ଓଡିଶା

ଓଡ଼ିଆ ଭାଷାରେ ଏମ୍‌ବିଏ ପାଠ୍ୟପୁସ୍ତକ, ୧୨ଟି ଭାରତୀୟ ଭାଷାରେ ଚାଲିଛି ଅନୁବାଦ

ଭୁବନେଶ୍ୱର: ଇଂରାଜୀ ପରେ ପ୍ରଥମ ଭାରତୀୟ ଭାଷା ଭାବେ ଓଡ଼ିଆରେ ଏମ୍‌ବିଏ ପାଠ୍ୟପୁସ୍ତକ ଉପଲବ୍ଧ ହୋଇଛି। ଏଆଇସିଟିଇ ସହଯୋଗରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ଦ୍ବାରା ପ୍ରସ୍ତୁତ ଏମ୍‌ବିଏ ଅଧ୍ୟୟନ ପୁସ୍ତିକାକୁ ଜୟଦେବ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ଇଞ୍ଜିନିୟରିଂ ପରି ଏମ୍‌ବିଏ ଛାତ୍ରଛାତ୍ରୀ ଏଣିକି ଓଡ଼ିଆ ଭାଷାରେ ପାଠ୍ୟପୁସ୍ତିକା ପାଇବେ। ଆଜିର ଏହି ପଦକ୍ଷେପ ଓଡ଼ିଶାର ଉଚ୍ଚଶିକ୍ଷା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ଭଲ ଉଦ୍ୟମ। ଉଭୟ ଇଗ୍ନୋ ଓ ଏଆଇସିଟିଇ ଦେଶ ତଥା ବିଦେଶରେ ବିଭିନ୍ନ ଶିକ୍ଷାର୍ଥୀଙ୍କୁ ସୁଲଭ ମୂଲ୍ୟରେ ଶିକ୍ଷଣ ସୁଯୋଗ ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେ ମତବ୍ୟକ୍ତ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଲେ, ପ୍ରଗତିଶୀଳ ରାଷ୍ଟ୍ରଗୁଡ଼ିକରେ ଇଂରାଜୀ ଭାଷାର ବ୍ୟବହାର କମ୍‌ ସତ୍ତ୍ୱେ ରାଷ୍ଟ୍ରଗୁଡ଼ିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଉନ୍ନତ ଓ ସଶକ୍ତ। ଶିଶୁ ନିଜର ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ପାଠ ପଢିଲେ ହିଁ ତାଙ୍କର ବୌଦ୍ଧିକ କ୍ଷମତାର ବିକାଶ ଘଟିଥାଏ ବୋଲି ଅନେକ ବୈଜ୍ଞାନିକ ମତପ୍ରକାଶ କରିଛନ୍ତି। ତେଣୁ ମୌଳିକ ଚିନ୍ତାଧାରାକୁ ବଢ଼ାଇବାକୁ ହେଲେ ଆମକୁ ମାତୃଭାଷା ଆଧାରିତ ଶିକ୍ଷା ପ୍ରଦାନ କରିବାକୁ ହେବ। ଓଡ଼ିଆ ଏକ ପ୍ରାଚୀନ ଭାଷା ଯାହାର ସମୃଦ୍ଧ ଇତିହାସ ଓ ଐତିହ୍ୟ ରହିଛି। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ। ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ। ରାଜ୍ୟରେ ସ୍କୁଲରୁ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି। ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଛାତ୍ରଶକ୍ତି। ଏହି ସମୟରେ ଓଡ଼ିଶାର ଏହି ୧କୋଟି ଛାତ୍ରଶକ୍ତିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ମତପ୍ରକାଶ କରିଥିଲେ। ଏଆଇସିଟିଇ ସହଯୋଗରେ ଇଗ୍ନୋ ଇ-କୁମ୍ଭ ପ୍ରକଳ୍ପ ଅଧୀନରେ ୧୨ଟି ଭାରତୀୟ ଭାଷାରେ ଇଗ୍ନୋର ଏମ୍‌ବିଏ ପାଠ୍ୟକ୍ରମ ଅନୁବାଦ କରୁଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ।

ଉନ୍ମୋଚନ ସମାରୋହରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ କୁମାର ସ୍ବାଇଁ, ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଟି ଜି ସିଥାରାମ୍‌, ଇଗ୍ନୋ କୁଳପତି ପ୍ରଫେସର ଉମା କାଞ୍ଜିଲାଲ୍‌ ପ୍ରମୁଖ ଉପସ୍ଥିତ ରହି ମାତୃଭ‌ାଷାରେ ଶିକ୍ଷାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଇଗ୍ନୋ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ସୁରେଶ କୁମାର ତ୍ରିପାଠୀ, ମୁଖ୍ୟାଳୟ ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର ନୟନତାରା ପାଢ଼ୀ, ପ୍ରଫେସର ଏମ୍‌ଏସ୍‌ଏସ୍‌ ରାଜୁ, ପ୍ରଫେସର ରାଜୀବ ଶୁକ୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଡ. ସଂଘମିତ୍ରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପାଠ୍ୟପୁସ୍ତିକା ସହ ଇ-କୁମ୍ଭ ପୋର୍ଟାଲରୁ ଅତିଥିମାନେ ଉନ୍ମୋଚନ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button