ଭାରତୀୟ ସମୁଦାୟର କୌଣସି କ୍ଷୟକ୍ଷତି ହୋଇନାହିଁ: ବିଦେଶ ମନ୍ତ୍ରାଳୟ, ବଞ୍ଚାଇବ ‘ଅପରେସନ୍ ବ୍ରହ୍ମା’

ନୂଆଦିଲ୍ଲୀ: ମ୍ୟାମାରରେ ୭.୭ ତୀବ୍ରତାର ବିନାଶକାରୀ ଭୂମିକମ୍ପ ପରେ ମାନବିକ ସହାୟତା ଯୋଗାଇଦେବା ପାଇଁ ଭାରତ ‘ଅପରେସନ୍ ବ୍ରହ୍ମା’ ଆରମ୍ଭ କରିଛି। ଉଦ୍ଧାର, ରିଲିଫ୍ ଓ ପୁନଃନିର୍ମାଣରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମ୍ୟାମାରରେ ଭାରତୀୟ ସମ୍ପ୍ରଦାୟର କୌଣସି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭୟଙ୍କର ଭୂମିକମ୍ପ ଯୋଗୁଁ ମ୍ୟାମାରରେ ଧନଜୀବନର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହି ଦୁଃଖଦ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ଯେ ଏହି ସଙ୍କଟ ସମୟରେ ମ୍ୟାମାର ଜନସାଧାରଣ ଏବଂ ସରକାରକୁ ସମସ୍ତ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ ଅଛି।
ଭାରତର ତତ୍କାଳ ସହାୟତା ଯୋଜନା ଉପରେ ଆଲୋକପାତ କରି ଜୟସ୍ୱାଲ ‘ଅପରେସନ୍ ବ୍ରହ୍ମା’ର ଶୁଭାରମ୍ଭ ସଂପର୍କରେ ସୂଚନା ଦେଇ କହିଛନ୍ତି, ବ୍ରହ୍ମା ହେଉଛନ୍ତି ସୃଷ୍ଟିର ଦେବତା ଏବଂ ବିପର୍ଯ୍ୟୟ ପରେ ପୁନଃନିର୍ମାଣରେ ଆମେ ମ୍ୟାମାରକୁ ସହଯୋଗର ହାତ ବଢ଼ାଇଛୁ। ସେଥିପାଇଁ ଏହାର ନାମ ‘ଅପରେସନ ବ୍ରହ୍ମା’ ରଖାଯାଇଛି ଏବଂ ଏହା ଏ କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରୁଛି। ୧୫ ଟନ୍ ରିଲିଫ୍ ସାମଗ୍ରୀ ନେଇ ପ୍ରଥମ ରିଲିଫ୍ ବିମାନ ହିଣ୍ଡନ ବାୟୁସେନା ଘାଟିରୁ ରାତି ୩ଟାରେ ଉଡ଼ାଣ ଭରିଥିଲା ଏବଂ ଭାରତୀୟ ସମୟ ସକାଳ ପ୍ରାୟ ୮ଟାରେ ୟାଙ୍ଗୁନ୍ରେ ପହଞ୍ଚିଥିଲା। ମ୍ୟାମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ୟାଙ୍ଗୁନ୍ କର୍ତ୍ତୃପକ୍ଷଙ୍କୁ ଏହା ହସ୍ତାନ୍ତର କରିଛନ୍ତି। ଏହାପରେ ଉଦ୍ଧାର କର୍ମଚାରୀଙ୍କୁ ନେଇ ଆଉ ଦୁଇଟି ବିମାନ ପହଞ୍ଚିଥିଲା। ଉଦ୍ଧାର ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଅନେକ ସ୍ବତନ୍ତ୍ର ମେସିନ୍ ମଧ୍ୟ ଭାରତ ପଠାଇଛି ଏବଂ ତାଲିମପ୍ରାପ୍ତ କୁକୁରଙ୍କୁ ମଧ୍ୟ ଉଦ୍ଧାର ଅଭିଯାନରେ ସାମିଲ କରାଯାଇଛି।
