ସାମାଜିକ ଗଣମାଧ୍ୟମକୁ ତାଗିଦ୍: ଡିପ୍ଫେକ୍ ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ – Utkal Mail
ନୂଆଦିଲ୍ଲୀ: ଡିପ୍ଫେକ୍ ସମସ୍ୟାକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଲୋକମାନଙ୍କର ଯେଭଳି କୌଣସି କ୍ଷତି ନହୁଏ ତାହା ସୁନିଶ୍ଚିତ କରିବାକୁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ରୋକ୍ଠୋକ୍ ଶୁଣାଇଛନ୍ତି। ଏକ୍ଷେତ୍ରରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ କହିଛନ୍ତି। ଡିପ୍ଫେପ୍କୁ ‘ଜାଲିଆତି’ ବର୍ଗରେ ରଖି ଅପରାଧିକ ମାମଲା ଆରମ୍ଭ କରାଯାଇପାରିବ ବୋଲି କଂପାନିଗୁଡ଼ିକୁ ସରକାର ମନେ ପକାଇ ଦେଇଛନ୍ତି।ଡିପ୍ଫେକ୍କୁ ନେଇ ସାମାଜିକ ଗଣମାଧ୍ୟମ ସହ ଗତ ନଭେମ୍ବର ୨୪ରେ ଏକ ବୈଠକ ହୋଇଥିଲା। ସେଥିରେ ହୋଇଥିବା ନିଷ୍ପତ୍ତିକୁ ସାତ ଦିନ ଭିତରେ ଲାଗୁ କରିବାକୁ କଂପାନିଗୁଡ଼ିକୁ କୁହାଯାଇଥିଲା। ତାହାର ଅଗ୍ରଗତିକୁ ଏହି ବୈଠକରେ ସମୀକ୍ଷା କରାଯାଇଥିଲା। ସାମାଜିକ ଗଣମାଧ୍ୟମକୁ ସରକାର କହିଛନ୍ତି ଯେ ଯେଉଁ ବ୍ୟବହାରକାରୀ ଡିପ୍ଫେକ୍ର ଶିକାର ହୋଇଛନ୍ତି ସେହି କାର୍ଯ୍ୟ ଆଇଟି ନିୟମ ଅନୁସାରେ ବେଆଇନ ହୋଇଥିବା ବେଳେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ବିଭିନ୍ନ ଧାରା ମଧ୍ୟ ଉଲ୍ଲଂଘନ କରୁଛି। ତେଣୁ ପ୍ରଚଳିତ ନିୟମ ଅନୁସାରେ ଅପରାଧିକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ କିଛି ସଂସ୍ଥା ଆଇନକୁ କଡ଼ାକଡ଼ି ଭାବେ ପାଳନ କରିଥିବା ବେଳେ ଆଉ କିଛି ସଂସ୍ଥା ଆବଶ୍ୟକ ଧ୍ୟାନ ଦେଇନାହାନ୍ତି। ସେମାନଙ୍କୁ ସରକାର ଅଧିକ ସମୟ ଦେଇଛନ୍ତି। ଅଧିକ ସମୟ ଅର୍ଥ ସରକାର ନରମ ଭାବ ପୋଷଣ କରୁଥିବା ଭାବିବା ଭୁଲ ବୋଲି କଂପାନିଗୁଡ଼ିକୁ ସରକାର କହିଛନ୍ତି। ଆଉ ସାତ ଦିନ ପରେ ଏହି ପ୍ରସଙ୍ଗରେ ଆଉ ଏକ ବୈଠକ ବସିବ। ନିୟମକୁ ଆହୁରି କଠୋର କରିବା ଲାଗି ସେଥିରେ ସଂଶୋଧନ କରିବାକୁ ସରକାର ପଛାଇବେ ନାହିଁ। ଭାରତ ସରକାରଙ୍କ ନୂଆ ଆଇଟି ନିୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ କମ୍ ବେଆଇନ ତାହା ବ୍ୟବହାରକାରୀମାନେ ଜାଣିବା ଦରକାର ଏବଂ ସେମାନଙ୍କ ପ୍ରତି ଥିବା ବିପଦର ମୁକାବିଲା କରିବା ଦାୟିତ୍ବ କଂପାନିର।
ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍ଫେକ୍ ଭିଡିଓ ସାରା ଦେଶରେ ଏକ ଅଶ୍ବସ୍ତିକର ଓ ଭୟର ବାତାବରଣ ସୃଷ୍ଟି କରିଥିଲା। କିଛି ଦିନ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ, କାଜୋଲ, ଆଲିଆ ଭଟ୍ଟ ଏବଂ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପ୍ଫେକ୍ର ଶିକାର ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଏକ ବଡ଼ ବିପଦ ବୋଲି କହିଥିଲେ। ଏହା ପରେ ଆଇଟି ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମଗୁଡ଼ିକୁ ଡକାଇ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ।