ଓଡିଶା

ପିଡିଏସ ଚାଉଳ ଘୋଟାଲା, ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ – Utkal Mail



ନୂଆପଡା: ନୂଆପଡା ଜିଲ୍ଲାରେ PDS ଘୋଟଲାର ଖବର ଏକ ସାଧାରଣ ବ୍ୟାପାର ଭଳି ମନେ ହେଉଥିବା ବେଳେ ବର୍ତ୍ତମାନ ଏହା ଏକ ସାଧାରଣ ଖବରରେ ପରିଣତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଯୋଗାଣ ସହାୟକ ମାନେ ଗରିବ ହିତାଧିକାରୀଙ୍କୁ ଚାଉଳ ଦେବାରେ ବ୍ୟତିକ୍ରମ କରି ଉପରିସ୍ଥ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ସହ ମିଶି ଶହଶହ କ୍ୱିଣ୍ଟାଲ ଚାଉଳ ହଡ଼ପ କରି ଖାଇଯାଇଥିବା ଅଭିଯୋଗ ହେଉଛି । ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ଦୋଷୀ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଭଳି ଘଟଣା ଦିନ କୁ ଦିନ ବଢ଼ିବାରେ ଲାଗିଛି ।

ବର୍ତ୍ତମାନ ଖଡ଼ିଆଳ ବ୍ଲକ ବଡ଼ଦୋହେଲ ଗ୍ରାମ ପଞ୍ଚାୟତ ପଖାନସର ଗାଁର ଶହଶହ ହିତାଧିକାରୀଙ୍କ ଚାରୀ ମାସର ଚାଉଳ ଯୋଗାଣ ସହାୟକ ନଦେଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଯାଇ ଚାଉଳ ପାଇଁ ଗୁହାରି କରିଥିଲେ ହେଁ ଆଜି କାଲି କହି ଭୁଆଁ ବୁଲାଇ ଲୋକଙ୍କୁ ଯୋଗାଣ ସହାୟକ ଠକୁଥିବା ଗରିବ ହିତାଧିକାରୀ ମାନେ କହିଛନ୍ତି । ଏମିତି କି ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେଇ ଚାଉଳ ଉଠାଣ କରି ସବୁତକ ଚାଉଳକୁ ହଡପ କରିଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଚାଉଳ ନମିଳିବାରୁ ଶତାଧିକ ହିତାଧିକାରୀ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଖଡ଼ିଆଳ ବିଡ଼ିଓ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ତୁରନ୍ତ ପାଞ୍ଚ ମାସର ଚାଉଳ ପ୍ରଦାନ ସହ ଯୋଗାଣ ସହାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଆସନ୍ତା ସାତ ଦିନ ମଧ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବୁ ବୋଲି ଆନ୍ଦୋଳନ କାରୀ ମାନେ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଏବାବଦରେ ଖଡ଼ିଆଳ ବିଡ଼ିଓ ବୀରସେନ ବେହେରାଙ୍କୁ ପଚାରିବାରୁ ‘ଆଗରୁ ଏନେଇ କୌଣସି ଅଭିଯୋଗ ହୋଇନାହିଁ, ଆଜି ହିଁ ତଦନ୍ତ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଚାଉଳ ପାଇନଥିବା ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯିବ’ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button