ଧଉଳି ବଂଶୀଧର କାଳିଆ ହତ୍ୟା ମାମଲା: ୪ ବର୍ଷ ପରେ ପୁଲିସ ଜାଲରେ ପିଣ୍ଟୁ – Utkal Mail
ଧଉଳି: ୨୦୧୯ ମସିହାରେ ଧଉଳି ଥାନା ଅଞ୍ଚଳରେ ଘଟିଥିବା ବଂଶୀଧର କାଳିଆ ହତ୍ୟା ମାମଲାରେ ଫେରାର୍ ଥିବା ଜଗନ୍ନାଥପୁରପାଟଣାର ପିଣ୍ଟୁ ପଣ୍ଡା(୩୯) ଶେଷରେ ଧରାପଡ଼ିଛି। ୪ ବର୍ଷ କାଳ ପୁଲିସ ଆଖିରେ ଧୂଳି ଦେଇ ଖସି ଯାଉଥିବା ପିଣ୍ଟୁକୁ ଆଜି ମଧ୍ୟାହ୍ନରେ ପୁଲିସ ତା’ ଗାଁ ମୁଣ୍ଡରୁ ମାଡ଼ିବସିଥିଲା। ଜଟଣୀରୁ ଘରକୁ ଆସୁଥିବା ଖବର ପାଇ ଗାଁ ମୁଣ୍ଡରେ ଛଦ୍ମବେଶରେ ଛକି ବସିଥିବା ପୁଲିସ ଟିମ୍ ପିଣ୍ଟକୁ କାବୁ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି।
ପୁଲିସ ସୂଚନାନୁସାରେ ଏହି ହତ୍ୟା ମାମଲାରେ ପୂର୍ବରୁ ନିଲୁ ପଣ୍ଡାର ୩ ଭାଇ ପ୍ରଦୀପ, ଦେବୁବ୍ରହ୍ମା ଓ ଦିଲୀପକୁ ଗିରଫ କରାଯାଇଥିଲା। କିନ୍ତୁ ନିଲୁ ଫେରାର୍ ହୋଇଯାଇଥିଲା। ପ୍ରାୟ ୩ ବର୍ଷ କାଳ ନିଲୁ ଓଡ଼ିଶା ବାହାରେ ରହିଥିଲା। ପରିବାର ସହ ଯୋଗାଯୋଗ ବନ୍ଦ କରିବା ସହ ଆଦୌ ମୋବାଇଲ୍ ବ୍ୟବହାର କରୁନଥିବାରୁ ତାକୁ ଠାବ କରିବା ସମ୍ଭବ ହୋଇନଥିଲା। କିନ୍ତୁ ଗତ ପ୍ରାୟ ବର୍ଷେ ହେବ ସେ ଓଡ଼ିଶା ଫେରିଆସି ଜଟଣୀରେ ରହୁଥିଲା। ଜଟଣୀରେ ରହିବା ଭିତରେ ସେ ଗାଁକୁ ଯିବାଆସିବା ଆରମ୍ଭ କରିଥିଲା। ବହୁ ସମୟରେ ରାତିରେ ଆସି ଘରେ ରହୁଥିଲା। ଦିନବେଳା ଆଦୌ ଘରୁ ବାହାରୁନଥିଲା। ପୁଣି ରାତିରେ ହିଁ ସେ ଜଟଣୀ ଫେରିଯାଉଥିଲା। ତେଣୁ ତାକୁ ଧରିବା ପାଇଁ ପୁଲିସ ନିୟୋଜିତ କରିଥିବା ଖବରୀମାନେ ବି ପିଣ୍ଟଚର ଟେର୍ ପାଉନଥିଲେ। ତେବେ କଥା ବେଶି ଦିନ ଛପିନଥିଲା। ସେ ଗାଁକୁ ଯିବାଆସିବା ଖବର ପୁଲିସ ପାଖରେ ପହଞ୍ଚିଥିଲା। ତେଣୁ ପୁଲିସ ପୁଣି ପିଣ୍ଟୁକୁ ଟ୍ରାପ୍ କରିବାକୁ ଅଭିଯାନ ଆରମ୍ଭ କରିଥିଲା। ଆଜି ସକାଳୁ ଧଉଳି ଥାନା ପୁଲିସ ପିଣ୍ଟୁ ଘରକୁ ଆସୁଥିବା ନେଇ ଏକ ବିଶ୍ବସ୍ତସୂତ୍ରରୁ ଖବର ପାଇ ଛକି ରହିଥିଲା।
ଗୋପୀନାଥପୁର କୁମାରଡିହ ରାସ୍ତାରେ ପୁଲିସ ଟିମ୍ ପିଛା କରିକରି ପିଣ୍ଟୁକୁ ଧରିଥିଲା। ସୂଚନାଯୋଗ୍ୟ ଯେ ୨୦୧୯ ମସିହାରେ ଧଉଳି ରଜ ମହୋତ୍ସବ ଦେଖିବାକୁ ଯାଇଥିବା ବେଳେ ଏକ ଚଉକିରେ ବସିବାକୁ ନେଇ ବଂଶୀଧର କାଳିଆ(୭୦)ଙ୍କ ସହ ପ୍ରଦୀପ ପଣ୍ଡାଙ୍କର ବଚସା ହୋଇଥିଲା। ବଚସା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଖବର ପାଇ ପ୍ରଦୀପର ୩ ଭାଇ ଦିଲୀପ, ଦେବୁବ୍ରହ୍ମା ଓ ନିଲୁ ମହୋତ୍ସବ ପଡ଼ିଆରେ ପହଞ୍ଚି ବୃଦ୍ଧ ବଂଶୀଧରଙ୍କୁ କାଠଫାଳିଆରେ ନିର୍ଘାତ୍ ପିଟିଥିଲେ। ଗୁରୁତର ଅବସ୍ଥାରେ ବଂଶୀଧରଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।