ଓଡିଶା

ଆଜିଠୁ ମେକ୍ ଇନ୍ ଓଡିଶା କନକ୍ଲେଭ : ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ , ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଆସିବା ସମ୍ଭାବନା

ଭୁବନେଶ୍ୱର – ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣ । ଡିସେମ୍ବର ୪ ତାରିଖ ଯାଏଁ ଚାଲିବାକୁ ଥିବା ଏହି କନକ୍ଲେଭକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଉଦଘାଟନ କରିବେ । ଦେଶବିଦେଶରୁ ୧୦୦ରୁ ଅଧିକ ଶିଳ୍ପପତି ଏହି ସମାବେଶରେ ଯୋଗଦେବେ। ୧୨୦ରୁ ୧୩୦ଟି କମ୍ପାନିଙ୍କ ଠାରୁ ନିବେଶ ପ୍ରସ୍ତାବ ଆସିବ। ତୃତୀୟ ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିବା ସମ୍ଭାବନା ରହିଛି। ୨୦୧୬ ଏବଂ ୨୦୧୮ରେ ଅନୁଷ୍ଠିତ କନକ୍ଲେଭରେ ଆସିଥିବା ମୋଟ ନିବେଶ ପ୍ରସ୍ତାବ ତୁଳନାରେ ଏଥର ଅଧିକ ନିବେଶ ପ୍ରସ୍ତାବ ଆସିବା ଆଶା କରାଯାଉଛି। ବଡ଼ ବଡ଼ ଉଦ୍ୟୋଗୀ ଓ ପୁଞ୍ଜିପତିମାନେ ଆସି ରାଜ୍ୟରେ ପୁଞ୍ଜି ନିବେଶର ସମ୍ଭାବନା ଦେଖିବେ । ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଜନତା ମଇଦାନରେ ଆୟୋଜିତ ହେଉଛି ।

‘ମେକ୍‌ ଇନ ଓଡ଼ିଶା ସମ୍ମିଳନୀ-୨୦୨୨’ ପୂର୍ବରୁ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ଓଡ଼ିଶା ଏବେ ଦେଶର ଏକ ପ୍ରମୁଖ ନିବେଶସ୍ଥଳୀରେ ପରିଣତ ହୋଇଛି। ଓଡ଼ିଶାରେ ଥିବା ପ୍ରାକୃତିକ ସଂପଦ ଏବଂ ପ୍ରତିଭା ଶିଳ୍ପପତିମାନଙ୍କୁ ନିବେଶ ପାଇଁ ଆକୃଷ୍ଟ କରିଛି। ଏଥିପାଇଁ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଆସିବା ନେଇ ଆଶା ରଖାଯାଇଛି। ପ୍ରଥମ ସଂସ୍କରଣରେ ଓଡ଼ିଶାକୁ ୨ ଲକ୍ଷ ୨୦ ହଜାର କୋଟି ଏବଂ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ ୨ ହଜାର କୋଟି ନିବେଶ ପ୍ରସ୍ତାବ ଆସିଥିଲା। କେବଳ ପ୍ରସ୍ତାବ ଆଣିବାରେ ନୁହେଁ, ତାହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଗରେ ରହିଛି ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି । କରୋନା ମହାମାରୀ ବେଳେ ମଧ୍ୟ ରାଜ୍ୟକୁ ୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏସବୁ ଓଡ଼ିଶାର ନିବେଶ ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି ବୋଲି ସେ କହିଛନ୍ତି।

ରାଜ୍ୟକୁ ପୁଞ୍ଜିନିବେଶ ଆଣିବାକୁ ଚଳିତ ବର୍ଷ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଓ ହାଇଦ୍ରାବାଦରେ ଓଡିଶା ଇନଭେଷ୍ଟର୍ସ ସମ୍ମିଳନୀ କରି ନିବେଶକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button