କ୍ରାଇମ

ବିଜେବି ଗେଟ୍‌ରେ ପଡ଼ିଲା ତାଲା: ରାସ୍ତାରେ ଟାୟାର ଜାଳି ବିକ୍ଷୋଭ, ଦୁଇ ଘଣ୍ଟା ଟ୍ରାଫିକ୍‌ ଜାମ୍‌ – Utkal Mail


ଭୁବନେଶ୍ବର: ଏକାଧିକ ମାମଲାରେ ଛନ୍ଦି ହୋଇଥିବା ବିଜେବି କଲେଜ ଛାତ୍ର ସଂସଦର ପୂର୍ବତନ ସଂପାଦକ ସ୍ମୃତି ରଂଜନ ପଣ୍ଡାଙ୍କୁ ଗତକାଲି ରାତିରେ ଗିରଫ କରିଛି ବଡ଼ଗଡ଼ ପୋଲିସ। ଗିରଫଦାରୀକୁ ବିରୋଧ କରି ସ୍ମୃତିଙ୍କ ସମର୍ଥନରେ କିଛି ଛାତ୍ରଛାତ୍ରୀ ଆଜି କଲେଜ ଆଗରେ ବିକ୍ଷୋଭ କରିଛନ୍ତି। ଦିନ ପ୍ରାୟ ୧୨ଟା ବେଳେ ଛାତ୍ରଛାତ୍ରୀ କଲେଜ ଫାଟକରେ ତାଲା ପକାଇ ସମ୍ମୁଖ ରାସ୍ତାରେ ଟାୟାର ଜାଳି ରାସ୍ତାକୁ ବନ୍ଦ କରି ଦେଇଥିଲେ। ଫଳରେ ଉଭୟ ପାର୍ଶ୍ବରେ ଭୀଷଣ ଟ୍ରାଫିକ୍‌ ସମସ୍ୟା ସୃଷ୍ଟିହୋଇ ଗାଡ଼ିର ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା।

ଅଭିଯୋଗଅନୁସାରେ, ଗତ ୧୪ ତାରିଖ ଦିନ କଲେଜ ଭିତରେ ସତ୍ୟବ୍ରତ ଶ୍ରୀଚନ୍ଦନଙ୍କ ଭଉଣୀଙ୍କୁ ସ୍ମୃତି ରଂଜନ ପଣ୍ଡା ଓ ସାଥୀ ଖରାପ ବ୍ୟବହାର କରିଥିଲେ। ଖବର ପାଇ ସତ୍ୟବ୍ରତ ପହଞ୍ଚି ପ୍ରତିବାଦ କରିଥିଲେ। ଏହାପରେ ସ୍ମୃତି ଓ ତାଙ୍କର ପ୍ରାୟ ୪୦ ଜଣ ସାଥୀ ସତ୍ୟବ୍ରତଙ୍କୁ ଆକ୍ରମଣ କରିବା ସହ ସୁନା ଚେନ୍‌, ୪୫ ହଜାର ଟଙ୍କା ଛଡ଼ାଇ ‌ନେଇଥିବା ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସ୍ମୃତି ରଂଜନ ପଣ୍ଡା, ସମିମ ଅକ୍ତର, ଚନ୍ଦ୍ରଶେଖର ପାଢୀ, ରଂଜନ ପଣ୍ଡା, ସାୟାଦ୍‌ ସୁଲତାନ୍‌, ରୋହନ ମଲ୍ଲିକ, ସିଦ୍ଧାର୍ଥ ବେହେରା ଓ ଦେବାଶିଷ ସେଠୀଙ୍କ ନାମରେ ମାମଲା ରୁଜୁ କରିଥିଲା। ଗତକାଲି ସ୍ମୃତି କଲେଜ କ୍ୟାମ୍ପସ୍‌ ଭିତରେ ଥିବା ଖବର ପାଇ ବଡ଼ଗଡ଼ ପୁଲିସର ଏକ ଟିମ୍‌ ଚଢ଼ାଉ କରିଥିଲା। ଅନ୍ୟମାନେ ଖସି ଯାଇଥିବା ବେଳେ ପୁଲିସ ସ୍ମୃତିଙ୍କୁ ଗିରଫ କରି ନେଇଥିଲା। ଏହି ଘଟଣାକୁ ନେଇ ଆଜି କଲେଜରେ ତାଙ୍କ ସମର୍ଥକଙ୍କ ଭିତରେ ଉତ୍ତେଜନା ଦେଖା ଦେଇଥିଲା। ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ ଯୋଗୁ ରାସ୍ତାର ଦୁଇପାଖରେ ଗାଡ଼ିଗୁଡ଼ିକ ଅଟକ ରହି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ପୁଲିସ ପ୍ରଥମେ ଭଲରେ ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କିଛି ଛାତ୍ରଛାତ୍ରୀ ପୋଲିସ ସହ ଯୁକ୍ତିତର୍କ କରି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲେ। ତେବେ ଦିନ ପ୍ରାୟ ୨ଟା ବେଳକୁ ପୁଲିସ ରାସ୍ତାରୋକ୍‌ ହଟାଇବାରେ ସଫଳ ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button