ନୀତି

ଜିତିଲା ଜୀବନ : ଏଭଳି ଥିଲା ଉଦ୍ଧାର ଅଭିଯାନର ପୂରା ଘଟଣାକ୍ରମ – Utkal Mail


ଉତ୍ତରକାଶୀ ସୁଡ଼ଙ୍ଗରେ ନଭେମ୍ବର ୧୨ରୁ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଥିବା ବିଶାଳ ଅଭିଯାନର ସଫଳ ପରିସମାପ୍ତି ସହ ଏହି ଶ୍ରମିକମାନଙ୍କୁ ନୂଆ ଜୀବନ ମିଳିଛି। ବ୍ରହ୍ମଖାଲ-ଯମୁନୋତ୍ରୀ ରାଜପଥର ନିର୍ମାଣାଧୀନ ସୁଡ଼ଙ୍ଗରେ ଅତଡ଼ା ଧସିବାରୁ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଥିଲା। ଶ୍ରମିକମାନେ ଫସି ରହିବାର ଦିନକ ପରେ ଏକ ୪ ଇଞ୍ଚ ମୋଟେଇର ପାଇପ୍‌ ଜରିଆରେ ସେମାନଙ୍କ ନିକଟକୁ ଶୁଖିଲା ଫଳ ଏବଂ ପାଣି ପଠାଇବା ଆରମ୍ଭ ହୋଇଥିଲା। ଉକ୍ତ ପାଇପ ଯୋଗେ କ‌ମ୍ପ୍ରେସର ବ୍ୟବହାର କରି ଏସବୁ ସାମଗ୍ରୀ ପ୍ରେରଣ କରାଯାଇଥିଲା। ସେହି ପାଇପ୍‌ ଜରିଆରେ ଭିତରକୁ ଅମ୍ଳଜାନ ଯୋଗାଣ ମଧ୍ୟ ହୋଇଥିଲା। ମୂଷା ଗାତଖୋଳା ପଦ୍ଧତିରେ ଏହି ଶ୍ରମିକଙ୍କୁ ଉଦ୍ଧାର ପୂର୍ବରୁ ଅଗର ମେସିନ୍‌ ଦ୍ବାରା ଖୋଳିବା କାର୍ଯ୍ୟ ବାରମ୍ବାର ବିଫଳ ହୋଇଥିଲା। ଆଜି ରାତିରେ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ଦେଶବାସୀଙ୍କୁ ଆଶ୍ବସ୍ତ କରିଛି। ଏଭଳି ଥିଲା ଉଦ୍ଧାର ଅଭିଯାନର ଘଟଣାକ୍ରମ। 

ନଭେମ୍ବର ୧୪: ୮୦୦:୯୦୦ ମିଲିମିଟର ବ୍ୟାସ ବିଶିଷ୍ଟ ଇସ୍ପାତ ପାଇପଗୁଡିକ ଟନେଲ ସାଇଟ୍‌କୁ ଅଣାଯାଇ ଭୂସମାନ୍ତରାଳ ଖନନ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା।ଏକ ଆଗର ମେସିନ୍ ସାହାଯ୍ୟରେ ଚାଲିଥିବା ଖନନ ବିଭିନ୍ନ ବାଧାର ସମ୍ମୁଖୀନ ହୋଇଥିଲା ଏବଂ ମେସିନର ବ୍ଲେଡ୍‌ ଏଥିରେ ଫସି ଯାଇଥିଲା। ତେବେ ଫସି ରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ, ବିଦ୍ୟୁତ୍ ଏବଂ ଔଷଧ ଯୋଗାଣରେ ସମସ୍ୟା ହୋଇନଥିଲା ଏବଂ ଏହା ଜାରି ରହିଥିଲା।
