ରାଜନୀତି

ବେତନଟୀ ବସଷ୍ଟାଣ୍ଡ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଜେପି ବିଧାୟକଙ୍କୁ ଅଣଦେଖା ଅଭିଯୋଗ – Utkal Mail


ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବେତନଟୀ ବସଷ୍ଟାଣ୍ଡ ଉଦଘାଟନ କାର୍ଯ୍ୟକ୍ରମରେ ବିଜେପି ବିଧାୟକଙ୍କୁ ଅପମାନ କରାଯାଇଥିବା ଅଭିଯୋଗ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପିର ବଡ଼ସାହି ବିଧାୟକ ସନାତନ ବିଜୁଳି।
ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନ ବେତନଟୀ ଠାରେ ବସଷ୍ଟାଣ୍ଡ ଉଦଘାଟନୀ ଉତ୍ସବରେ ବିଧାୟକଙ୍କୁ ଅପମାନ ହୋଇଥିବା ନେଇ ଅଭିଯୋଗ ଆଣିଛି ବିଜେପି। ବିଜେପି ବିଧାୟକଙ୍କୁ ଅପମାନ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି। ସାମ୍ବାଦିକଙ୍କୁ ଏକ ସାକ୍ଷାତକାରରେ ବିଜେପି ଦଳର ସାଂସଦ ଓ ବିଧାୟକଙ୍କୁ ଅପମାନିତ କଣ ପାଇଁ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାରେ ଏକ ସଙ୍ଗେ ୧୧ଟି ବସଷ୍ଟାଣ୍ଡ ଶିଳାନ୍ୟାସ ସହିତ ଭର୍ଚୁଆଲ ମୋଡରେ ବେତନଟୀ ବସଷ୍ଟାଣ୍ଡର ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳର ମାଳମାଳ ବିଜେଡି ନେତାଙ୍କୁ ଆମନ୍ତ୍ରଣ କରାଯାଇଥିବାବେଳେ ସ୍ଥାନୀୟ ବିଧାୟକଙ୍କୁ ନିମନ୍ତ୍ରଣ ଖଣ୍ଡିଏ ଦେବାକୁ ମଧ୍ୟ ଉଚିତ ମଣିନଥିଲା ପ୍ରଶାସନ, ଯାହାପାଇଁ ବିଜେଡିର ଅସହିଷ୍ଣୁତା ସ୍ପଷ୍ଟ ବାରି ହୋଉଥିଲା। ଏଠି ରାଜ୍ୟ ସରକାର ସ୍ଥାନୀୟ ବିଧାୟକଙ୍କୁ ଅପମାନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଏଥିପାଇଁ ଏହି ଅପମାନ ଉପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଠୋର ସମାଲୋଚନା କରିଛନ୍ତି ବିଜେପି ବିଧାୟକ ଶ୍ରୀ ବିଜୁଳି ଓ ତାଙ୍କ ସମର୍ଥକ। ଶ୍ରୀ ବିଜୁଳିଙ୍କ କହିବା ମୁତାବକ ବେତନଟୀରେ ଯାତ୍ରୀଙ୍କ ଦୁଃଖଦୁର୍ଦଶାକୁ ଉପଲବ୍ଧି କରି ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଥମେ ସେ ହିଁ ପ୍ରସ୍ତାବ ଦେଇଥିଲେ ଏବଂ ବିଧାନସଭାରେ ଏନେଇ ଏକାଧିକବାର ଦାବି ମଧ୍ୟ ଉପସ୍ଥାପନ କରିଥିଲେ ଓ ଯୋଉଁଥିପାଇଁ ସରକାର ସେଠାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଏକରକମର ବାଧ୍ୟ ହୋଇଯାଇଥିଲେ। ସେହିଭଳି ଲାଗିଥିବା ଫଳକରେ ତାଙ୍କ ନାମ ମଧ୍ୟ ସ୍ଥାନ ପାଇନଥିବା କଥା କହିଛନ୍ତି ବିଧାୟକ। ବିଧାୟକ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି କି ଏହା ଲୋକଙ୍କର ତାଙ୍କ ପ୍ରତିଥିବା ଆସ୍ଥା ଓ ଭଲପାଇବା ଉପରେ ସ୍ଥାନୀୟ ପ୍ରଶାସନ ଓ ବିଜେଡି ନେତୃବୃନ୍ଦଙ୍କ ଅସହିଷ୍ଣୁତା ଓ ହୀନମାନ୍ୟତା। ଆଗାମୀ ନିର୍ବାଚନରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ଜନସାଧାରଣ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ବିଧାୟକ ସୂଚନା ଦେଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button