ଶିକ୍ଷାନୁଷ୍ଠାନରେ ବଢ଼ି ଚାଲିଛି ଆତ୍ମହତ୍ୟା: କଟକଣା ମାନୁନାହାନ୍ତି ଘରୋଇ ହଷ୍ଟେଲ – Utkal Mail
ଭୁବନେଶ୍ବର: ଆଖିରେ ଆଖିଏ ସ୍ବପ୍ନ ନେଇ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ଭୁବନେଶ୍ବର ଆସୁଛନ୍ତି। ସେମାନଙ୍କ ଭିତରୁ କିଛି ବିଭିନ୍ନ କଲେଜରେ ପଢୁଛନ୍ତି, ଆଉକିଛି ପ୍ରବେଶିକା ବା ଚାକିରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନେକ କଲେଜର ନିଜସ୍ବ ହଷ୍ଟେଲ ଥିବାବେଳେ ରାଜଧାନୀର ଗଳିକନ୍ଦିରେ ଆହୁରି ଅନେକ ଘରୋଇ ହଷ୍ଟେଲ ଗଢ଼ି ଉଠିଛି। କିନ୍ତୁ ସେଗୁଡ଼ିକରେ ଛାତ୍ରଛାତ୍ରୀ ରହୁଥିଲେ ହେଁ ଅଧିକାଂଶ ହଷ୍ଟେଲରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନାହିଁ କି କଟକଣା ପାଳନ ହେଉନାହିଁ। ଏହି କାରଣରୁ ଅନେକ ଅଘଟଣ ଘଟୁଛି ଓ ଛାତ୍ର ଛାତ୍ରୀଙ୍କର ଜୀବନ ମଧ୍ୟ ଯାଉଛି। ଏଭଳି ଘଟଣା କ୍ରମଶଃ ବଢ଼ିବାରେ ଲାଗିଛି। ଅଧିକାଂଶ ଘରୋଇ ହଷ୍ଟେଲରେ ମାଲିକମାନଙ୍କ ଧ୍ୟାନ କେବଳ ଭଡ଼ା ଆଦାୟ କରିବାରେ ରହୁଛି। ଛାତ୍ରାବାସ ପାଇଁ ବିଭିନ୍ନ ସରକାରୀ ନିୟମ ଥିଲେ ମଧ୍ୟ ସେସବୁ ପ୍ରତି କେହି ନଜର ଦେଉନାହାନ୍ତି।
କେବଳ ଘରୋଇ ଛାତ୍ରାବାସ ନୁହେଁ, ଅନେକ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା। କେଉଁଠି ସିସିଟିଭି ଲାଗିଥିଲେ ମଧ୍ୟ କାମ କରୁନାହିଁ, କେଉଁଠି ସୁରକ୍ଷାକର୍ମୀ ଥିଲେ ମଧ୍ୟ ଅନ୍ତେବାସୀ କଟକଣା ବିହୀନ ହୋଇ ମନଇଚ୍ଛା ଗେଟ୍ ଖୋଲି ଯେତେବେଳେ ନାହିଁ ସେତେବେଳେ ବାହାରକୁ ପଳାଇ ପାରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତକାଲି ପଟିଆ-ଡମଣା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ର ଛାତ୍ରୀ ଏକ ଘରୋଇ ଶିକ୍ଷାନୁଷ୍ଠାନର। ସେମାନଙ୍କ ଭିତରୁ ୪ ଜଣ ଛାତ୍ରାବାସରେ ରହୁଥିଲେ। ସକାଳ ୬ଟା ପୂର୍ବରୁ ସେମାନେ ଗାଡ଼ି ଧରି ବୁଲିବାକୁ ବାହାରିଥିଲେ ଏବଂ ଦୁର୍ଘଟଣାର ଶିକାର ହୋଇଥିଲେ। ସେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଜୀବନ ସହ ସଂଗ୍ରାମ କରୁଛନ୍ତି। କେବଳ ଏହି ଗୋଟିଏ ଘଟଣା ନୁହେଁ, ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଛାତ୍ରଙ୍କ ଜୀବନ ଯିବା ଭଳି ଘଟଣା ତ ପ୍ରାୟ ନିୟମିତ ଘଟି ଚାଲିଛି। ସେହିପରି କିଛି ଦିନ ପୂର୍ବରୁ ଖଣ୍ଡଗିରି ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନରେ ନିଆଁ ଲାଗିବା ଦ୍ବାରା ହଷ୍ଟେଲର ଦୁଇଜଣ ଅନ୍ତେବାସୀ ଆହତ ହୋଇଥିଲେ।
