ବହୁ ପ୍ରତ୍ୟାଶିତ ଭିଡିଓଗେମ୍ ‘ଜିଟିଏ ୬’: ଟ୍ରେଲର୍ ଭିଡିଓ କଲାଣି ୩ ବିଶ୍ବ ରେକର୍ଡ – Utkal Mail
ଆମେରିକାର ଭିଡିଓଗେମ୍ ସଂସ୍ଥା ‘ରକ୍ଷ୍ଟାର ଗେମ୍ସ’ ପକ୍ଷରୁ ମଙ୍ଗଳବାର ତାହାର ବହୁ ପ୍ରତୀକ୍ଷିତ ରୋମାଞ୍ଚଭରା ଭିଡିଓଗେମ୍ ‘ଗ୍ରାଣ୍ଡ୍ ଥେଫ୍ଟ ଅଟୋ ୬’ (ଜିଟିଏ ୬)ର ଟ୍ରେଲର ଭିଡିଓ ମୁକ୍ତିଲାଭ କରିଥିଲା। ଏହି ଟ୍ରେଲର୍ରେ ଲୁସିଆ ନାମ୍ନୀ ଜଣେ ମହିଳା ଚରିତ୍ର ନିଜ ପୁରୁଷ ବନ୍ଧୁଙ୍କ ସହିତ ଭାଇସ୍ ସହରର ବ୍ୟସ୍ତବହୁଳ ବେଳାଭୂମି, ସହରର ରାଜପଥ ଓ କ୍ଲବ୍ରେ ଏପରି ଅପରାଧରେ ଲିପ୍ତ ଥିବାର ଦେଖିବାକୁ ମିଳିଛି ଯେ ତାହା ବିଗତ ଦିନର ଆମେରିକୀୟ ଅପରାଧୀ ଦମ୍ପତି ‘ବୋନି ଓ କ୍ଲାଇଡ୍’ଙ୍କୁ ମନେ ପକାଇ ଦେଇଛି। ୟୁଟ୍ୟୁବ୍ରେ ୪୮ ଘଣ୍ଟା ଭିତରେ ଏହାକୁ ୧୨.୧ କୋଟିରୁ ଅଧିକ ଦର୍ଶକ ଦେଖି ସାରିଲେଣି। ଏଥି ସହିତ ଏହା ତିନି ତିନିଟି ଗିନିସ୍ ରେକର୍ଡ ସୃଷ୍ଟି କରିଛି। ଚବିଶ ଘଣ୍ଟା ଭିତରେ ଏହାକୁ ୯,୦୪,୨୧,୪୯୧ ଜଣ ଦର୍ଶକ ଦେଖିଥିବାରୁ ଏହା ୟୁଟ୍ୟବ୍ରେ ସର୍ବାଧିକ ଦର୍ଶକ ଦେଖିଥିବା ଗେମ୍ ଭିଡିଓର ମାନ୍ୟତା ହାସଲ କରିଛି। ସେହିପରି ଚବିଶ ଘଣ୍ଟା ଭିତରେ ଏହାକୁ ୮୯ ଲକ୍ଷ ଦର୍ଶକ ‘ଲାଇକ୍’ ବା ପସନ୍ଦ କରିଥିବାରୁ ଏହା ସର୍ବାଧିକ ପସନ୍ଦଯୋଗ୍ୟ ଭିଡିଓ ଗେମ୍ ଭାବେ ମଧ୍ୟ ଗିନିସ ବିଶ୍ବ ରେକର୍ଡ କରିଛି। ଗିନିସ ବିଶ୍ବ ରେକର୍ଡ ଅନୁଯାୟୀ, ଏହା ଅନ୍ୟତମ ଭିଡିଓ ଗେମ୍ ‘ଅନ୍ଟଚେବଲ୍ ମି. ବିଷ୍ଟ୍’ର ଲୋକପ୍ରିୟତାକୁ ଅତିକ୍ରମ କରି ସର୍ବାଧିକ ଦର୍ଶକ ଦେଖିଥିବା ୟୁଟ୍ୟୁବ୍ ଭିଡିଓ ଗେମ୍ ବିବେଚିତ ହୋଇଛି। ଆସନ୍ତା ବର୍ଷ ଏହି ଭିଡିଓଗେମ୍ଟି ପ୍ଲେଷ୍ଟେସନ-୫, ଏକ୍ସବକ୍ସ-ଏକ୍ସ ଓ ଏକ୍ସବକ୍ସ-ଏସ୍ରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।