ଓଡିଶା

ଏଣିକି ଅନ୍ତିମ ସଂସ୍କାର ପାଇଁ ସ୍ଵର୍ଗଦ୍ଵାରରେ ଆଗୁଆ କରିବେ ବୁକିଂ, ଆସିଲା ସ୍ଵର୍ଗଦ୍ଵାର ୱେବସାଇଟ – Utkal Mail



ପୁରୀ: ଏଣିକି ସ୍ଵର୍ଗଦ୍ଵାରରେ ଶବଦାହ ହେଲା ଆହୁରି ସହଜ । ଶବଦାହ ପାଇଁ ଆଉ କରିବାକୁ ପଡିବନି ଘଣ୍ଟା ଘଣ୍ଟା ଅପେକ୍ଷା । ଏବେ ଶବଦାହ ପୂର୍ବରୁ ଆଗୁଆ ସ୍ଥାନ ବୁକିଂ କରିବେ ଲୋକେ । ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ଆସିଲା ସ୍ଵର୍ଗଦ୍ଵାର ୱେବସାଇଟ । ଅନଲାଇନ ମାଧ୍ୟମରେ ଏହି ୱେବସାଇଟରେ ପଞ୍ଜିକରଣ କରିପାରିବେ ଲୋକେ । ତା’ଛଡା ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ଉପଲବ୍ଧ ହେଉଥିବା ସମସ୍ତ ସୁବିଧା ବିଷୟରେ ମଧ୍ୟ ଏହି ୱେବସାଇଟ ମାଧ୍ୟମରେ ଜାଣିପାରିବେ ଲୋକେ ।

ଲୋକାର୍ପଣ ହୋଇଛି swargadwar.com । ଏହି ୱେବସାଇଟରେ ତିନୋଟି ଭାଷାରେ ସୂଚନା ମିଳିବ । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ । ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ଵର୍ଗଦ୍ଵାର ଠାରେ ସଂସ୍କାର ସେବା ନେବାକୁ ଚାହୁଁ ଥିବା ହିତାଧିକାରୀ ମାନେ ଆବଶ୍ୟକୀୟ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇ ପାରିବେ। ତେବେ ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଏହି ୱେବସାଇଟ ଲଞ୍ଚ କରାଯାଇଥିବା ବେଳେ ପରବର୍ତ୍ତି ସମୟରେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ । ଏଥି ସହିତ ଖୁବ୍ ଶୀଘ୍ର ସ୍ଵର୍ଗଦ୍ଵାର ଆପ ମଧ୍ୟ ପ୍ଲେ ଷ୍ଟୋର ମାଧ୍ୟମରେ ଉପଲବ୍ଧ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ଭବତାରଣ ସାହୁ । ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ତିମ ସଂସ୍କାର ପାଇଁ ଆସୁଥିବା ଲୋକମାନଙ୍କୁ ସହଜରେ ସେବା ଯୋଗାଇଦେବା ଲକ୍ଷ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ଅନ୍ୟପଟେ ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଲୋକମାନେ ଅନ୍ତିମ ସଂସ୍କାର ପାଇଁ ଦେଢ଼ କୁଇଣ୍ଟାଲ କାଠ ପାଉଥିବା ବେଳେ ଏବେ ଏକ କୁଇଣ୍ଟାଲ ୮୦ କେଜି କାଠ ପାଇବେ । ପୂର୍ବରୁ ୨୦୦ ଗ୍ରାମର ଘିଅ ପାଉଥିବା ବେଳେ ବର୍ତ୍ତମାନ ୩୦୦ ଗ୍ରାମ ଘିଅ ପାଇବେ । ସେହିପରି କାଠ ବୋହିବା ପାଇଁ ୭ ଜଣ ପରିବହନ ସେବକଙ୍କୁ ମୁତୟନ କରାଯାଇଛି ।

 




Related Articles

Leave a Reply

Your email address will not be published. Required fields are marked *

Back to top button