ନୀତି

ଜୀବନ-ମନ୍ତ୍ର: ରାସପୂର୍ଣ୍ଣିମା – Utkal Mail


କାର୍ତ୍ତିକ ପୂର୍ଣ୍ଣିମାର ଅନ୍ୟ ନାମ ‘ରାସ ପୂର୍ଣ୍ଣିମା’। କୃଷ୍ଣାବତାରର ବିବିଧ ଲୀଳା ମଧ୍ୟରୁ ଶ୍ରେଷ୍ଠ ଲୀଳା ହେଉଛି ‘ରାସ’। କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀକୃଷ୍ଣ ଏହି ଲୀଳା ଆରମ୍ଭ କରିଥିଲେ ବୋଲି ଏହାର ନାମ ରାସପୂର୍ଣ୍ଣିମା ହୋଇଛି। ଏହି ରାସଲୀଳା ‘ଭାଗବତ’ର ଦଶମ ସ୍କନ୍ଧ, ଗୋପଲୀଳାର ଅନ୍ତର୍ଗତ। ଦଶମ ସ୍କନ୍ଧର ୩୦ରୁ ୩୪ ପର୍ଯ୍ୟନ୍ତ ପାଞ୍ଚଟି ଅଧ୍ୟାୟ ହେଉଛି- ‘ରାସ ପଞ୍ଚାଧ୍ୟାୟ’। ଏଥିରେ ଷୋଳସହସ୍ର ଗୋପନାରୀଙ୍କ ସହିତ ଶ୍ରୀକୃଷ୍ଣ ରାସଲୀଳା କରିଥିବାର ବର୍ଣ୍ଣନା ଅଛି।
ଏହି ଲୀଳାର ପୃଷ୍ଠଭୂମିରେ ରହିଛି ଭଗବାନ ବିଷ୍ଣୁଙ୍କର ପୂର୍ବ ଅବତାରର ଉପାଖ୍ୟାନ। ତ୍ରେତୟା ଯୁଗରେ ବିଷ୍ଣୁ ଯେତେବେଳେ ଶ୍ରୀରାମ ଅବତାରରେ ବନଗମନ କରିଥିଲେ, ସେତେବେଳେ ସେ କଠୋର ସଂଯମ ଆଚରଣ କରିଥିଲେ। କିନ୍ତୁ ବନରେ ତପରତ ଥିବା ମୁନିମାନେ ତାଙ୍କର ସୁନ୍ଦର ତନୁଶ୍ରୀ ଦର୍ଶନ କରି କାମମୋହିତ ହୋଇଥିଲେ। ସେମାନଙ୍କ ମନରେ ପତ୍ନୀଭାବ ଜାଗ୍ରତ ହୋଇଥିଲା। ଶ୍ରୀରାମଙ୍କୁ ସେମାନେ ପତିରୂପେ ପାଇବାପାଇଁ କାମନା କଲେ। ଗୋଟିଏ ସମୟରେ ଦେବତାମାନେ ମଧ୍ୟ ତାଙ୍କୁ ସେହିପରି ଭାବରେ ପାଇବାପାଇଁ କାମନା କରିଥିଲେ। ତେଣୁ ସେହି ଦେବତାମାନେ ଓ ମୁନିମାନେ, ଗୋପରେ ନାରୀ ଭାବରେ ଜାତ ହୋଇ ଶ୍ରୀକୃଷ୍ଣଙ୍କର ସଙ୍ଗ ଲାଭ କରିଥିଲେ।
କେବଳ ତ୍ରେତୟା
ଯୁଗର ରାମାବତାରର ଉପାଖ୍ୟାନ ନୁହେଁ; ଦ୍ୱାପର ଯୁଗର କୃଷ୍ଣାବତାରର ଉପାଖ୍ୟାନ ମଧ୍ୟ ଏହି ରାସଲୀଳାର ପୃଷ୍ଠଭୂମିରେ ଅଛି। ‘ରାସ ପଞ୍ଚାଧ୍ୟାୟ’ର ପ୍ରଥମ ଅଧ୍ୟାୟ (ତ୍ରିଂଶ ଅଧ୍ୟାୟ)ରେ ଏହାର ବର୍ଣ୍ଣନା ରହିଛି। କାର୍ତ୍ତିକ ରାସର ଅନ୍ୟ ନାମ ‘ଶରତ୍ ରାସ’। ଏହି ସମୟରେ, ଯେତେବେଳେ ମଲ୍ଲୀଫୁଲ ପରି ଜହ୍ନ ପଡ଼ିଥିଲା, ସେତେବେଳେ ଗୋବିନ୍ଦ ଅର୍ଥାତ୍ ଶ୍ରୀକୃଷ୍ଣ ଗୋପନାରୀମାନଙ୍କର ମନୋବାଞ୍ଛା ପୂରଣ କରିବାପାଇଁ ଇଚ୍ଛା କଲେ। ସେ କାଳିନ୍ଦୀ ତଟର କଦମ୍ବ ମୂଳରେ ତ୍ରିଭଙ୍ଗ ଛନ୍ଦରେ ଠିଆ ହୋଇ ବଂଶୀବାଦନ କଲେ। ସେହି ବଂଶୀର ସ୍ୱରରେ ଥିଲା ଗୋପାଙ୍ଗନାମାନଙ୍କୁ ଆହ୍ୱାନ। ତାହା ଶୁଣି ସେମାନେ ତୁରନ୍ତ ଆସି ଶ୍ରୀକୃଷ୍ଣଙ୍କ ନିକଟରେ ସମବେତ ହୋଇଥିଲେ। କିନ୍ତୁ ଶ୍ରୀକୃଷ୍ଣ କପଟ କରି, ସ୍ୱଗୃହ ଫେରିଯାଇ, ସ୍ୱାମୀ ସେବା ଓ ଗୃହକର୍ମ କରିବାକୁ ସେମାନଙ୍କୁ ଉପଦେଶ ଦେଲେ। ସେଥିରେ ଦୁଃଖୀ ହୋଇ ଗୋପାଙ୍ଗନାମାନେ ତାଙ୍କୁ ସ୍ମରଣ କରାଇ ଦେଇଥିଲେ- ଯେ କାଳିନ୍ଦୀ କୂଳରେ ବ୍ରତ କରି, ହରଗୌରୀଙ୍କୁ ପୂଜି, ସେମାନେ କୃଷ୍ଣଙ୍କୁ ପାଇବା ପାଇଁ ବର ମାଗିଥିଲେ। ବସ୍ତ୍ରହରଣ କାଳରେ ମଧ୍ୟ ଶ୍ରୀକୃଷ୍ଣ ସେମାନଙ୍କୁ ବଂଶୀଛୁଇଁ ପ୍ରତିଶ୍ରୁତି ଦେଇଥିଲେ, ଯେ ବୃନ୍ଦାବନରେ ସେମାନଙ୍କ ସହିତ ସେ ରମଣ କରିବେ। କାର୍ତ୍ତିକ ପୂର୍ଣ୍ଣିମା ଦିନ ରାସଲୀଳା ରଚନା କରି ସେ ଗୋପନାରୀଙ୍କର ସେହି ମନୋକାମନା ପୂରଣ
କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button