ମରୁଭୂମିରେ ନଭଶ୍ଚୁମ୍ବୀ ମରୀଚିକା : ଟ୍ବିନ୍ ଟାୱାର ‘ଏପିକନ୍’ – Utkal Mail
ସାଉଦି ଆରବରେ ଆଉ ଏକ ଦର୍ଶନୀୟ ନଭଶ୍ଚୁମ୍ବୀ ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇଛି। ‘ଏପିକନ୍’ ନାମକ ଏହି ଦ୍ବୈତ ଅଟ୍ଟାଳିକା ପ୍ରକଳ୍ପ ମରୁଭୂମିରେ ମରୀଚିକା ଭ୍ରମ ଆଣିବ ବୋଲି କୁହାଯାଉଛି। ସ୍ଥପତି ମାର୍ଗଟ୍ କ୍ରାସୋଜେଭିକ୍ଙ୍କ ଦ୍ବାରା ପରିକଳ୍ପିତ ଏହି ଦ୍ବୈତ ଅଟ୍ଟାଳିକା ଲୋହିତ ସାଗରର ଉତ୍ତର ଭାଗକୁ ରହିଥିବା ଆକାବା ଉପସାଗର କୂଳରେ ନିର୍ମିତ ହେବ। ଏହି ଦୁଇ ଟାୱାର ମଧ୍ୟରୁ ସାନଟି ୨୨୫ ମିଟର ବା ୭୪୦ ଫୁଟ ଉଚ୍ଚତାର ହେବାକୁ ଥିବା ବେଳେ ବଡ଼ଟିର ଉଚ୍ଚତା ୨୭୫ ମିଟର ବା ୯୦୦ ଫୁଟ ହେବ। ଟାୱାର ଦୁଇଟିରେ ବିଳାସପୂର୍ଣ୍ଣ ହୋଟେଲ ଓ ସନ୍ତରଣାଗାର ସମେତ ବ୍ୟାୟାମଶାଳା, ପାଠାଗାର, କାର୍ଯ୍ୟସ୍ଥଳୀ ଓ ପ୍ରତୀକ୍ଷାଳୟ ପରି ଅନ୍ୟାନ୍ୟ ସୁବିଧାମାନ ରହିବ। ଏହି ଦ୍ବୈତ ଟାୱାରଠାରୁ ଅଳ୍ପ ଦୂରରେ ଏକ ତୃତୀୟ ଟାୱାର ନିର୍ମାଣ କରାଯିବ, ଯାହା ଏକ ଉପକୂଳ ଆମୋଦସ୍ଥଳୀ ହେବ। ଏହି ପ୍ରକଳ୍ପରେ ସବୁଜିମା ଶୋଭା ପାଇବା ସହ ଏକାଧିକ ଟେରାସ୍ ଓ ଅଗଣା ରହିବ।
ଏହା ବ୍ୟତୀତ ୪୫ଟି ଉପକୂଳସ୍ଥ ବାସଭବନ ନିର୍ମାଣ କରାଯିବ ଯାହା ସଂପୃକ୍ତ ସ୍ଥାନର ପାରିପାର୍ଶ୍ବିକ ବିକ୍ଷିପ୍ତ ମରୁଭୂମିର ପ୍ରାକୃତିକ ଦୃଶ୍ୟକୁ ଜୀବନ୍ତ କରାଇବ। ସୂଚନାଯୋଗ୍ୟ, ସାଉଦି ମରୁଭୂମିକୁ ଏକ ପର୍ଯ୍ୟଟକ ସ୍ବର୍ଗରେ ପରିଣତ କରିବା ପାଇଁ ଏହି ପ୍ରକଳ୍ପ ହେଉଛି ଏକ ମହତ୍ତ୍ବାକାଂକ୍ଷୀ ପ୍ରୟାସର ଅଂଶବିଶେଷ, ଯେଉଁଥିରେ ୧୭୦ କି.ମି. ଦୀର୍ଘ ନଭଶ୍ଚୁମ୍ବୀ ଅଟ୍ଟାଳିକା, ‘ମୁକାବ’ ନାମକ ବିଶାଳ ଗଗନଶ୍ଚୁମ୍ବୀ ଅଟ୍ଟାଳିକା ଓ ବିଶ୍ବର ପରବର୍ତ୍ତୀ ଉଚ୍ଚତମ ଅଟ୍ଟାଳିକା ‘ଜେଦାହ ଟାଵାର’ ଆଦି ସାମିଲ ଅଛି। ‘ଏପିକନ୍’ ପ୍ରକଳ୍ପର ନିର୍ମାଣ ଅବଧି, ଖର୍ଚ୍ଚ, ସ୍ଥପତି ଓ ନିର୍ମାଣକାରୀ ସଂସ୍ଥା ସମ୍ପର୍କରେ ସବିଶେଷ ବିବରଣୀ ଏ ଯାଏ ପ୍ରଘଟ କରାଯାଇନାହିଁ।