କ୍ରୀଡା

ପ୍ରମୋ‌ଦଙ୍କୁ ପୁଣି ଏସୀୟ ସ୍ବର୍ଣ୍ଣ: ୩ ପଦକ ସହ ଅଭିଯାନ ଶେଷ – Utkal Mail


ମୁଖ୍ୟମନ୍ତ୍ରୀ ଦେବେ ୨ କୋଟି

ଭୁବନେଶ୍ବର: ଓଡ଼ିଶାର ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ ଏସୀୟ ପ‌ାରା କ୍ରୀଡ଼ା ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଶୁକ୍ରବାର ପୁରୁଷ ଏକକ ଏସ୍‌ଏଲ୍‌୩ ଫାଇନାଲ୍‌ରେ ପାରାଅଲିମ୍ପିକ୍‌ ବିଜେତା ପ୍ରମୋଦ ୨୨-୨୦, ୧୮-୨୧, ୨୧-୧୯ରେ ନିଜ ଦେଶର ନୀତେଶ କୁମାରଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ପ୍ରମୋଦ ମିଶ୍ରିତ ଓ ପୁରୁଷ ଯୁଗଳରେ କାଂସ୍ୟ ପଦକ ଜିତିଥିଲେ। ଫଳରେ ଚଳିତ ଏସୀୟ କ୍ରୀଡ଼ାରେ ତାଙ୍କ ପଦକ ସଂଖ୍ୟା ୩ରେ ପହଞ୍ଚିଛି। ପାରା ଏସିଆଡ୍‌ ଇତିହାସରେ ପ୍ରମୋଦଙ୍କ ମୋଟ ପଦକ କିନ୍ତୁ ୬ରେ ପହଞ୍ଚିଛି। ୨୦୧୦ରେ ପ୍ରଥମ ଥର ଏସୀୟ କ୍ରୀଡ଼ାରେ ଭାଗ ନେଇଥିଲେ ମଧ୍ୟ ପଦକ ଜିତିବାରେ ସଫଳ ହୋଇ ନଥିଲେ। ୨୦୧୪ରେ ଏକକରେ କାଂସ୍ୟ ପାଇଥିଲା ବେଳେ ୨୦୧୮ରେ ଏକକରେ ସ୍ବର୍ଣ୍ଣ ଏବଂ ଯୁଗଳରେ କାଂସ୍ୟ ଜିତିଥିଲେ। ‘‘ଏକକରେ ସ୍ବର୍ଣ୍ଣ ପଦକ ବଜାୟ ରଖିଥିବାରୁ ମୁଁ ଆଜି ବହୁତ ଖୁସି। ଏଥିସହ ପୁରୁଷ ଓ ମିଶ୍ରିତ ଯୁଗଳରେ ମଧ୍ୟ ପଦକ ଜିତିପାରିଛି। ୩ଟି ଇଭେଣ୍ଟରେ ଭାଗ ନେଇ ୩ଟି ପଦକ ଜିତିବା ଖୁସିର କଥା। ଏହି ସଫଳତା ପ୍ୟାରିସ୍ ଅଲମ୍ପିକ୍‌ରେ ସହାୟକ ହେବ। ଓଡ଼ିଶାବାସୀଙ୍କ ସମର୍ଥନ ଓ ସହଯୋଗ ଲାଗି ଧନ୍ୟବାଦ। ‌ସମସ୍ତ ଆଶା ଓ ବିଶ୍ବାସକୁ ପୂରଣ କରିପାରିଛି।

ଓଡ଼ିଶା ସରକାରଙ୍କ ସହଯୋଗ ଲାଗି ବିଶେ‌ଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ’’ ବୋଲି ପଦକ ବିଜୟ ପରେ ପ୍ରମୋଦ କହିଛନ୍ତି।
ଏହି ସଫଳତା ପରେ ପ୍ରମୋଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ‘‘ପ୍ରମୋଦ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ମଧ୍ୟରେ ଏକ ଉଦାହରଣ। ସଫଳତା ଲାଗି ତାଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛି। ମୋ ଆଶା ପ୍ୟାରିସ ଅଲିମ୍ପିକ୍ସରେ ସେ ଆମକୁ ଗର୍ବିତ କରିବେ’’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button