ନଭେମ୍ବର ୧୫: ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ଥିବା ଅଗର ମେସିନ୍ ଦ୍ବାରା ଖୋଳିବା କାର୍ଯ୍ୟ ମନ୍ଥର ହେବାରୁ ଅତ୍ୟାଧୁନିକ ‌ଅଗର ମେସିନ ଆଣିବା ବ୍ୟବସ୍ଥା କରାଯାଇଥିଲା। ଆମେରିକାରେ ନିର୍ମିତ ଭୂସମାନ୍ତରାଳ ଡ୍ରିଲିଂ ଅଗର ମେସିନ ଉଦ୍ଧାରକାରୀ ଦଳ ଆଣିଥିଲେ। ଭାରତୀୟ ବାୟୁସେନାର ହରକୁଲେସ ସି:୧୩୦ ବିମାନରେ ତାହାକୁ ଦିଲ୍ଲୀରୁ ଅଣାଯାଇଥିଲା।
ନଭେମ୍ବର ୧୬: ଆମେରିକାରେ ନିର୍ମିତ ଅଗର ମେସିନ ୩ ଫୁଟ ଚଉଡ଼ାର ପାଇପ୍‌ ଭର୍ତ୍ତି କରିବା ଲାଗି ଡ୍ରିଲିଂ କାର୍ଯ୍ୟ ଆରମ୍ଭ କରିଥିଲା।
ନଭେମ୍ବର ୧୮: ପୂର୍ବତନ ସେକ୍ରେଟାରି ଭାସ୍କର ଖୁଲବେଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶ୍ରମିକଙକ୍ ଉଦ୍ଧାର ପାଇଁ ୫ ପ୍ରକାର ରଣନୀତି ପ୍ରସ୍ତୁତ କରାଗଲା। ଭୂଲମ୍ବ ଡ୍ରିଲିଂ ସହିତ ଟନେଲର ଉଭୟ ପଟୁ ଏସକେପ୍‌ ଚ୍ୟାନେଲ ନିର୍ମାଣ ଯୋଜନା ସହିତ ବାରକୋଟ୍ ପଟୁ ଏକ ଉଦ୍ଧାର ସୁଡ଼ଙ୍ଗ ନିର୍ମାଣ ଏବଂ ଭୂସମାନ୍ତରାଳ ଡ୍ରିଲିଂ ଜାରି ରଖିବା ଲାଗି ଯୋଜନା ପ୍ରସ୍ତୁତ ହେଲା।
ନଭେମ୍ବର ୨୦: ୯ ଦିନର ଅକ୍ଳାନ୍ତ ଉଦ୍ୟମ ପରେ ଉଦ୍ଧାରକାରୀ ଦଳ ଏକ ବଡ଼ ସଫଳତା ହାସଲ କରିଥିଲେ। ଫସିଥିବା ଶ୍ରମିକଙ୍କ ନିକଟକୁ ଏକ ୬ ଇଞ୍ଚର ପାଇପ ଖୋଳି ପଠାଇବାକୁ ସକ୍ଷମ ହୋଇଥିଲେ। ଏହାଫଳରେ ଶ୍ରମିକମାନେ ରନ୍ଧାଖାଦ୍ୟ ସହିତ ପୋଷାକ ପାଇପାରିଥିଲେ।
ନଭେମ୍ବର ୨୧: ଫସିଥିବା ଶ୍ରମିକଙ୍କ ପ୍ରଥମ ଅଡିଓ:ଭିଜୁଆଲ ସିଲ୍କିୟା‌ରା ଟନେଲ ଭିତରୁ ବାହାରକୁ ଆସିଥିଲା। ୬ ଇଞ୍ଚ ପାଇପ୍‌ ଜରିଆରେ ଏଣ୍ଡୋସ୍କୋପିକ୍‌ କ୍ୟାମେରା ଭିତରକୁ ପଠାଯିବା ଦ୍ବାରା ଏହା ସମ୍ଭବ ହୋଇଥିଲା।