କେବଳ ଦୁର୍ଘଟଣା ନୁହେଁ, ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟଲରେ ରେ ଆତ୍ମହତ୍ୟା ସଂଖ୍ୟା ଏବେ ଶୀର୍ଷରେ ପହଞ୍ଚିଛି। ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ଜଣେ ଦୁଇଜଣ ଛାତ୍ର/ଛାତ୍ରୀ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି। କମିସନରେଟ୍ ପୁଲିସର ଜଣେ ଅଧିକାରୀଙ୍କ କହିବାନୁଯାୟୀ ୨୦୨୩ ମସିହା ଏବେ ସୁଦ୍ଧା ରାଜଧାନୀରେ ଥିବା ବିଭିନ୍ନ ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସଡ଼କ ଦୁର୍ଘଟଣା, ନଦୀରେ ବୁଡ଼ି ୨୨ରୁ ଅଧିକ ଜଣଙ୍କ ଜୀବନ ଯାଇଛି। ବହୁ ଛାତ୍ରଛାତ୍ରୀ ଆହତ ହୋଇ ଏବେ ବିକଳାଙ୍ଗ ହୋଇଛନ୍ତି। ଦୁଇଟି ନାମକରା ବିଶ୍ବବିଦ୍ୟାଳୟରେ ଏବର୍ଷ ଦୁଇଟି ଲେଖାଏ ହିଂସାକାଣ୍ଡ ହୋଇଛି। ତେବେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଅଧିକାରୀ ଜଣକ କହିଛନ୍ତି।
ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତିଙ୍କ କହିବା କଥା ହେଉଛି ଯେ ସହରରେ ଥିବା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ହଷ୍ଟେଲ
ଅସୁରକ୍ଷିତ ହୋଇପଡ଼ିଛି। କେଉଁ ଅନ୍ତେବାସୀ କେତେବେଳେ ବାହାରକୁ ଯାଉଛନ୍ତି ଓ ଫେରୁଛନ୍ତି ତାହାର କୌଣସି ଖୋଜ୍ ଖବର ରଖାଯାଉ ନାହିଁ। ହଷ୍ଟେଲ୍ରେ ସିସିଟିଭି ଲଗାଇବାର ନିୟମ ଥିଲେ ମଧ୍ୟ ଅନେକ ମାଲିକ ତାହା ପାଳନ କରୁନାହାନ୍ତି। ହଷ୍ଟେଲ୍ ମାଲିକମାନେ ସ୍ଥାନୀୟ ପୁଲିସ ନିକଟରେ ତଥ୍ୟ ଦେବା କଥା। ମାତ୍ର ସେମାନେ ଦେଉନାହାନ୍ତି କି ପୁଲିସ ମଧ୍ୟ ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରୁନାହିଁ। ଏହାକୁ କଡ଼ାକଡ଼ି ଲାଗୁ କରା ନ ଗଲେ ଭବିଷ୍ୟତରେ ଆହୁରି ଅନେକ ନିରୀହ ଜୀବନ ଚାଲିଯିବ। ଶିକ୍ଷାବିତ୍ ପ୍ରଫେସର ବାସୁଦେବ ଛାଟୋଇଙ୍କ କହିବାନୁଯାୟୀ ମାନସିକ ଭାରସାମ୍ୟ ହରାଇ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥାନ୍ତି। ତାହା ପାଠପଢ଼ା ହୋଇପାରେ କିମ୍ବା ଅନ୍ୟ କିଛି। ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜ ହଷ୍ଟେଲଗୁଡ଼ିକରେ ଗୋଟିଏ ରୁମ୍ରେ ଏକାଧିକ ଛାତ୍ରଛାତ୍ରୀ ରହୁଥିବାରୁ ଆତ୍ମହତ୍ୟା ସଂଖ୍ୟା କମ୍। ମାତ୍ର ଘରୋଇ ଶିକ୍ଷାନୁଷ୍ଠାନରେ ପିଲାମାନେ ଗୋଟିଏ ରୁମ୍ରେ ରହିଥାନ୍ତି। ବେଳେବେଳେ ସେମାନେ ନିଜକୁ ଏକୁଟିଆ ଅନୁଭବ କରି ଆତ୍ମହତ୍ୟା ପନ୍ଥାକୁ ଆପଣାଇଥାନ୍ତି। ଶିକ୍ଷାନୁଷ୍ଠାନ ସ୍ତରରେ ପିଲାମାନଙ୍କ କାଉନସେଲିଂ କରାଗଲେ ଏଭଳି ସମସ୍ୟା ଦୂର ହୋଇପାରିବ।