ଓଡିଶା

ଦୁଇଟି ପୃଥକ କାର୍ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର – Utkal Mail



ଭୁବନେଶ୍ୱର: ରବିବାର ସକାଳେ କଟକ ଏବଂ ସୁନ୍ଦରଗଡରେ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। କେନାଲ ଭିତରକୁ ପଶିଗଲା କାର। କଟକ କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ କଟକ ସିଧେଶ୍ବରପୁରର ଦୀପକ ବେହେରା। ତାଙ୍କର ବୟସ ୨୭ ବର୍ଷ ଥିବା ଜଣାପଡିଛି।

ସୂଚନା ଅନୁସାରେ ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି କେନାଲ ଭିତରେ ପଶିଯାଇଥିଲା। ସୂଚନା ପାଇବା ପରେ କନ୍ଦରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

ଦ୍ୱିତୀୟ ଦୁର୍ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ବଣାଇର ମହୁଲପଦା ଥାନା ଅଞ୍ଚଳରେ ଘଟିଛି। ଏଠାରେ ଫୁଲଝର ନଗରିଆ ପୋଲ ତଳକୁ ପ୍ରାୟ ୨୦ ଫୁଟ ତଳକୁ ଖସିଲା କାର। ଫଳରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଉଛନ୍ତି କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଓମକାର ବେହେରା ଓ ଯଦୁମଣି ମହାକୁଡ଼। ଅଜିତ ଓ ଓମକାରଙ୍କ ଅବସ୍ଥା ଗୁରୁତର ରହିଛି। ଓମକାର କାର୍ ଚଲାଉଥିଲେ। ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗ୍ରାମରୁ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ପ୍ରାୟ ରାତ୍ରି ୧ ଘଟିକା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ପାଣି ଭିତରକୁ ଖସିପଡିଥିଲା କାର। ଆମ୍ବୁଲାନ୍ସ ଯୋଗେ ତିନି ଆହତଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଅଜିତ ଓ ଓମକାରଙ୍କୁ ରାଉଲକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button