ପାନ୍ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀରେ ସାମିଲ ହେବେ ୨୧ ଆଇଆଇଏମ୍ର ନିର୍ଦ୍ଦେଶକ – Utkal Mail
ଭୁବନେଶ୍ୱର:ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଏମ୍ ସମ୍ବଲପୁରରେ ଆସନ୍ତା ଡିସେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ନବମ ପାନ୍ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଭାରତର ସମସ୍ତ ୨୧ଟି ଆଇଆଇଏମ ସାମିଲ ହେବେ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ୍ (ଆଇଆଇଏମ)ର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି “ଅନ୍ତର୍ଭୁକ୍ତୀକରଣଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଉଦ୍ୟମିତା ନବସୃଜନ ଏବଂ ଡିଜିଟାଲ୍ ପ୍ରଶାସନ’ । ଆଇଆଇଏମ୍ ବ୍ୟତୀତ ଆଇଆଇଟି, ଏନଆଇଟିଏବଂ ଭାରତ ତଥା ବିଶ୍ୱର ଅନ୍ୟ ପ୍ରିମିୟମ ମ୍ୟାନେଜମେଂଟ୍ ପ୍ରତିଷ୍ଠାନଗୁଡ଼ିକଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିବେ ।
ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୈୟସ୍ୱାଲ୍ ପାନ୍ ଆଇଆଇଏମ୍ ସମ୍ମିଳନୀର ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, “ବିଭିନ୍ନ ଆଇଆଇଏମର ପ୍ରଫେସର, ଗବେଷକ, ଡକ୍ଟରେଟ୍ ଛାତ୍ରଛାତ୍ରୀ, ଶିଳ୍ପ ପ୍ରଫେସନାଲ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ଭଳି ଅଂଶଗ୍ରହଣକାରୀମାନେ ନିଜ ନିଜ କ୍ଷେତ୍ରର ବିଷୟ ଉପରେ ମୁକ୍ତ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମ ପ୍ରଫେସନାଲ, ଶିକ୍ଷାବିତ୍, ନୀତି ନିର୍ଧାରକ ଏବଂ ଚିନ୍ତାନାୟକମାନଙ୍କୁ ବିଭିନ୍ନ ପରିଚାଳନା କ୍ଷେତ୍ରରେ ସେମାନଙ୍କର ଗବେଷଣା, ଧାରଣାଏବଂ ଉଦ୍ଭାବନ ବାଣ୍ଟିିବା ପାଇଁ ଏକ ଅସାଧାରଣ ମଂଚ ପ୍ରଦାନ କରିବ । ତିନି ଦିନ ଧରି ଅଂଶଗ୍ରହଣକାରୀମାନେ ପ୍ରକାଶନ ସୁଯୋଗ, ଭାବବିନିମୟ କର୍ମଶାଳା, ପୂର୍ଣ୍ଣାଙ୍ଗ ଅଧିବେଶନ ଏବଂ ସମ୍ମାନିତ ବିଦ୍ୱାନ, ନୀତି ନିର୍ଧାରକ ଏବଂ କର୍ପୋରେଟ୍ ନେତୃବୃନ୍ଦଙ୍କ ସହ ରାଉଣ୍ଡ ଟେବୁଲ ଆଲୋଚନା ଦ୍ୱାରା ଉପକୃତ ହୋଇପାରିବେ । ଏଥିରେ ଅଂଶଗ୍ରହଣ ପାଇଁ ବିଭିନ୍ନ ପରିଚାଳନା ବିଷୟ ଉପରେ ଗବେଷଣା ପତ୍ର ଦାଖଲ କରାଯାଇପାରିବ ।