ଓଡିଶା

ସୁନାପୁର ଇକୋ ରିଟ୍ରିଟ୍‌କୁ ସ୍ବାଗତ: କାର୍ଯ୍ୟକ୍ଷମ ହେବ ବ୍ଲ୍ୟୁ ଫ୍ଲାଗ୍ ବିଚ୍

ବ୍ରହ୍ମପୁର: ଶୀତ ଋତୁ ସହ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ଆଉ ପାହାଡ଼, ସମୁଦ୍ର, ଝରଣା, ଉଷ୍ମପ୍ରସ୍ରବଣ, ଜଙ୍ଗଲ ଆଦି ଭଳିକି ଭଳି ଜୈବ ବିବିଧତାରେ ଭରପୁର ଗଞ୍ଜାମ ଜିଲ୍ଲାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି। ରାଜ୍ୟ ସରକାର ଲଗାତାର ଦ୍ଵିତୀୟ ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିରେ ଆୟୋଜନ କରିଛନ୍ତି ଇକୋ ରିଟ୍ରିଟ୍। ପ୍ରାକୃତିକ ପରିବେଶ ଘେରା କୃତ୍ରିମ ଆବାସ ମଧ୍ୟରେ ରାତ୍ରୀଯାପନ, ସମୁଦ୍ର ଆଉ ଝାଉଁ ବଣର ଶୋଭାକୁ ଉପଭୋଗ କରି ମନକୁ ତୃପ୍ତ କରିବା ପାଇଁ ସୁଯୋଗ ଆଣିଦେବ ଇକୋ ରିଟ୍ରିଟ୍। ତିନି ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଇକୋ ରିଟ୍ରିଟ୍ ଡିସେମ୍ବର ପହିଲାରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଯିବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପରିଭ୍ରମଣକାରୀ ଓ ପ୍ରକୃତିପ୍ରେମୀଙ୍କ ସକାଶେ ଏହାର ଲୋକାର୍ପଣ କରିବେ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି। ସୁସଜ୍ଜିତ ସୁନାପୁର ବେଳାଭୂମି ପର୍ଯ୍ୟଟକଙ୍କୁ ସତେ ଯେମିତି ହାତ ଠାରି ଡାକୁଛି, ଆସ ମୋ କୋଳରେ ପ୍ରକୃତିର ଭରପୁର ମଜା ଉଠାଅ। ବେଳାଭୂମିରେ ରାସ୍ତା କାର୍ଯ୍ୟ, ବିଦ୍ୟୁତୀକରଣ, ପାନୀୟ ଜଳ, ପରିମଳ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଚତୁଃପାର୍ଶ୍ବ ଏବେ ଚକାଚକ୍। ଇକୋ ରିଟ୍ରିଟ୍ ତମ୍ବୁ, ବିଚ୍ ସେକ୍ ପର୍ଯ୍ୟଟକଙ୍କୁ ପରିଭ୍ରମଣର ଆନନ୍ଦ ଦେବାକୁ ତୟାର। ପର୍ଯ୍ୟଟକଙ୍କ ସୁବିଧା ଦୃଷ୍ଟିରୁ ବିଜୁ ସେତୁ ଠାରୁ ବେଳାଭୂମି ପର୍ଯ୍ୟନ୍ତ ସୁନ୍ଦର ଆଲୋକୀକରଣ କରାଯାଉଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବିଏମ୍‌ସି କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ କୁଲକର୍ଣ୍ଣି ସିଂ, ଏସପି ବା ସର୍ବଣା ବିବେକ ଏମ୍, ଡିଏଫ୍ଓ ଅମ୍ଲାନ ନାୟକ ପ୍ରମୁଖ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

ଏଥର ଇକୋ ରିଟ୍ରିଟ୍ ସହ ଉଲ୍ଲେଖନୀୟ ରହିବ ଯେ ପୁରୀ ପରେ ରାଜ୍ୟର ଦ୍ବିତୀୟ ବ୍ଲ୍ୟୁ ଫ୍ଲାଗ୍ ଫ୍ଲାଗ୍ ବିଚ୍ ସୁନାପୁର ଠାରେ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। ବହୁ ପ୍ରତିକ୍ଷୀତ ବ୍ଲ୍ୟୁ ଫ୍ଲାଗ୍ ବିଚ୍ ଡିସେମ୍ବର ମାସରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବେଳାଭୂମିରେ ଆବଶ୍ୟକ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ପରିବେଶ ଅନୁକୂଳ ଭିତ୍ତିଭୂମି, ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସେବା ଓ ସୁରକ୍ଷା ଆଦି ୩୩ଟି ସର୍ତ୍ତାବଳୀ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ପୂର୍ବରୁ ଥିବା ଅନ୍ତର୍ଜାତୀୟ ବେଳାଭୂମି ଗୋପାଳପୁର ଏବେ ବେଶ୍ ଗହଳଚହଳ ରହୁଛି। ତାର ବିପରୀତ ସୁନାପୁର ବେଳାଭୂମି ଅପେକ୍ଷାକୃତ ଶାନ୍ତ, ଗହଳଚହଳରୁ ଦୂରରେ ପ୍ରକୃତି କୋଳରେ ନିଜ ସମ୍ଭାରକୁ ସଜାଇ ରଖିଛି। ଓଡ଼ିଶାର ଆହୁରି ୧୦ଟି ପ୍ରସ୍ତାବିତ ବ୍ଲ୍ୟ ଫ୍ଲାଗ୍ ବିଚ୍ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଥିବା ୪ଟି ବେଳାଭୂମି ମଧ୍ୟରୁ ଅନ୍ୟତମ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁନାପୁର ସମୁଦ୍ରତଟ। ପରିବେଶ ଅନୁକୂଳ ଶୌଚାଳୟ, ସୌର ଆଲୋକ ବ୍ୟବସ୍ଥା, ସୁରକ୍ଷିତ ଗାଧୁଆ ଅଞ୍ଚଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ, ପାର୍କିଂ ସୁବିଧା, ସ୍ବାଗତ ତୋରଣ, ଅଫିସ ରୁମ୍, ପ୍ରାଥମିକ ଚିକିତ୍ସା, ଜନ ସୂଚନା ବୋର୍ଡ, ବେଳାଭୂମି ପରିମଳ ଓ ପରିଚ୍ଛନ୍ନତା ପାଇଁ ଆବଶ୍ୟକ ଉପକରଣ, ସୁରକ୍ଷା ପାଚେରୀ, ୱାଚ୍ ଟୱାର୍, ଅଡିଓ ସିଷ୍ଟମ୍, ସିସିଟିଭି ସୁବିଧା, ଭିନ୍ନକ୍ଷମଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ, ସବୁଜିମାରେ ଭରପୁର ଅଞ୍ଚଳ, ଜଳ ପରିଚାଳନା ପ୍ରକଳ୍ପ, ଭ୍ରାମ୍ୟମାଣ ସୁଲଭ ଓ ବିଶୁଦ୍ଧ ପିଇବା ପାଣି ସୁବିଧା, ଶିଶୁ ଉଦ୍ୟାନ, ବିଦ୍ୟୁତ୍ ସୁବିଧା ଆଦି ୩୩ଟି ବ୍ୟବସ୍ଥା କର୍ଯ୍ୟକାରୀ ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button