ବୀମା ପାଇଁ ବାରମ୍ବାର କଲ ଆସୁଥିଲେ ସାବଧାନ ହୋଇଯାନ୍ତୁ : କ୍ରାଇମ୍ବ୍ରାଞ୍ଚ ଆଇଜି – Utkal Mail
ଭୁବନେଶ୍ବର: ଭବିଷ୍ୟତ ପାଇଁ ଆଜିକାଲି ଲୋକମାନେ ବୀମା କରୁଛନ୍ତି। ଲୋକେ ସ୍ବାସ୍ଥ୍ୟ, ଯାନବାହାନ, ପଶୁପକ୍ଷୀ, ଗୃହ ଓ ଯାତ୍ରୀ ବୀମା କରୁଛନ୍ତି। କିନ୍ତୁ କିଛି ଘରୋଇ କଂପାନି ନାମରେ ଠକେଇ ହେଉଥିବା ନେଇ ମଧ୍ୟ ସାଇବର ଥାନାକୁ ଅଭିଯୋଗ ଆସୁଛି। ତେଣୁ ବୀମା କରିବା ପୂର୍ବରୁ ସତର୍କତା ଅବଲମ୍ବନ କରାଯିବା ଉଚିତ। କ୍ରାଇମ୍ବ୍ରାଞ୍ଚ ଆଇଜି ସଫିନ୍ କେ ଅହମଦ୍ କହିଛନ୍ତି, ସାବଧାନ ଜନସାଧାରଣ। ବୀମା ପାଇଁ ବାରମ୍ବାର କଲ ଆସୁଥିଲେ ସାବଧାନ ହୋଇଯାନ୍ତୁ। ନହେଲେ ଆପଣ ଠକାମୀର ଶିକାର ହୋଇପାରନ୍ତି। ସେହିପରି ଋଣ ପାଇଁ ଫୋନ୍ କଲ୍ ଆସୁଥିଲେ ମଧ୍ୟ ସତର୍କ ରୁହନ୍ତୁ।
ଶ୍ରୀ ଅହମଦ୍ କହିଛନ୍ତି ଗତ ୪ ଅକ୍ଟୋବରରେ ଭୁବନେଶ୍ୱରର ଦିଲୀପ ଜଲାନ ନାମରେ ଜଣେ ବ୍ୟକ୍ତି ୭୬ ଲକ୍ଷ ୧୫ ହଜାର ଟଙ୍କାର ଠକେଇ ଅଭିଯୋଗ ଆଣିବା ପରେ ସାଇବର କ୍ରାଇମ୍ବ୍ରାଞ୍ଚ ଶାଖା ଖୋଡ଼ତାଳ ଆରମ୍ଭ କରିଥିଲା। ତାଙ୍କ ଅଭିଯୋଗ କ୍ରମେ ନୂଆଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ଠକେଇ ହୋଇଥିବା ନେଇ କ୍ରାଇମ୍ବ୍ରାଞ୍ଚର ଟିମ୍ ପତ୍ତା କରିଥିଲେ। ସାଇବର କ୍ରାଇମ୍ ଶାଖା ରଘୁ ଆନନ୍ଦ, ଭୀମ, ରୁପାଲି ଗୁପ୍ତାଙ୍କ ସମତେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ୯ ଲକ୍ଷ ନଗଦ ଟଙ୍କା, ସୁନା ଗହଣା, ଆଧାରକାର୍ଡ, ଡେବିଟ କାର୍ଡ, କ୍ରେଡିଟ କାର୍ଡ, ସିମକାର୍ଡ, ଲାପ୍ଟପ୍ ଆଦି ଜବତ କରାଯାଇଛି। ମୋଟ ୮ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଗକୁ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ।



