଫେରିଥିଲେ ଓ ଦଳ ମାତ୍ର ୧୪୧ ରନରେ ୫ଟି ଓ୍ବିକେଟ ହରାଇଥିଲା । ତେବେ ସାଉଦ ସକିଲ ଓ ସଦାବ ଖାଁ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସକିଲ ୫୨ ଓ ସଦାବ ୪୩ରନ କରିଥିଲେ । ପାକିସ୍ତାନ ୨୭୦ ରନ କରି ଅଲଆଉଟ ହୋଇଯାଇଥିଲା ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ତବରେଜ ସାମସି ୪ଟି ଓ୍ବିକେଟ ନେଇଥିବାବେଳେ ମାର୍କୋ ଜନସେନ ୩ଟି ଓ୍ବିକେଟ ଓ ଗେରାଲ୍ଡ କୋଟଜି ୨ଟି ଓ୍ବିକେଟ ନେଇଥିଲେ ।


