ମନ ମୋହୁଛି ଯୁବକଙ୍କ ମହିଳା ରୂପ, କୃତ୍ରିମ ସ୍ବର ମଧ୍ୟ ପୁରୁଷଙ୍କୁ ଧୋକାଦିଏ – Utkal Mail
ଜାପାନରେ ଏମିତି ଅନେକ ବେଶ ବଦଳକାରୀ ଯୁବକ ଅଛନ୍ତି ଯେଉଁମାନେ ମହିଳା ପୋଷାକ ପିନ୍ଧିବାକୁ ପସନ୍ଦ କରିଥା’ନ୍ତି। ଖାଲି ସେତିକି ନୁହେଁ, ସେମାନେ ଏତେ ନିଖୁଣ ଭାବରେ ନିଜକୁ ମହିଳା ପରି ସଜାଇଥା’ନ୍ତି ଯେ ସେଇ ନକଲି ମହିଳା ଚେହେରା ସମସ୍ତଙ୍କୁ ବୋକା ବନାଇ ପାରୁଛି। ତେବେ ଏହି ପ୍ରତିଭାକୁ ବ୍ୟବହାର କରି ଅଳ୍ପ କିଛି ଲୋକ ନିଜ ଅନ୍ଲାଇନ୍ ପ୍ରଶଂସକଙ୍କ ପାଇଁ ବିଷୟବସ୍ତୁ ପରଷି ପାରୁଛନ୍ତି। ସେମାନଙ୍କ ଭିତରେ ହିମେନି ନାମକ ଇନ୍ଫ୍ଲୁଏନ୍ସର ଅନ୍ୟତମ। ତାଙ୍କର ଏହି ରୂପ ବଦଳାଇବା କଳା ବେଶ୍ ଚମତ୍କାର। ସେ ତାଙ୍କର ମଜାଳିଆ ଭିଡିଓ ପାଇଁ ପ୍ରସିଦ୍ଧ, ଯେଉଁଥିରେ ସେ ଯୁବତୀ ବେଶରେ ଅଜଣା ଲୋକଙ୍କ ସହ କଥାବାର୍ତ୍ତା ହୋଇଥା’ନ୍ତି। ତାଙ୍କର କୃତ୍ରିମ ମହିଳା ସ୍ବର ମଧ୍ୟ ପୁରୁଷଙ୍କୁ ଧୋକା ଦେଇଥାଏ।
ଏକ ସାକ୍ଷାତକାରରେ ହିମେନି କହିଛନ୍ତି ଯେ ସେ ଛୋଟ ବୟସରୁ ମହିଳା ପୋଷାକ ପସନ୍ଦ କରୁଥିଲେ। ତେବେ ଅଧିକ ପୁରୁଷୋଚିତ କାର୍ଯ୍ୟ କରିବା ପାଇଁ ତାଙ୍କ ପିତାମାତାଙ୍କ ନିରନ୍ତର ଚାପ ତାଙ୍କୁ ବିଦ୍ରୋହୀ କରିଦେଇଥିଲା। ସେମାନେ ଯେତେ ବେଶୀ ଆକଟ କଲେ, ହିମାନି ସେତେ ଅଧିକ ଝିଅ ବେଶରେ ଦେଖାଦେବା ଆରମ୍ଭ କରିଥିଲେ। ହାଇସ୍କୁଲରେ ସାମୟିକ ଚାକିରି ପାଇବା ପରେ ସେ ନିଜ ପାଇଁ ମହିଳା ପୋଷାକ କିଣିବା ଆରମ୍ଭ କରିଥିଲେ। ଏମିତି ଝିଅ ବେଶରେ ତାଙ୍କୁ ଟିକେ ବି ଲାଜ ଲାଗେ ନାହିଁ। ବରଂ ଏପରି ମହିଳା ପୋଷାକ ପିନ୍ଧିବା ସବୁଠାରୁ ପୁରୁଷସୁଲଭ ଖେଳ ଯାହା କେବଳ ପ୍ରକୃତ ପୁରୁଷମାନେ ହିଁ ଦେଖାଇ ପାରିବେ ବୋଲି ସେ କହନ୍ତି। ତାଙ୍କର ଜଣେ ବାନ୍ଧବୀ ବି ଅଛନ୍ତି। ମାତ୍ର ହିମାନି ପୁରୁଷ ପୋଷାକ ପିନ୍ଧିବାକୁ ବିରକ୍ତିକର ମନେ କରନ୍ତି ଏବଂ ମହିଳା ବେଶରେ ରହିବାକୁ ଅଧିକ ସହଜ ମନେ କରିଥା’ନ୍ତି।



