ନୀତି

ବିଶ୍ବର ସବୁଠୁ କଳା ନଦୀ : କୂଳରେ ଛିଡ଼ା ହେଲେ ପାଣିରେ ଛାଇ ବି ଦିଶେ ନାହିଁ – Utkal Mail


ଆଫ୍ରିକା ମହାଦେଶର ଦ୍ବିତୀୟ ବୃହତ୍ତମ ନଦୀ ‘କଙ୍ଗୋ’ର ଏକ ଉପନଦୀକୁ ବିଶ୍ବର ସବୁଠାରୁ କଳା ନଦୀ ଭାବେ ବିବେଚନା କରାଯାଉଛି। ‘ରୁକି’ ନାମକ ଏହି ନଦୀର ପାଣିି ଏତେ କଳା ଯେ ନଦୀ କଡ଼ରେ ଛିଡ଼ା ହୋଇ ଏହାର ପାଣିକୁ ଚାହିଁଲେ ନିଜର ଛାଇ ସୁଦ୍ଧା ଦେଖାଯାଏ ନାହିଁ। ତାହାକୁ ଘେରି ରହିଥିବା ବୃଷ୍ଟିବନ ଜଙ୍ଗଲରୁ ନିର୍ଗତ ପ୍ରଭୂତ ପରିମାଣ ଜୈବପଦାର୍ଥ ଏହାର ଜଳରେ ଦ୍ରବୀଭୂତ ହୋଇ ଏହାର ରଙ୍ଗ କଳା କରିଦେଇଥାଏ ବୋଲି ବୈଜ୍ଞାନିକମାନଙ୍କର ମତ। ବିଶେଷ କରି ପଚା ଉଦ୍ଭିଦମାନଙ୍କଠାରୁ ବାହାରୁଥିବା ଅଙ୍ଗାର-ସମୃଦ୍ଧ ଯୌଗିକଗୁଡ଼ିକ ବର୍ଷା ପାଣିରେ ଧୋଇ ହୋଇ ରୁକି ନଦୀରେ ମିଶୁଥିବାରୁ ତାହା କୃଷ୍ଣବର୍ଣ୍ଣ ଧାରଣ କରିଛି। ବର୍ତ୍ତମାନ ସୁଦ୍ଧା ସବୁଠୁ କଳା ନଦୀ ଭାବେ ବିବେଚିତ ଆମାଜନର ‘ରିଓ ନିଗ୍ରା’ର ପାଣିଠାରୁ ଦେଢ଼ଗୁଣା ଅଧିକ କଳା ବୋଲି ଜଣାଯାଇଛି।

ନିକଟରେ ପ୍ରକାଶିତ ଏକ ବୈଜ୍ଞାନିକ ଅଧ୍ୟୟନର ମୁଖ୍ୟ ଲେଖକ ଡକ୍ଟର ଟ୍ରାଭିସ ଡ୍ରେକ୍‌ଙ୍କ ମଜାଦାର ଟିପ୍ପଣୀ ହେଲା, ରୁକି ହେଉଛି ଏମିତି ଏକ ଚା’ ଯେଉଁଥିରେ ଅଙ୍ଗାରଯୁକ୍ତ ଯୌଗିକଗୁଡ଼ିକ ସିଝିସିଝି ରୁକିର ରଙ୍ଗକୁ କଳା କରିଦେଇଛି। ତେବେ ରୁକିର ଜଳ ଏପରି ଗାଢ଼ କଳା ହେବା ପଛର ବିଜ୍ଞାନସମ୍ମତ କାରଣ ହେଲା, ବନସ୍ପତିରୁ ନିର୍ଗତ ଜୈବିକ ଯୌଗିକଗୁଡ଼ିକ ସାଧାରଣତଃ ଆଲୋକକୁ ଶୋଷି ନେଇଥା’ନ୍ତି। ତେଣୁ ଏହାର ସାନ୍ଦ୍ରତା ଯେତେ ଅଧିକ ହେବ, ନଦୀ ଜଳର ରଙ୍ଗ ସେତେ କଳା ଦେଖାଯିବ। କଙ୍ଗୋ ଅବବାହିକାର ମାତ୍ର ୨୦ ପ୍ରତିଶତ ପାଣି ରୁକି ନଦୀରୁ ଆସେ କିନ୍ତୁ କଙ୍ଗୋ ନଦୀରେ ଦ୍ରବୀଭୂତ ସମସ୍ତ ଅଙ୍ଗାରର ଏହା ଏକ-ପଞ୍ଚମାଂଶ ଯୋଗାଇଥାଏ।




Related Articles

Leave a Reply

Your email address will not be published. Required fields are marked *

Back to top button