ରାଜନୀତି

ଲୋକସଭାରେ ଆଗତ ହେଲା ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌

ନୂଆଦିଲ୍ଲୀ: ଆଜି (ଡିସେମ୍ବର ୧୭ରେ) ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌ ଆଗତ ହୋଇଛି। ଲୋକସଭାରେ ଭାଷଣ ଦେଇ ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି ଯେ ଏହି ବିଲ୍ ବିତର୍କ ପାଇଁ ସଂସଦୀୟ ପ୍ୟାନେଲକୁ ପଠାଯାଇପାରିବ।

କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି । ତେବେ ଏହି ବିଧେୟକକୁ ସମ୍ବିଧାନର ୧୨୯ ତମ ସଂଶୋଧନ ବିଧେୟକ ବୋଲି ନାମ ଦିଆଯାଇଛି । ଖାଲି ସେତିକି ନୁହେଁ, ଏହି ବିଲକୁ ଲୋକସଭାରେ ପାସ୍ କରିବାକୁ ଯଥାସମ୍ଭବ ଚେଷ୍ଟା ଚଳାଇଛି ବିଜେପି, ଖାସ୍ ସେଥିପାଇଁ ଆଜି ବିଜେପିର ସମସ୍ତ ସାଂସଦଙ୍କ ପାଇଁ ଦଳ ହ୍ୱିପ୍ ଜାରି କରିଛି ।

ତେବେ ଟିଡିପି ଏହି ବିଲକୁ ସମର୍ଥନ କରିବ ବୋଲି ସଫା ସଫା କହିଦେଇଛି । ଟିଡିପି ନିଜ ଦଳର ସାଂସଦଙ୍କ ପାଇଁ ହ୍ୱିପ୍ ମଧ୍ୟ ଜାରି କରିଛି । ଅନ୍ୟପଟେ ଓ୍ୱାଇଏସଆରସିପି ଦଳର ସାଂସଦ ମଧ୍ୟ ଏହି ବିଲକୁ ତାଙ୍କ ଦଳ ସମର୍ଥନ କରିବ ବୋଲି ସୂଚନା ଦେଇଛନ୍ତି । ଓ୍ୱାଇଏସଆରସିପି ସାଂସଦ ପିବି ମିଥୁନ୍ ରେଡ୍ଡୀ କହିଛନ୍ତି ଯେ, ଆମେ ପ୍ରଥମରୁ ହିଁ ସାଧାରଣ ନିର୍ବାଚନ ସହ ରାଜ୍ୟ ନିର୍ବାଚନ କରୁଛୁ । ତେଣୁ ଆମ ପାଖରେ ମୁଦ୍ଦା ନାହିଁ, ଆମେ ଏହି ବିଲକୁ ସମର୍ଥନ କରିବୁ ବୋଲି ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ଏହି ବିଲକୁ ସମର୍ଥନ କରିବନି ବୋଲି କହିଛନ୍ତି କଂଗ୍ରେସ ଦଳର ସାଂସଦ ମନୀଷ ତିଓ୍ୱାରୀ । ଏହି ବିଲ ସମ୍ବିଧାନର ବିରୋଧୀ ବୋଲି କହିବା ସହ ଏହା ସମ୍ବିଧାନର ମୂଳ ଢାଞ୍ଚାର ମଧ୍ୟ ବିରୋଧୀ ବୋଲି ସେ କହିଛନ୍ତି । ଅନ୍ୟପଟେ କଂଗ୍ରେସ ମହାସଚିବ ଜୟରାମ ରମେଶଙ୍କ କହିବା କଥା, ଏହା ସମ୍ବିଧାନ ବଦଳାଇବାର ବିଗୁଲ୍ ଅଟେ ।

ସୂଚନାଯୋଗ୍ୟ ଯେ, ଦେଶରେ ଏକାସାଙ୍ଗରେ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ କରିବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ପ୍ରଥମେ ଲୋକସଭାରେ ଏହି ବିଲ୍ ଅଣାଯାଇଛି । ଅନ୍ୟପଟେ କେନ୍ଦ୍ର ଶାସିତ ପ୍ରଦେଶ ସଂଶୋଧନ ବିଧେୟକରେ ଦିଲ୍ଲୀ, ପଣ୍ଡିଚେରୀ ଏବଂ ଜମ୍ମୁକଶ୍ମୀର ଭଳି କେନ୍ଦ୍ରଶାସିତ ପ୍ରଦେଶର ନିର୍ବାଚନ ମଧ୍ୟ ଏକାସାଙ୍ଗରେ କରିବାକୁ ସରକାର ବିଲ୍ ଆଣିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button