ସାତ ଦଶନ୍ଧି ହେଲା ଲିଭିନି ଚୁଲି! – Utkal Mail
ଆମ ଦେଶରେ ଏପରି ଅନେକ ଦୋକାନ ବା ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି ଯାହା ଅନେକ ପିଢ଼ି ଧରି ସଫଳତାର ସ୍ଥାୟୀ ସ୍ତମ୍ଭ ଭାବରେ ଛିଡ଼ା ହୋଇ ରହିଛନ୍ତି ଏବଂ ସମୟ ସୁଅରେ ବାଣିଜ୍ୟର ପରମ୍ପରାକୁ ଆଗେଇ ନେଉଛନ୍ତି। ଏହି କ୍ରମରେ ରାଜସ୍ଥାନର ଯୋଧପୁର ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏକ କ୍ଷୀର ଦୋକାନ ପିଢ଼ି ପରେ ପିଢ଼ି ନିରନ୍ତରତାର ଏକ ଜୀବନ୍ତ ଉଦାହରଣ ଭାବେ ଦଣ୍ଡାୟମାନ। ତାହାର ମାଲିକ ବିପୁଲ ନିକୁବଙ୍କର ଏକ ଉଲ୍ଲେଖନୀୟ ଦାବି ତାଙ୍କ ଦୋକାନକୁ ଅନ୍ୟମାନଙ୍କଠାରୁ ପୃଥକ୍ କରିପାରିଛି। ସହରର ସୋଜତି ଫାଟକ ନିକଟରେ ରହିଥିବା ଏହି ନିଆରା ଦୋକାନରେ କ୍ଷୀର ଗରମ କରିବା ପାଇଁ ଜଳୁଥିବା ଚୁଲିଟି ୧୯୪୯ ମସିହାରୁ ଜମା ଲିଭିନାହିଁ ବୋଲି ବିପୁଳ ଦାବି କରିଛନ୍ତି।
ବିପୁଳଙ୍କ କହିବାନୁସାରେ, ଦେଶ ସ୍ବାଧୀନ ହେବାର ଦୁଇ ବର୍ଷ ପରେ ତାଙ୍କ ଜେଜେବାପା ଏହି ଦୋକାନ ଖୋଲିଥିଲେ। ଏଠାରେ ନିର୍ମିତ ଏକ ଚୁଲାରେ କୋଇଲା ଓ କାଠକୁ ଜାଳେଣି ଭାବେ ବ୍ୟବହାର କରି କ୍ଷୀର ଗରମ କରାଯାଏ। ତେବେ ପ୍ରତିଦିନ ୨୨ରୁ ୨୪ ଘଣ୍ଟା ଖୋଲା ରହୁଥିବା ଏହି କ୍ଷୀର ଦୋକାନର ସେହି ପାରମ୍ପରିକ ଚୁଲିଟି ସେବେଠାରୁ ଆଉ ଲିଭିବାକୁ ଫୁରୁସତ ପାଇ ନାହିଁ। ପାଖାପାଖି ୭୫ ବର୍ଷ ହେଲା ଦୋକାନଟି ସେମିତି ନିରନ୍ତର ଚାଲିଛି ଏବଂ ଗରାଖମାନଙ୍କ ପାଇଁ ଉଷୁମ କ୍ଷୀର ପାଇବାର ଏକ ଭରସାଯୋଗ୍ୟ ସ୍ଥାନ ପାଲଟିଛି। ଏହି ସୁନାମକୁ ତୃତୀୟ ପିଢ଼ିର ବିପୁଳ ବଜାୟ ରଖିଛନ୍ତି ଏବଂ ଦୋକାନର ଏହି ନିରନ୍ତରତା ପାଇଁ ତାହା ସମଗ୍ର ଅଞ୍ଚଳରେ ଖ୍ୟାତ ହେବା ସହ ବେପାରରେ ମଧ୍ୟ ସଫଳତା ହାସଲ କରିଚାଲିଛି।