କ୍ରାଇମ

ଗୋଟିଏ ଘରେ ଶୋଇଥିଲେ ଶାଶୂ-ବୋହୂ: ସକାଳୁ ମିଳିଲା ଶାଶୂଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ – Utkal Mail


ବାରଙ୍ଗ: ବାରଙ୍ଗ ଥାନା ପୁଲିସ ମଧୁପୁର ଗ୍ରାମର ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡ ମୃତଦେହକୁ ଶୋଇବା ଘର ଖଟ ଉପରୁ ଉଦ୍ଧାର କରିଛି। ମୃତ ମହିଳା ହେଉଛନ୍ତି ଚର୍ତୁଭୂଜ ସାହୁ ଓରଫ୍‌ ଚତୁରାଙ୍କ ପତ୍ନୀ ସଚିତ୍ରା ସାହୁ(୫୮)। ମୃତ ମହିଳାଙ୍କ ପୁଅ ସରୋଜ ବାରଙ୍ଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ବୋଉକୁ କେହି ହତ୍ୟା କରିଛି। ଥାନା ଅଧିକାରୀ ଆକାଶଚନ୍ଦ୍ର ରଣା ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି। ଘର ଅଗଣାର ପଛ ପାଖ ଘର ଭିତରେ ଶୋଇବା ଘରେ ପଡିଥିବା ଖଟ ଉପରେ ରକ୍ତ ଜୁଡୁବୁଡ ଶବ ପଡିଥିବା ବେଳେ ମହିଳାଙ୍କ ମୁଣ୍ଡ ଅଗପାଖ ତାଳୁ ଉପର ଫାଟି ପ୍ରଚୁର ରକ୍ତସ୍ରାବ ହୋଇ ଖଟ ଉପରେ ପଡିଥିବା ବେଡସିଟ ଭିଜି ଗଦି ଭିଜି ଯାଇଥିବା ଦେଖିବାକୁ ମିଳିଥିଲା। ଘର ଭିତରେ ସଚିତ୍ରାଙ୍କ ଚୂଡି ସବୁ ଭାଙ୍ଗି ଚୁରମାର ହୋଇ ପଡିଥିବା ଦେଖିବାକୁ ମିଳିଥିଲା। ଘର ଭିତର କବାଟ କିମ୍ବା ଝରକା କିଛି ବି ଖୋଲା ନଥିଲା। ଆଲମିରା କିମ୍ବା କୌଣସି ବାକ୍ସରୁ କିଛି ଚୋରି ହୋଇଥିବାର ପ୍ରମାଣ ବି ନଥିଲା। ପାରିପାର୍ଶ୍ବିକ ସ୍ଥିତି ହତ୍ୟା ସନ୍ଦେହ ବଢାଉଥିବା ବେଳେ ପୁଲିସ ବୋହୂକୁ ଡାକି ପଚରାଉଚରା କରିଥିଲେ ବି ସନ୍ତୋଷଜନକ ଉତ୍ତର ପାଇ ନଥିଲା। ସାଇଣ୍ଟିଫିକ୍‌ ଦଳ ଓ ସନ୍ଧାନୀ କୁକୁର ଘଟଣାର ତଦନ୍ତ କରୁଛନ୍ତି।

ମହିଳାଙ୍କ ସ୍ବାମୀ ଚର୍ତୁଭୂଜଙ୍କ କହିବା ଅନୁଯାୟୀ ତାଙ୍କର କିମ୍ବା ତାଙ୍କ ସ୍ତ୍ରୀଙ୍କର ସାହି ପଡିଶା ଅଥବା ଅନ୍ୟ କାହା ସହିତ କଳହ କିମ୍ବା କୌଣସି ପ୍ରକାରର ମନମାଳିନ୍ୟ ନଥିଲା। ସବୁ ଦିନ ଭଳି ମଙ୍ଗଳବାର ରାତିରେ ସେ ରାସ୍ତା ପାଖକୁ ଲାଗି ଥିବା ଘର ଭିତରେ ଶୋଇଥିଲେ। ପୁଅ ଝିଅ ଘରକୁ ପଢୁଆଁ କରିବାକୁ ଯାଇ ଭଉଣୀ ଘରେ ରହିଯାଇଥିଲା। ସ୍ତ୍ରୀ ଘର ଅଗଣାକୁ ଲାଗି ପଛ ପାଖ ଘର ଭିତରେ ବୋହୂ ସହିତ ଶୋଇ ଥିଲେ। ସକାଳୁ ଉଠି ବୋହୂ ଏଭଳି ହତ୍ୟାକାଣ୍ଡ ସଂପର୍କରେ ସୂଚନା ଦେଇଥିଲେ। ପୁଅ ଭଉଣୀ ଘରୁ ଆସିବା ପରେ ବାରଙ୍ଗ ଥ‌ାନକୁ ଯାଇ ଅଭିଯୋଗ ଦେଇଥିଲେ। ବାରଙ୍ଗ ଥାନା ପୁଲିସ ମାମଲା ରୁଜ୍ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ଓ ସେହି ଅନୁସାରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି ବାରଙ୍ଗ ଥାନା ଅଧିକାରୀ ଆକାଶଚନ୍ଦ୍ର ରଣା କହିଛନ୍ତି। ଗୋଟିଏ ଘର ଭିତରେ ଶାଶୂ, ବୋହୂ ଶୋଇଥିବା ଅବସ୍ଥାରେ ଶାଶୂଙ୍କୁ କିଏ କିପରି ମାରି ଦେଲା ଓ ବୋହୂ ତାହା ଜାଣି ପାରିଲା ନାହିଁ, ତାହା ହିଁ ସ‌ନ୍ଦେହର କାରଣ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button