ହିମାଚଳ-ଉତ୍ତରାଖଣ୍ଡରେ ବର୍ଷା ବିପର୍ଯ୍ୟୟ: ୩ ଦିନରେ ୭୧ ମୃତ – Utkal Mail
୧୦ ହଜାର କୋଟି ଟଙ୍କାର କ୍ଷୟକ୍ଷତି, ହିମାଚଳରେ ୧୭୦ରୁ ଅଧିକ ବାଦଲଫଟା ବର୍ଷା ଓ ଭୂସ୍ଖଳନ
ନୂଆଦିଲ୍ଲୀ: ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୩ ଦିନରେ ୭୧ ଜଣଙ୍କ ମୃତ୍ୟୁ ହେଲାଣି। ଅଗଷ୍ଟ ୧୩ରୁ ହିମାଚଳରେ ପ୍ରବଳ ବର୍ଷା ଲାଗି ରହିଛି। କେବଳ ହିମାଚଳରେ ୬୫ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି। ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ଦିନ ଉଦ୍ଧାରକାରୀ ଦଳ ହିମାଚଳରେ ଭୂସ୍ଖଳନ ଯୋଗୁଁ ଭାଙ୍ଗି ଯାଇଥିବା ମନ୍ଦିର ଏବଂ ଘରର ଭଗ୍ନାବଶେଷ ତଳୁ ୩ ମୃତଦେହ ବାହାର କରିଛନ୍ତି। ଶିମ୍ଲାରେ ଶିବ ମନ୍ଦିର ଭୁଶୁଡ଼ିବା ଘଟଣାରେ ପୁଣି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଶିମ୍ଲାର ସ୍ଥାନୀୟ କ୍ରୀଷ୍ଣନଗରରୁ ୬ ଅସ୍ଥାୟୀ ଘର ସମେତ ମୋଟ୍ ୮ଟି ଘର ଭୁଶୁଡ଼ି ପଡ଼ିଛି। ଖରାପ ପାଗ ଯୋଗୁଁ ଆଜି ମଧ୍ୟ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଅଗଷ୍ଟ ୧୯ ପର୍ଯ୍ୟନ୍ତ ହିମାଚଳ ବିଶ୍ବବିଦ୍ୟାଳୟ ବନ୍ଦ ଘୋଷଣା କରାଯାଇଛି। ଏନ୍ଡିଆରଏଫ୍, ଏସଡିଆରଏଫ୍ ଏବଂ ସେନା ବାହିନୀ ମିଳିତ ଉଦ୍ଧାର ଅପରେସନ୍ ଜାରି ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ସୁଖୁ ମଙ୍ଗଳବାର ଦିନ ରାଜ୍ୟରେ ବର୍ଷା ଏବଂ ଭୂସ୍ଖଳନ ସ୍ଥିତି ସମୀକ୍ଷା କରିଛନ୍ତି। କାଙ୍ଗ୍ରା ନିକଟସ୍ଥ ତଳିଆ ଅଞ୍ଚଳରୁ ୮୦୦ରୁ ଅଧିକ ଲୋକଙ୍କୁ ଖାଲି କରାଯାଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ହିମାଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ସପ୍ତାହ ଏବଂ ଜୁଲାଇ ମାସରେ ରାଜ୍ୟରେ ପ୍ରାୟ ୧୦ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହି କ୍ଷତି ଭରଣା କରିବାପାଇଁ ବର୍ଷେ ଲାଗିଯିବ ବୋଲି ସେ କହିଛନ୍ତି। ମଣ୍ଡି ଏବଂ ଶିମ୍ଲା ଜିଲ୍ଲାରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଚଳିତ ମୌସୁମୀରେ ହିମାଚଳରେ ମୋଟ୍ ୧୭୦ରୁ ଅଧିକ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହୋଇଛି। ପାଖାପାଖି ୯,୬୦୦ ଘର ଭାଙ୍ଗିରୁଜି ଯାଇଛି। ସୋଲନ, ଶିମ୍ଲା, ମଣ୍ଡି, ହମିରପୁର ଏବଂ କାଙ୍ଗ୍ରା ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଅନ୍ୟପକ୍ଷେ ଗତ ୨ ଦୁଇ ଦିନ ମଧ୍ୟରେ ଉତ୍ତରାଖଣ୍ଡରେ ବର୍ଷା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ସୋମବାରଠାରୁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି।