ଏନ୍ଏସ୍ଇ ବି ୪ ଟ୍ରିଲିଅନ୍ ଡଲାର ବଜାର: ବୁଧବାର ବିଏସ୍ଇ, ଶୁକ୍ରବାର ଏନ୍ଏସ୍ଇକୁ ସଫଳତା – Utkal Mail
ମୁମ୍ବାଇ: ଭାରତର ଦୁଇ ଷ୍ଟକ୍ ବଜାର ଐତିହାସିକ ସଫଳତା ହାସଲ କରିଛନ୍ତି। ଅଳ୍ପ ଦିନ ବ୍ୟବଧାନରେ ଦେଶର ଉଭୟ ଷ୍ଟକ ବଜାର ୪ ଟ୍ରିଲିଅନ (ଲକ୍ଷ କୋଟି) ଡଲାର କ୍ଲବ୍ରେ ସାମିଲ ହୋଇଛନ୍ତି। ଗତ ବୁଧବାର ବମ୍ବେ ଷ୍ଟକ ବଜାର (ବିଏସ୍ଇ) ଏହି କ୍ଲବ୍ରେ ସାମିଲ ହୋଇଥିଲା। ଗତ ଶୁକ୍ରବାର ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ (ଏନ୍ଏସ୍ଇ) ଏହି ସଫଳତା ହାସଲ କରିଛି। ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହି ସଫଳତା ବଡ଼ ଉପଲବ୍ଧି ବୋଲି ଏନ୍ଏସ୍ଇ ପକ୍ଷରୁ କୁହାଯାଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ରେ ତାଲିକାଭୁକ୍ତ ହୋଇଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି (ମାର୍କେଟ କ୍ୟାପିଟାଲାଇଜେସନ) ପ୍ରଥମ ଥର ଲାଗି ୪ ଲକ୍ଷ କୋଟି ଡଲାର (୩୩୪.୭୨ ଲକ୍ଷ କୋଟି ଟଙ୍କା)ରୁ ଅଧିକ ହୋଇଛି। ଷ୍ଟକ୍ ବଜାରର ସୂଚକାଙ୍କ ନିଫ୍ଟି ୨୦,୨୯୧ ପଏଣ୍ଟରେ ପହଞ୍ଚିବା ସହ ଏହି ସଫଳତା ମିଳିଛି।
୨୦୧୭ ଜୁଲାଇରେ ଏନ୍ଏସ୍ଇ ଦୁଇ ଟ୍ରିଲିଅନ୍ ଡଲାର କ୍ଲବ୍ରେ ସାମିଲ ହୋଇଥିଲା। ଦୁଇରୁ ତିନି ଟ୍ରିଲିଅନ୍ ଡଲାର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଏହା ୪୬ ମାସ ସମୟ ନେଇଥିଲେ। ୨୦୨୧ ମେ’ରେ ଏନ୍ଏସ୍ଇ ତିନି ଟ୍ରିଲିଅନ ଡଲାର କ୍ଲବ୍ରେ ପ୍ରବେଶ କରିଥିଲା। ତାହାର ପରବର୍ତ୍ତୀ ୪୦ ମାସରେ ଏହା ୪ ଟ୍ରିଲିଅନ ଡଲାର କ୍ଲବ୍ରେ ସାମିଲ ହୋଇଛି। ଗତ ୧୦ ବର୍ଷରେ ତାଲିକାଭୁକ୍ତ କଂପାନିଗୁଡ଼ିକର ବଜାର ପୁଞ୍ଜିରେ ହାରାହାରି ଭାବେ ବାର୍ଷିକ ୧୭.୫ ପ୍ରତିଶତ ବୃଦ୍ଧି ଘଟିଛି। ବଜାର ପୁଞ୍ଜି ଦୃଷ୍ଟିରୁ ଏନ୍ଏସ୍ଇରେ ଶୀର୍ଷ ତିନିଟି ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟିସିଏସ୍ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ରହିଛନ୍ତି। ବଜାର ପୁଞ୍ଜି ଦୃଷ୍ଟିରୁ ଯଦିଓ ଏନ୍ଏସ୍ଇ ୪ ଟ୍ରିଲିଅନ ଡଲାର କ୍ଲବ୍ରେ ସାମିଲ ହୋଇଛି, ମାତ୍ର ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଏହାର ଅବଦାନ ମାତ୍ର ୧.୧୮ ପ୍ରତିଶତ ରହିଛି ଯାହା ଆମେରିକା ଓ ଜାପାନ ଭଳି ବିକଶିତ ଦେଶ ତୁଳନାରେ କମ୍। ସେହିପରି ଏନ୍ଏସ୍ଇର କାରବାର ବେଗ ୪୭ ପ୍ରତିଶତ ରହିଛି ଯାହା ଆମେରିକା, ଜାପାନ, ଦକ୍ଷିଣ କୋରିଆ, ଚୀନ୍ ଓ ବ୍ରାଜିଲଠାରୁ କମ୍ ରହିଥିବା ଜଣାପଡ଼ିଛି।