୫୦-୫୦ ପିସିରେ ଚାଲିଛି ଓଡ଼ିଶା ସରକାର: ଜେ.ପି ନଡ୍ଡା
ଭବାନୀପାଟଣା/ଭୁବନେଶ୍ୱର : ଓଡ଼ିଶାରେ ଦୀର୍ଘ ୨୩ବର୍ଷ ଧରି ଚାଲିଛି ଭ୍ରଷ୍ଟାଚାରୀ ସରକାର । କେନ୍ଦ୍ର ସରକାର ଓଡିଶାକୁ କୋଟି କୋଟି ଟଙ୍କା ସହାୟତା ଯୋଗାଇ ଦେଉଛନ୍ତି ଅଥଚ ତାହାକୁ ରାଜ୍ୟ ସରକାର ବାଟମାରଣା କରିବା ସହ ଖର୍ଚ୍ଚ ନକରି ଓଡ଼ିଶାକୁ ଗରୀବ କରି ଚାଲିଛନ୍ତି । ଓଡ଼ିଶାରେ ଶାସନ କିଏ ଚଳାଉଛି? ଅଫିସର ନା ନେତା ? କାହା ଇଙ୍ଗିତରେ ଓଡ଼ିଶାର ଶାସନ ଚାଲିଛି? ବିରୋଧୀଙ୍କ କଥା ଛାଡନ୍ତୁ ଏଠି ଶାସକ ବିଜେଡିର ବିଧାୟକ ଓ ସାଂସଦମାନଙ୍କ କଥା ମଧ୍ୟ କେହି ଶୁଣନ୍ତି ନାହିଁ । ଅଫିସରମାନେ ଓଡ଼ିଶାରେ ରାଜ୍ କରୁଛନ୍ତି । ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକ ୟେସ୍ ୟେସ୍୍ କହି ସମସ୍ତ କଥାକୁ ସମର୍ଥନ କରୁଛନ୍ତି । ରାଜ୍ୟ ଶାସନ ବ୍ୟବସ୍ଥା ଏବେ ଆଉଟ ସୋସିଂରେ ଚାଲିଛି । ନବୀନ ପଟ୍ଟନାୟକ କିମ୍ବା ନିର୍ବାଚିତ ଦଳୀୟ ନେତା ସରକାର ଚଳାଉ ନାହାନ୍ତି । ଜନତା ଭୋଟ କାହାକୁ ଦେଇଛନ୍ତି, ଅଥଚ ସରକାର ଆଉ କିଏ ଚଳାଉଛି! ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱ ନିର୍ବାହ କରିବାରେ ଅସମର୍ଥ ହେତୁ ଜଣେ ଅଧିକାରୀଙ୍କୁ ଠିକାରେ ରଖି ସରକାର ଚଳାଉଛନ୍ତି । ଏଭଳି ସରକାର ଦରକାର ନାହିଁ ବୋଲି ଭବାନିପାଟଣା ମହା ଜନସମ୍ପର୍କ ଅଭିଯାନ ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଅତ୍ୟନ୍ତ କଠୋରଭାବେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଆଜି ପୂର୍ବାହ୍ନରେ ପ୍ରଥମେ ଶ୍ରୀ ନଡ୍ଡା ଭବାନିପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ନେବା ସହ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣ ୯ବର୍ଷ ପୂର୍ତି ଅବସରରେ ବିଶାଳ ଜନସମାବେଶରେ “ଜୟ ଜଗନ୍ନାଥ”ର ଭାବଗମ୍ଭୀର ଧ୍ୱନି ଦେଇ ଏବେ ବିଜେଡିର ପତନର ସମୟ ଆସିଗଲାଣି ବୋଲି ଦୃଢ଼ କଣ୍ଠରେ କହିଛନ୍ତି । ଆଗାମୀ ଦିନରେ ଦିଲ୍ଲୀରେ ପୁଣି ଥରେ ବିଜେପି ସରକାର ଗଠନ କରିବା ସହିତ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଠନ କରିବ । ଓଡ଼ିଶାବାସୀ ଚାହୁଁଛନ୍ତି ଓଡ଼ିଶାରେ ଡବଲଇଞ୍ଜନ ସରକାର ହେବ । ଏଭଳି ଭ୍ରଷ୍ଟାଚାରୀ, ଅପାରଗ ଓ ଠିକାରେ ଚାଲୁଥିବା ସରକାରକୁ ୨୦୨୪ରେ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିବେ । ନବୀନ ବାବୁ ଦୀର୍ଘଦିନ ଶାସନ ଗାଦିରେ ରହିଥିଲେ ବି ଏଯାଏ ମୁଣ୍ଡ ପିଛା ଆୟରେ ଓଡ଼ିଶା ସବୁଠୁ କମ, ଚାଷୀଙ୍କ ଆୟ ବି ଓଡ଼ିଶାରେ କମ୍ ହେବା ସହ ମହିଳା ବିରୋଧୀରେ ଓଡ଼ିଶା ୧ନମ୍ବର । ଏବେ ୫୦-୫୦ ପିସିରେ ଚାଲିଛି ଓଡିଶା ସରକାର । ଓଡ଼ିଶାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବାକୁ ନବୀନ ବାବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କଲେ ନାହିଁ ।