ଆସ ବୁଲିଯିବା ଓଡିଶା: ନଦୀ ଓ ସମୁଦ୍ରର ମିଳନ ସ୍ଥଳରେ ବିରାଜିଛନ୍ତି ମା’ ବାଲିହରଚଣ୍ଡୀ – Utkal Mail
ପୁରୀ: ଆସିଛି ପିକନିକ ଋତୁ । ବିଭିନ୍ନ ପର୍ଯ୍ୟଟନ ସ୍ଥଳିରେ ଜମୁଛି ଲୋକଙ୍କ ଭିଡ଼ । ପ୍ରାକୃତିକ ସୋନ୍ଦର୍ଯ୍ୟର ଭରପୁର ମଜା ନେବା ସହ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ । ଶିତ ବଢୁଥିବା ବେଳେ ପୁରୀ ବ୍ରହ୍ମଗିରିର ବାଲିହରଚଣ୍ଡୀ ପୀଠ ପାଲଟିଛି ପିକନିକ୍ ହବ । ବଣ ଭୋଜି କରିବା ନିମନ୍ତେ ସହରର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକମାନଙ୍କର ଆଗମନ ବୃଦ୍ଧି ପାଉଛି । ମାଆଙ୍କୁ ଦର୍ଶନ ସହ ଲାଗୁଛି ଭୋଜି ଭାତର ଆସର । ସାଙ୍ଗ ଓ ପରିବାର ସହ ନାଚ ଗୀତରେ ଝୁମୁଛନ୍ତି ଲୋକେ ।
ବଣଜଙ୍ଗଲ ଘେରା ବାଲିଚର ପରିବେଶରେ ଦୁଃଖ ହରଣ କରିଥାନ୍ତି ମା’ ବାଲିହରଚଣ୍ଡୀ । ନଦୀ ଓ ସାଗରର ମଳନ ସ୍ଥଳରେ ଥିବା ବାଲି ଟାପୁରେ ବାସ କରୁଥିବାରୁ ମା’ଙ୍କ ନାଁ ହୋଇଛି ବାଲି ହରଚଣ୍ଡୀ । ଭାସ୍କର୍ଯ୍ୟ ଶିଳ୍ପକଳାରେ କଳା ମୁଗୁନିପଥରରେ ନିର୍ମିତ ଦେବୀ ବାଲିହରଚଣ୍ଡୀଙ୍କର ଅଷ୍ଟଭୁଜା ମୂର୍ତ୍ତି । ଗୋଟିଏ ହାତରେ ସେ ପାଦ ଦେଶରେ ଶାୟିତ ମହିଷାସୁରର ବକ୍ଷ ଶୂଳରେ ଭେଦ କରୁଥିବା ବେଳେ, ଅନ୍ୟ ଏକ ହସ୍ତରେ ମହିଷାସୁରର ଶିରଧାରଣ କରିଛନ୍ତି। ଅନ୍ୟ ଛଅ ହାତରେ ଦେବୀ ରତ୍ନମାଳ, ଖଡ଼୍ଗ, ଶର, ଢାଲ, ଧନୁ ଓ ନାଗଫାଶ ଧାରଣ କରିଛନ୍ତି। ଦେବୀଙ୍କର ଗୋଟିଏ ପାଦ ସିଂହ ଉପରେ ଥିବାବେଳେ ଅନ୍ୟ ପାଦଟି ଏକ ପଦ୍ମ ପୁଷ୍ପ ଉପରେ ରହିଛି। ମହିଷାସୁରର ଶରୀର ମନୁଷ୍ୟର ହେଲାବେଳେ ମୁଣ୍ଡଟି ମହିଷର।
ଏହା ମଧ୍ୟ ପଢନ୍ତୁ
ପୁରୀ ଠାରୁ ବ୍ରହ୍ମଗିରୀ ଦେଇ ମାତ୍ର ୨୫ କି.ମି ଯାତ୍ରା କଲେ ପଡିଥାଏ ଏହି ଘଞ୍ଚ ଜଙ୍ଗଲ । ଆଉ ଏହି ଜଙ୍ଗଲ ମଧ୍ୟରେ ବାଲିମନ୍ତରେ ପୂଜା ପାଉଛନ୍ତି ବାଲିହରଚଣ୍ଡୀ । ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ପର୍ଯ୍ୟଟକଙ୍କ ମନମୋହୁଛି ବାଲିହରଚଣ୍ଡୀ ପୀଠ । ଭୋର ୫ଟାରେ ମା’ଙ୍କର ଦ୍ଵାର ଫିଟିବା ପରେ ସକାଳ ଧୂପନୀତି ହୋଇଥାଏ । ଦିନ ୧୨ଟାରେ ମଧ୍ୟାନ୍ନ ଧୂପ ହେବା ସହ ମା’ଙ୍କ ପ୍ରିୟ ଭୋଗ ମାଛ ପୋଡିବଳୀ, ଅନ୍ନ, ଡାଲି, ମାଛ ଛିଞ୍ଚଡା ଓ ଖୀରି ଭୋଗ ହୋଇଥାଏ । ଆମିଷ ମା’ଙ୍କ ପ୍ରୟ ଭୋଗ ହୋଇଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ବଣଭୋଜିରେ ଆମିଷ ରୋଷେଇ କରିଥାନ୍ତି । ଶୀତଦିନେ ବାଲିହରଚଣ୍ଡୀପୀଠ ପର୍ଯ୍ୟଟକଙ୍କପାଇଁ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର ପାଲଟିଥିବା ବେଳେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଏବେଠୁ ପରିଲକ୍ଷିତ ହେଲାଣି ।


