ଓଡିଶା

ଏନ୍‌ଏସ୍‌ଟିଆଇ ପ୍ଲସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ: ଶିକ୍ଷା ସହିତ ଦକ୍ଷତାକୁ ଗୁରୁତ୍ୱ ଦେବା ଜରୁରୀ – Utkal Mail



ଖୋର୍ଦ୍ଧା: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ପଦନପୁରଠାରେ ରାଷ୍ଟ୍ରୀୟ ଦକ୍ଷତା ତାଲିମ କେନ୍ଦ୍ର (ଏନ୍‌ଏସ୍‌ଟିଆଇ) ପ୍ଲସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ନିୟମିତ ଶିକ୍ଷା ସହିତ ଦକ୍ଷତାକୁ ମଧ୍ୟ ସମ ଭାବେ ଗୁରୁତ୍ୱ ଦେଲେ ହିଁ ଶିକ୍ଷା ସମ୍ପୂର୍ଣ୍ଣ ହୋଇପାରିବ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ମାଧ୍ୟମରେ ଦକ୍ଷତା ବିକାଶକୁ ୨୦୧୫ରୁ ପ୍ରାଧାନ୍ୟ ଦିଆଯାଇ ଆସୁଛି । ୨୦୪୭ ସୁଦ୍ଧା ଭାରତ ଦକ୍ଷତା କ୍ଷେତ୍ରରେ ସମଗ୍ର ବିଶ୍ୱରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇପାରିବ । ଏହି ଦକ୍ଷତା କେନ୍ଦ୍ରରେ ତାଲିମ ନେଇ ଯୁବବର୍ଗ ନିଜକୁ ଚିହ୍ନିବା ସହ ଦେଶକୁ ମଧ୍ୟ ଆଗକୁ ନେଇପାରିବେ । ମୋଟ ୧୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶରୁ ରାଜ୍ୟ ସରକାର ୫୦% ଅର୍ଥ ଦେଇଛନ୍ତି । ଏହି ଏନ୍‌ଏସ୍‌ଟିଆଇ ପ୍ଲସରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଶ୍ରେଣୀ ଏବଂ ନୂତନ ପିଢିର ଦକ୍ଷତାରେ ପରିପୂର୍ଣ୍ଣ ରହିବ ।

ଖୋର୍ଦ୍ଧା ଜିଲା ଜଟଣୀଠାରେ ୭.୮ ଏକର ପରିମିତ ସ୍ଥାନରେ ଏନ୍‌ଏସ୍‌ଟିଆଇ ସଂସ୍ଥା ନିମନ୍ତେ ପ୍ରସ୍ତାବ ରହିଛି । ଏହି ଅତ୍ୟାଧୁନିକ ଏନ୍‌ଏସ୍‌ଟିଆଇ ପ୍ଲସ ଓଡ଼ିଶା ପାଇଁ ଏକ ବହୁମୁଖୀ ଦକ୍ଷତା କେନ୍ଦ୍ର ଏବଂ ଭବିଷ୍ୟତର ଉଦ୍ୟୋଗୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଏକୀକୃତ କ୍ୟାମ୍ପସ ହେବ । ସମଗ୍ର ଶିକ୍ଷା ଅଭିଯାନ ଅଧିନରେ, ଆଇଆଇଟି ଦ୍ୱାରା ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଚାଲିଥିବା ତାଲିମ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବ । ଏଠାରେ ଉଚ୍ଚମାନର ଦକ୍ଷତା ତାଲିମ ଉପରେ ଧ୍ୟାନ ଦିଆଯିବ । ଏତଦ୍‌ବ୍ୟତୀତ, ଉଦୀୟମାନ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେସନ କେନ୍ଦ୍ର ଏବଂ ବହୁମୁଖୀ ପ୍ରଶିକ୍ଷଣର ଏକ କେନ୍ଦ୍ରସ୍ଥଳୀ ବିକାଶରେ ଏନ୍‌ଏସ୍‌ଟିଆଇ ପ୍ଲସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏନ୍‌ଏସ୍‌ଟିଆଇ ପ୍ଲସ୍‌ରେ ଶିଳ୍ପ ଜଗତର ଆବଶ୍ୟକତା ମୁତାବକ ତାଲିମପ୍ରଦାନକାରୀ ନିର୍ମାଣ ହୋଇପାରିବେ । ଏନ୍‌ଏସ୍‌ଟିଆଇ ପ୍ଲସ୍‌ରେ ଦୀର୍ଘମିଆଦି ସିଆଇଟିଏସ୍ ତାଲିମ ଅନ୍ତର୍ଗତ ପ୍ରାୟ ୫୦୦ ପ୍ରଶିକ୍ଷକଙ୍କୁ ତାଲିମ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଏଥିରେ ଅପ୍‌ସ୍କିଲିଂ ଏବଂ ରିସ୍କିଲିଂ ରେ ମଧ୍ୟ ୫୦୦ ତାଲିମଦାତାଙ୍କୁ ସାମିଲ କରାଯିବ । ଅନ୍ତର୍ଜାତୀୟ ଦକ୍ଷତା କେନ୍ଦ୍ର ମଧ୍ୟ ଏହି ଏନ୍‌ଏସ୍‌ଟିଆଇ ପ୍ଲସ କେନ୍ଦ୍ରରେ ସ୍ଥାନ ପାଇବ । ସ୍କିଲ ଇଣ୍ଡିଆ ଅଂଶଗ୍ରହଣକାରୀଙ୍କ ପାଇଁ ବୁଟକ୍ୟାମ୍ପ ପରିଚାଳନା ଭୂି ଗୁଣାତ୍ମକ ତାଲିମ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ହବ୍ ଭାବେ କାର୍ଯ୍ୟ କରିବ । ଏହି ଭାଗିଦାରିତାରେ ଶିଳ୍ପ ଏବଂ କ୍ଷେତ୍ର ଦକ୍ଷତା ପରିଷଦ (ଏସ୍‌ଏସ୍‌ସି) ମଧ୍ୟ ସାମିଲ ହେବେ ।

ଅନ୍ୟମାନଙ୍କ ମଧ୍ୟରେ ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଗଢେଇ, ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, ରାଜ୍ୟସଭା ସାଂସଦ ମୁନ୍ନା ଖାନ୍‌, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଅତୁଲ କୁମାର ତିୱାରୀ, ତାଲିମ ମହାନିର୍ଦ୍ଦେଶାଳୟ (ଡିଜିଟି)ର ମହାନିର୍ଦ୍ଦେଶକ ତ୍ରିଶାଳଜିତ୍ ସେଠୀ ଏବଂ ଏଆଇସିଟିଇ ର ଅଧ୍ୟକ୍ଷ ଟି.ଜି. ସୀତାରାମ ପ୍ରମୁଖ ଉପସ୍ଥିତ ଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button