ନୀତି

ସ୍ୱୟଂ ସହାୟକ ମହିଳାଙ୍କୁ ରୋଜଗାର ଦେଇଛି ସ୍ପିରୁଲିନା ଚିକ୍କି – Utkal Mail


ସୁନ୍ଦରଗଡ଼: ସ୍ପିରୁଲିନା ଚିକ୍କି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଦେଇଛି ରୋଜଗାର। ସୁନ୍ଦରଗଡ଼ ସହରର ୪୦ ଜଣ ମହିଳା ଏଥିରେ ଆତ୍ମନିର୍ଭରଶୀଳ ହୋଇଛନ୍ତି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ସହାୟତାରେ ରଂଗାଢିପାଠାରେ ଥିବା ମା’ ଲକ୍ଷ୍ମୀ ଉତ୍ପାଦକ ସଂଘ ସ୍ପିରୁଲିନା ଯୁକ୍ତ ଚିକ୍କି ପ୍ରସ୍ତୁତ କରୁଛନ୍ତି। ଏହି ଚିକ୍କି ପ୍ରସ୍ତୁତି କେନ୍ଦ୍ରରେ ପାଖାପାଖି ୪୦ ଜଣ ସ୍ୱୟଂ ସହାୟକ ଦଳର ମହିଳା କାମ କରୁଛନ୍ତି । ୧୦ଟି ସ୍ୱୟଂ ସହାୟକ ଦଳରୁ ଆସିଥିବା ମହିଳାମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଇ ପୂର୍ଣ୍ଣ ଭାବେ ପ୍ରଶିକ୍ଷିତ କରିଦିଆଯାଇଛି । ଏମାନେ ବାଦାମ ଭାଜିବା, ଗୁଡ଼ ରାନ୍ଧିବା, ଗୁଡ଼ରେ ବାଦାମକୁ ରାନ୍ଧିବା ପୁଣି ଏହାକୁ ଥଣ୍ଡା କରିବା ସହ ଏହାକୁ ବେଲିବା ଏବଂ ଛୋଟ ଛୋଟ ଖଣ୍ଡରେ କାଟି ଜରିରେ ପ୍ୟାକିଂ କରି ବିକ୍ରିପାଇଁ ପ୍ରସ୍ତୁତ କରିବା କାମରେ ସିଦ୍ଧହସ୍ତ । ସହରର ରଙ୍ଗାଢିପାରେ ମା’ ଲକ୍ଷ୍ମୀ ଉତ୍ପାଦକ ସଂଘ ସ୍ପିରୁଲିନା ଯୁକ୍ତ ଚିକ୍କି । ଏକ ପ୍ରକାର ଶୈବାଳକୁ ଶୁଖାଇ ତାକୁ ଗୁଣ୍ଡ କରି ସ୍ପିରୁଲିନା ତିଆରି କରାଯାଏ। ବଜାରରେ ଏହି ଗୁଣ୍ଡର ମୂଲ୍ୟ କେଜି ପିଛା ୮୦୦ ରୁ ୯୦୦ ଟଙ୍କା । ସ୍ପିରୁଲିନା ଚୀନ ପରି ଦେଶରେ ବେଶ ପୂର୍ବରୁ ପରିଚିତ । ଭାରତର କର୍ଣ୍ଣାଟକ ରାଜ୍ୟରେ ମଧ୍ୟ ଏହା ପ୍ରଚୁର ଉତ୍ପାଦିତ ହୁଏ ।

ତେବେ ଓଡ଼ିଶାରେ କ୍ରମେ କ୍ରମେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ସ୍ପିରୁଲିନାକୁ ସୁପର ଫୁଡ୍ କୁହାଯାଏ। କାରଣ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ ଯାହା ଶିଶୁର ଶାରିରୀକ ଏବଂ ମାନସିକ ବିକାଶରେ ସହାୟକ ହୋଇଥାଏ । ୨୦୨୧ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଉତ୍ପାଦକ ସଂଘ ଦୈନିକ ୨ କ୍ବିଣ୍ଟାଲ କରି ମାସକୁ ୪୫ ରୁ ୫୦ କ୍ବିଣ୍ଟାଲ ଯାଏ ସ୍ପିରୁଲିନା ଯୁକ୍ତ ଚିକ୍କି ପ୍ରସ୍ତୁତ କରିବାରେ ସକ୍ଷମ । ଏହି ଉତ୍ପାଦକ ସଂଘ, ଲେଫ୍ରିପଡ଼ା, ସଦର, ଟାଙ୍ଗରପାଲି, ହେମଗିରି ଏବଂ ବାଲିଶଙ୍କରା ବ୍ଲକ୍ ର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସହ ୩ ଟି ଶିଶୁ ଯତ୍ନ ଅନୁଷ୍ଠାନ ( ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନ)କୁ ସବୁଦିନ ପାଇଁ ଚିକ୍କି ଯୋଗାଇ ଆସୁଛନ୍ତି।

ଏହାଦ୍ୱା୍ରା ପାଖାପାଖି ୧୮ହଜାର ଶିଶୁ ଉପକୃତ ହେଉଛନ୍ତି। ସେମାନଙ୍କ ପୁଷ୍ଟିର ହାର ବଜାୟ ରଖାଯାଇପାରୁଥିବା ପ୍ରକାଶ। ଏହି ଚିକ୍କି ଉତ୍ପାଦନରେ ମାସକୁ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୯ ଲକ୍ଷ ଟଙ୍କା ରୋଜଗାର କରାଯାଇପାରୁଛି । ଯାହା ଫଳରେ ପ୍ରତି ସଦସ୍ୟ ମାସକୁ ୫ ହଜାରରୁ ୬ ହଜାର ଟଙ୍କା ପାଉଛନ୍ତି। ଏହା ସେମାନଙ୍କ ପିଲାଙ୍କ ପାଠପଢ଼ା, ଘରର ଅନ୍ୟାନ୍ୟ ଖର୍ଚ୍ଚ ଉଠାଇବାରେ ବେଶ୍ ସହାୟକ ହେଉଛି ।




Related Articles

Leave a Reply

Your email address will not be published. Required fields are marked *

Back to top button