ନଭେମ୍ବର ୨୨: ଉଦ୍ଧାରକାରୀ ଦଳ ୪୫ ମିଟର ପର୍ଯ୍ୟନ୍ତ ଖୋଳିବାକୁ ସମର୍ଥ ହୋଇଥିଲେ। ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ଆଉ ମାତ୍ର ୧୫ ମିଟର ଡ୍ରିଲିଂ ଆବଶ୍ୟକ ଥିଲା। ତେବେ ହଠାତ ଆବର୍ଜନା ଧସି ଆସିବାରୁ ମେସିନ୍‌ ଅଚଳ ହୋଇଯାଇଥିଲା। କେତେକ ଲୁହା ରଡ୍‌କୁ ମେସିନ ସମ୍ମୁଖୀନ ହେବାରୁ ବଡ଼ ସମସ୍ୟା ଉପୁଜିଥିଲା।
ନଭେମ୍ବର ୨୩: ଡ୍ରିଲିଂରେ ରହିଥିବା ବାଧା ହଟାଇବା ପାଇଁ ଯୁଦ୍ଧସ୍ତରରେ କାମ ଚାଲିଥିଲା ଏବଂ ୬ ଘଣ୍ଟା ଡ୍ରିଲିଂ ବନ୍ଦ ରହିବା ପରେ ପୁଣି ସକାଳେ ଆରମ୍ଭ ହୋଇଥିଲା। ତେବେ ପୁଣି ପାହାଡ଼ର ତଳ ଉପର ଫାଟ ଯୋଗୁଁ ଡ୍ରିଲିଂ ମେସିନ୍‌ କାମ କରିନଥିଲା।
ନଭେମ୍ବର ୨୪: ବହୁ ବାଧାବିଘ୍ନ ଭିତରେ ଚାଲିଥିଲା ଡ୍ରିଲିଂ ପୁଣି ଅଟି ଯାଇଥିଲା। ଧାତବ ପଦାର୍ଥ ମାଡ଼ ହେବାପରେ ମେସିନ୍‌ର ଯନ୍ତ୍ରାଂଶ ଭାଙ୍ଗିଯାଇଥିଲା।
ନଭେମ୍ବର ୨୫: ଅନ୍ତର୍ଜାତୀୟ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଥିଲେ ଯେ ଅଗର ମେସିନ୍‌ ବାରମ୍ବାର ବିପଳ ହେଉଥିବାରୁ ଖନନର ଅନ୍ୟ ପନ୍ଥା ଅବଲମ୍ବନ କରାଯିବ। ଭୂଲମ୍ବ ଖନନ ସହିତ ପାରମ୍ପରିକ ଖନନ ଉପରେ ସେ ଗୁରୁତ୍ବ ଦେଇଥିଲେ।
ନଭେମ୍ବର ୨୬: ଭୂଲମ୍ବ ଖନନ ପାଇଁ ଉପକରଣ ପହଞ୍ଚିଲା ଏବଂ ଏହି ପ୍ରକ୍ରିୟା ଆରମ୍ଭ ହେବା ସହିତ ଭୂଷଶ ଗାତଖୋଳା ପଦ୍ଧତିରେ ଅଭିଜ୍ଞ ଶ୍ରମିକମାନଙ୍କୁ ମଧ୍ୟ ଖନନରେ ନିୟୋଜିତ କରାଯାଇଥିଲା।
ନଭେମ୍ବର ୨୭: ଉଭୟ ପଦ୍ଧତିରେ ଚାଲିଥିବା ଖନନରେ ସନ୍ତୋଷଜନକ ଅଗ୍ରଗତି ନୂଆ ଆଶା ସଂଚାର କରିଥିଲା ଏବଂ ଶ୍ରମିକମାନେ ଶୀଘ୍ର ବାହାରିବା ଆଶ ବଳବତ୍ତର ହେଲା।
ନଭେମ୍ବର ୨୮: ଖନନ ପ୍ରକ୍ରିୟା ସଫଳ ହେବା ସହିତ ଉଦ୍ଧାରକାରୀ ଯବାନ ଟନେଲ୍‌ରେ ପ୍ରବେଶ କଲେ। ସମସ୍ତ ୪୧ ଶ୍ରମିକଙ୍କ ପାଇପ୍‌ ମାଧ୍ୟମରେ ବାହାରକୁ ଆଣିବା ପ୍ରକ୍ରିୟା ସଫଳ ହେଲା। ଜରୁରୀ ସ୍ବାସ୍ଥ୍ୟ ପରୀକ୍ଷା ପରେ ଏବେ ଶ୍ରମିକମାନଙ୍କୁ ନିରୀକ୍ଷଣରେ ରଖାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button