ସତ୍ୟମ ଦୁର୍ନୀତି ମାମଲା: ରାଜୁଙ୍କ ସମେତ ୫ଜଣ ଗଣିବେ ୧୭୪୭ କୋଟି – Utkal Mail
ମୁମ୍ବାଇ: ସତ୍ୟମ କମ୍ପ୍ୟୁଟର ସର୍ଭିସେସ୍ ଦୁର୍ନୀତି ମାମଲାରେ ଏହାର ପ୍ରତିଷ୍ଠାତା ବି ରାମଲିଙ୍ଗା ରାଜୁ, ଅନ୍ୟ ୪ ଜଣ ବ୍ୟକ୍ତି ଓ ଗୋଟିଏ ସଂସ୍ଥା ୧୭୪୭ କୋଟି ଟଙ୍କା ଦାଖଲ କରିବାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିର୍ଦ୍ଦେଶ ଦେଇଛି। ୧୪ ବର୍ଷର ଏହି ପୁରୁଣା ଦୁର୍ନୀତି ମାମଲାରେ ସେମାନେ ବେଆଇନ ଭାବେ ଅର୍ଜନ କରିଥିବା ୬୨୪ କୋଟି ଟଙ୍କା ସହିତ ବାର୍ଷିକ ୧୨ ପ୍ରତିଶତ ସୁଧ ଆକାରରେ ଏ ବାବଦରେ ମୋଟ ୧୭୪୭.୫ କୋଟି ଟଙ୍କା ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ଜାନୁଆରି ସୁଦ୍ଧା ଉକ୍ତ ରାଶି ପ୍ରଦାନ ପାଇଁ କୁହାଯାଇଛି। ଉପରୋକ୍ତ ରାଶିର ପ୍ରାୟ ୧୫ ବର୍ଷର ସୁଧ ପରିମାଣ ହେଉଛି ୧୧୨୩ କୋଟି। ଗତମାସ ୩୦ ତାରିଖରେ ସେବି ଉକ୍ତ ଆଦେଶ ପ୍ରଦାନ କରିଛି।
ସେବି ଏହାର ୯୬ ପୃଷ୍ଠାର ନିର୍ଦ୍ଦେଶରେ ଯେଉଁମାନଙ୍କୁ ଉକ୍ତ ଅର୍ଥ ଦେବାପାଇଁ କହିଛି ସେମାନେ ହେଲେ ବି ରାମଲିଙ୍ଗା ରାଜୁ, ରାମା ରାଜୁ, ବି ସୂର୍ଯ୍ୟନାରାୟଣ ରାଜୁ, ଭି ଶ୍ରୀନିବାସ, ଜି ରାମକ୍ରିଷ୍ଣା ଏବଂ ଏସଆର୍ଏସ୍ଆର୍ ହୋଲ୍ଡିଂସ୍। ୨୦୦୯ ମସିହା ଜାନୁଆରି ୭ ତାରିଖରେ ଏହି ଜାଲିଆତି ମାମଲା ସାମ୍ନାକୁ ଆସିଥିଲା। ତେଣୁ ସେହି ଦିନ ଠାରୁ ଦେୟ ପ୍ରଦାନ ପାଇଁ ଧାର୍ଯ୍ୟ ତାରିଖ ପର୍ଯ୍ୟନ୍ତ ସମୟକୁ ବିଚାରକୁ ନେଇ ସୁଧ ହିସାବ କରାଯାଇଛି। ଏଥିସହିତ ଏକ ରିପୋର୍ଟ ଅନୁଯାୟୀ, ରାମଲିଙ୍ଗା ରାଜୁ ଏବଂ ରାମା ରାଜୁଙ୍କୁ ପ୍ରତିଭୂତି ବଜାରରୁ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୮ ଜୁଲାଇ ୧୪ ଯାଏଁ ବାରଣ କରାଯାଇଛି। ତେବେ ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାର ରାୟ ଉପରେ ଉକ୍ତ ନିଷ୍ପତ୍ତି ନିର୍ଭରଶୀଳ ବୋଲି ସେବି କହିଛି।
ଚଳିତବର୍ଷ ଜୁନରେ ସିକ୍ୟୁରିଟିଜ୍ ଆପିଲେଟ୍ ଟ୍ରିବ୍ୟୁନାଲ (ସ୍ୟାଟ୍) ଚଳିତବର୍ଷ ଜୁନରେ ନଭେମ୍ବର ୩୦ ସୁଦ୍ଧା ଅର୍ଡର ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲା।
ଉଲ୍ଲେଖଯୋଗ୍ୟ ହାଇଦ୍ରାବାଦଭିତ୍ତିକ ସତ୍ୟମ କମ୍ପ୍ୟୁଟର ସର୍ଭିସେସ୍ର ଅଧ୍ୟକ୍ଷ ଥିବା ରାମଲିଙ୍ଗା ରାଜୁ ୨୦୦୯ ଜାନୁଆରି ୭ରେ ଆକାଉଣ୍ଟରେ କାରସାଦି କରିଥିବା ବିଷୟ ସ୍ବୀକାର କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା।