ମେକ୍ ଇନ୍ ଓଡ଼ିଶା: ୧୨.୬୧ ଲକ୍ଷ କୋଟିର ପ୍ରସ୍ତାବ ମଞ୍ଜୁର – Utkal Mail
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ତିନିଟି ସଂସ୍କରଣରେ ଆସିଥିବା ୧୬,୭୫,୧୫୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମଧ୍ୟରୁ ୧୨,୬୧,୧୮୭.୦୮ କୋଟି ଟଙ୍କାର ୬୩୩ଟି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ବୋଲି ବିଧାନସଭାରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି। ଶିଳ୍ପ ସ୍ଥାପନ ଲାଗି ନିବେଶ ପ୍ରସ୍ତାବ ସମ୍ପର୍କିତ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କନ୍କ୍ଲେଭ୍ର ୨୦୧୬ ସଂସ୍କରଣରେ ୨,୦୩,୨୩୫ କୋଟି ଟଙ୍କାର ୮୪ଟି ନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୨,୨୯,୯୪୭ କୋଟି ଟଙ୍କାର ୫୮ଟି (୬୯%) ପ୍ରକଳ୍ପ ମଞ୍ଜୁର କରାଯାଇଛି। ସେଥିରୁ ୨,୧୭,୮୪୩ କୋଟି ଟଙ୍କାର ୩୬ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।
ଆସିଥିଲା ୧୬,୭୫,୧୫୭ କୋଟିର ପ୍ରସ୍ତାବ
୧୨,୬୧,୧୮୭ କୋଟିର ପ୍ରକଳ୍ପ ମଞ୍ଜୁର
୬,୦୭,୮୫୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ସେହିପରି କନ୍କ୍ଲେଭ୍ର ୨୦୧୮ ସଂସ୍କରଣରେ ୪,୨୩,୧୧୫ କୋଟି ଟଙ୍କାର ୨୦୨ଟି ନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୩,୯୭,୪୫୮ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଥିବା ବେଳେ ୨,୯୨,୭୨୧ କୋଟି ଟଙ୍କାର ୭୩ଟି ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି। ମେକ୍ ଇନ୍ ଓଡ଼ିଶାର ୨୦୨୨ ସଂସ୍କରଣରେ ୧୦,୪୮,୮୦୭ କୋଟି ଟଙ୍କାର ୭୪୧ଟି ନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୬,୩୩,୭୮୨ କୋଟି ଟଙ୍କାର ୪୬୬ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଥିବା ବେଳେ ୩,୭୮,୧୪୫.୫୪ କୋଟି ଟଙ୍କାର ୯୦ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ଶିଳ୍ପ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଣାଇଛନ୍ତି ଯେ ମେକ୍ ଇନ୍ ଓଡ଼ିଶାର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସଂସ୍କରଣରେ ମଞ୍ଜୁର ହୋଇଥିବା ପ୍ରସ୍ତାବ ମଧ୍ୟରୁ ଯଥାକ୍ରମେ ୬୨%, ୬୭% ଓ ୧୯% ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସେହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୬,୦୭,୮୫୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଦାନି ୱିଲମାର ଏହାର ପ୍ରକଳ୍ପ ସ୍ଥାପନ ଯୋଜନାକୁ ପରବର୍ତୀ ବର୍ଷରେ କରିବାକୁ ସ୍ଥଗିତ ରଖିଥିବା ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି।
ଶିଳ୍ପ ନାମରେ ଜମି ନେଇ ଅନ୍ୟ କାମରେ ଲଗାଇବା ନେଇ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବ୍ରାଡି ଆଣ୍ଡ ମୋରିସ, ଦେଓମାଇନ୍ସ ଆଣ୍ଡ ମିନେରାଲ୍ସ, ପୋସ୍କୋ, ସିଇଏସ୍ସି, ଉତ୍ତମ ଗାଲ୍ଭା, ସାହାରା ଇଣ୍ଡିଆ, ଟିସ୍କୋ, ବ୍ରହ୍ମ ଆଇରନ, ଅରବିଟ ମୋଟର୍ସ, କୋଣାର୍କ ଇସ୍ପାତ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, କ୍ରେବ୍ସ ଇଣ୍ଡିଆ, ଏସିଆନ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ୍ ହେଲ୍ଥ ଓ ଡକ୍ଟର ଆର କେ ପ୍ରସାର ପାୱାରକୁ ଆବଣ୍ଟନ କରାଯାଇଥିବା ଜମି ବ୍ୟବହାର ହୋଇନାହିଁ। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ୮୪୮ ପ୍ରକଳ୍ପ ମଞ୍ଜୁର କରାଯାଇଛି ଯେଉଁଥିରେ ୨୧,୭୩,୮୭୧.୩୪ କୋଟି ଟଙ୍କା ନିବେଶ କରାଯାଉଛି। ପ୍ରଭାବରେ ୯,୧୪,୮୯୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।