ଭାରତର ‘ପ୍ରଥମ ସହଯୋଗ ନୀତି’ ଉପରେ ଗୁରୁତ୍ବାରୋପ କରି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅତୀତର ଅପରେସନ୍କୁ ଉଦାହରଣ ଦେଇଥିଲେ ଏବଂ ସଙ୍କଟ ସମୟରେ ପ୍ରଥମ ସହଯୋଗ ଦେବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଯେତେବେଳେ ମ୍ୟାମାରରେ ସାମୁଦ୍ରିକ ଝଡ଼ ‘ୟାଗି’ ଆସିଥିଲା, ସେତେବେଳେ ଭାରତ ପ୍ରଥମେ ମାନବିକ ସହାୟତା ପ୍ରଦାନ କରିଥିଲା। କେବଳ ମ୍ୟାମାର ନୁହେଁ, ପୂର୍ବରୁ ଅନ୍ୟ ପ୍ରଭାବିତ ରାଷ୍ଟ୍ରମାନଙ୍କରେ ମଧ୍ୟ ସଙ୍କଟର ମୁକାବିଲା କରିବା ପାଇଁ ଭାରତ ତତ୍କାଳ ସହାୟତା ଉପଲବ୍ଧ କରାଇଛି। ମ୍ୟାମାର ଥିବା ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ସମ୍ପର୍କରେ ଜୟସ୍ୱାଲ ସୂଚନା ଦେଇଛନ୍ତି ଯେ ଭାରତୀୟ ଦୂତାବାସ ସେଠାରେ ଥିବା ଭାରତୀୟ ଗୋଷ୍ଠୀ ସହିତ ଲଗାତାର ସଂପର୍କରେ ରହିଛି। ମ୍ୟାମାରରେ ପ୍ରାୟ ୧୫,୦୦୦ ଭାରତୀୟ ପରିବାର ରହୁଥିବା ବେଳେ ୫୦,୦୦୦ରୁ ୬୦,୦୦୦ ଭାରତୀୟ ନାଗରିକ ଅଛନ୍ତି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ନିରନ୍ତର ଯୋଗାଯୋଗରେ ରହିଛୁ ବୋଲି ସେ କହିଛନ୍ତି।
ବରିଷ୍ଠ ଏନ୍ଡିଆରଏଫ୍ ଅଧିକାରୀ ମୋହସେନ ଶାହେଦି କହିଛନ୍ତି, ତଲାସୀ ଓ ଉଦ୍ଧାର କାର୍ଯ୍ୟରେ ବିଶେଷ ଅଭିଜ୍ଞତା ଥିବା ୮୦ ଜଣିଆ ଏନ୍ଡିଆରଏଫ ଟିମ୍ ମ୍ୟାମାର ପହଞ୍ଚିଛନ୍ତି। ଏହି ଟିମ୍ ସହିତ କଂକ୍ରିଟ କଟର, ଡ୍ରିଲ ମେସିନ, ଏବଂ ତଲାସୀ-ଉଦ୍ଧାର ନିମନ୍ତେ ସ୍ବତନ୍ତ୍ର ଉପକରଣ ମଧ୍ୟ ପଠାଯାଇଛି। ବଞ୍ଚିଥିବା ଲୋକଙ୍କୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ପ୍ରଶିକ୍ଷିତ କୁକୁରମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଧ୍ବଂସାବେଶଷ ଭିତରୁ ଲୋକଙ୍କ ଉଦ୍ଧାର କରବା ପାଇଁ ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶାହେଦି କହିଛନ୍ତି। ଏହା ପୂର୍ବରୁ ଭାରତ ୨୦୧୫ ନେପାଳ ଭୂମିକମ୍ପ ଏବଂ ୨୦୨୩ ତୁର୍କି ଭୂମିକମ୍ପ ସମୟରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଇଁ ଏନ୍ଡିଆରଏଫ ଟିମ୍ ମୁତୟନ କରିଥିଲା।